ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ, ନାବାଳିକା ଝିଅକୁ ସବୁଦିନ ରାତିରେ…ମନା କରିବାରୁ କୁରାଢ଼ିରେ ହାଣିଦେଲା ବାପା

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ, ନାବାଳିକା ଝିଅକୁ ସବୁଦିନ ରାତିରେ…

Minor Molest: ସାମ୍ନାକୁ ଆସିଛି ରକ୍ତର ସମ୍ପର୍କକୁ କଳଙ୍କିତ କରିବା ଭଳି ଏକ ଜଘନ୍ୟ ଘଟଣା। ମଧ୍ୟପ୍ରଦେଶର ମୈହର ଜିଲ୍ଲା ଅନ୍ତର୍ଗତ ରାମନଗର ଅଞ୍ଚଳରେ ଜଣେ ବାପା ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ଉପରକୁ କୁରାଢ଼ିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଭୟଙ୍କର କାଣ୍ଡରେ ଝିଅକୁ ବଞ୍ଚାଇବାକୁ ଆସି ମା’ ଏବଂ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ବାପା କରିଥିଲା ଅଶ୍ଳୀଳ ହରକତ

ଏଫ୍‌ଆଇଆର୍ ଅନୁଯାୟୀ, ଗତ ୧୨ ମଇ ଭୋର୍ ପ୍ରାୟ ୪ଟା ସମୟରେ ୧୭ ବର୍ଷୀୟା ନାବାଳିକା ଜଣକ ନିଜ ରୁମ୍‌ରେ ଶୋଇଥିବା ବେଳେ ଅଭିଯୁକ୍ତ ପିତା ସେଠାରେ ପହଞ୍ଚିଥିଲା। ଅଭିଯୁକ୍ତ ଜଣକ ଝିଅ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଯେତେବେଳେ ନାବାଳିକା ଜଣକ ଏହାର ବିରୋଧ କରିଥିଲେ, ଅଭିଯୁକ୍ତ ବାପା ରାଗିଯାଇ ଏକ କୁରାଢ଼ିରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା।

ମା,ଭଉଣୀ ବି ଶିକାର

ନାବାଳିକାଙ୍କ ଚିତ୍କାର ଶୁଣି ଘରେ ଥିବା ମା’ ଏବଂ ଅନ୍ୟ ଭଉଣୀ ତାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। କିନ୍ତୁ ପିଶାଚ ବାପା ସେମାନଙ୍କ ଉପରକୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ, ସେମାନେ ନିଜ ଜୀବନ ବଞ୍ଚାଇବାକୁ ସେଠାରୁ ଦୌଡ଼ି ପଳାଇଥିଲେ। ଅଭିଯୁକ୍ତ ସେମାନଙ୍କୁ କିଛି ବାଟ ପିଛା କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପ୍ରଥମେ ରାମନଗର ଡାକ୍ତରଖାନାରେ ପହଞ୍ଚିଥିଲେ।

ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଚିକିତ୍ସା ପରେ ପୀଡ଼ିତା ଏବଂ ତାଙ୍କ ପରିବାର ଥାନାରେ ପହଞ୍ଚି ଅଭିଯୁକ୍ତ ବାପା ବିରୋଧରେ ଅଭିଯୋଗ କରିଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଭାରତୀୟ ନ୍ୟାୟ ସଂହିତା ଏବଂ ପୋକ୍ସୋ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପରଠାରୁ ଫେରାର ଥିବା ଅଭିଯୁକ୍ତ ବାପାକୁ ଖୋଜା ଚାଲିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।