ସଇତାନ ବାପା… ଭୋକରେ ୪ ବର୍ଷର ପୁଅ କାନ୍ଦିବାରୁ, କାନ୍ଥରେ ପିଟିପିଟି ମାରିଦେଲା
ନାବାଳକ ପୁଅକୁ କାନ୍ଥରେ ପିଟି ମାରିଦେଲା ବାପା।
ଓଡିଶାଭାସ୍କର: ଇଏ କେମିତିକା ନୃଶଂସ ବାପା। ଛୋଟ ଛୁଆଟି ଭୋକ ସମ୍ଭାଳିବା ଜାଣିନି, ତେଣୁ ଭୋକ ହେବାରୁ କାନ୍ଦିବାକୁ ଲାଗିଲା। ଆଉ ଛୁଆର କାନ୍ଦ ସହି ନପାରି ରାକ୍ଷସ ବାପା ନିଜର କୁନି ପୁଅକୁ କାନ୍ଥରେ ପିଟିପିଟି ମାରିଦେଲା।
ହଁ ଆଜ୍ଞା ମହାରାଷ୍ଟ୍ରର ପୋୱାଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣି ସମସ୍ତଙ୍କ ରକ୍ତ ରାଗରେ ନିଆଁ ହୋଇଯାଉଛି। ଆଶ୍ଚର୍ଯ୍ୟଜନକ ଭାବରେ ଜଣେ ବାପା ରାଗରେ ତାଙ୍କ ପୁଅକୁ ବାରମ୍ବାର କାନ୍ଥରେ ପିଟି ହତ୍ୟା କରିଛନ୍ତି, କାରଣ ଥିଲା ପିଲାଟି ଭୋକରେ କାନ୍ଦୁଥିଲା।
ପ୍ରକୃତରେ, ରାଜେଶ ସିଂହ ତାଙ୍କ ପରିବାର ସହିତ ପୋୱାଇର ଗୌତମ ନଗର ଅଞ୍ଚଳରେ ରୁହନ୍ତି। ଗତକାଲି ସକାଳେ ତାଙ୍କର ଚାରି ବର୍ଷର ପୁଅ ଯଶ ଭୋକ ଲାଗିବାରୁ କାନ୍ଦିବାକୁ ଲାଗିଲା। କିନ୍ତୁ ତାଙ୍କ କାନ୍ଦଣାରେ ରାଜେଶ ରାଗିଯାଏ ପୁଅକୁ ବାରମ୍ବାର କାନ୍ଥରେ ପିଟିପିଟି ହତ୍ୟା କରିଥିଲେ।
ଅଭିଯୁକ୍ତଙ୍କ ଭଉଣୀ ଏକ ଅଭିଯୋଗ ଦାଖଲ କରିଥିଲେ:
ଫଳସ୍ୱରୂପ, ଶିଶୁଟି ଘଟଣାସ୍ଥଳେ ମୃତ୍ୟୁବରଣ କଲା। ରାଜେଶଙ୍କ ଭଉଣୀ ଘଟଣା ବିଷୟରେ ପୋଲିସକୁ ଜଣାଇବା ପରେ ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ରାଜାୱାଡି ହସ୍ପିଟାଲକୁ ପଠାଇଛି ଏବଂ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ପୱାଇ ପୋଲିସ ଅଧିକ ତଦନ୍ତ କରୁଛି।
୧୫ ଦିନ ପୂର୍ବରୁ ଚାଲିଯାଇଥିଲା ପତ୍ନୀ:
ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସିଂହ ତାଙ୍କ ମାଆ, ପତ୍ନୀ ଏବଂ ପାଞ୍ଚ ଏବଂ ଚାରି ବର୍ଷର ଦୁଇ ପିଲାଙ୍କ ସହିତ ଗୌତମ ନଗରରେ ରହୁଥିଲେ।
ଅଧିକାରୀଙ୍କ ଅନୁଯାୟୀ, ତାଙ୍କ ସାନ ପୁଅ ଯଶ (ଚାରି ବର୍ଷର) କିଛି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲା ଏବଂ ମୁଖ୍ୟତଃ କ୍ଷୀର ଖାଇ ଜୀବନ ବିତାଉଥିଲା।
ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜେଶ ବେରୋଜଗାର ଥିଲେ ଏବଂ ତାଙ୍କର ମଦ୍ୟପାନ ଅଭ୍ୟାସ ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଏବଂ ପିଲାମାନଙ୍କୁ ମାତ୍ର ୧୫ ଦିନ ପୂର୍ବରୁ ଛାଡି ଚାଲିଯାଇଥିଲେ।
ନିଦରୁ ଉଠି ରାଗିଗଲେ ବାପା:
ସେ କହିଛନ୍ତି ଯେ ଶୁକ୍ରବାର ସକାଳେ ଯଶ କ୍ଷୀର ଖାଇବା ପାଇଁ କାନ୍ଦିବାକୁ ଲାଗିଲେ, ଯାହା ରାଜେଶଙ୍କ ନିଦ ଭାଙ୍ଗି ଦେଇଥିଲା। ଆଉ ରାଗରେ ସେ ପିଲାଟିକୁ ଉଠାଇ ନେଇ ଏକ କାନ୍ଥରେ ପିଟି ଦେଇଥିଲେ। ପ୍ରଥମେ ପୋଲିସକୁ ସଠିକ୍ ଉତ୍ତର ଦେଇ ନପାରି ରାଜେଶ ପରେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ।

