fbpx

ଡୋପ୍ ଟେଷ୍ଟରେ ଧରା ପଡିଲେ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର, ୨୧ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ନିଷେଧ ଡ୍ରଗ୍ସ ସେବନ କରିବା ମହଙ୍ଗା ପଡିଲା। କାରଣ ଡୋପ ଟେଷ୍ଟରେ ଧରା ପଡି ଅଭିଯୁକ୍ତ ହୋଇଛନ୍ତି ଦୀପା। ତେଣୁ ଇଣ୍ଟରନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି ତାଙ୍କ ବିରୋଧରେ ୨୧ ମାସିଆ ସସ୍‌ପେଣ୍ଡ ନିର୍ଦ୍ଦେଶ ଜାରି କରିଛି । ସେ ହାଇଜେନାମିନେ ଏସ୍ ୩ ବେଟା-୨ ଡ୍ରଗ୍ସ ସେବନ କରିଥିବା ସ୍ପଷ୍ଟ ହୋଇଥିଲା। ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ପକ୍ଷରୁ ଏହି ଡ୍ରଗ୍ସକୁ ନିଷେଧ ତାଲିକାରେ ସାମିଲ କରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୧ ଅକ୍ଟୋବର ୧୧ତାରିଖ ଦିନ ଆଉଟ୍ ଅଫ୍ କମ୍ପିଟସନ କଣ୍ଟ୍ରୋଲ୍‌ ଜରିଆରେ ଫେଡେରେସନ ଇଣ୍ଟରନ୍ୟାସ୍‌ନାଲେ ଡି ଜିମ୍ନାଷ୍ଟିକ୍ୟୁ (ଏଫ୍‌ଆଇଜି) ପକ୍ଷରୁ ଦୀପାଙ୍କର ପଜିଟିଭ ନମୂନା ସଂଗ୍ରହ କରାଯାଇଥିଲା। ତେଣୁ ଏଫ୍‌ଆଇଜି ଆଣ୍ଟି ଡୋପିଂ ରୁଲ୍ସ ଧାରା ୧୦.୮.୨ ଆଧାରରେ ଏହି ମାମଲାର ବିଚାର କରାଯାଇଥିଲା। ସେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ୨୦୨୧ ଅକ୍ଟୋବର ୧୧ ତାରିଖରୁ ତାଙ୍କ ବିରୁଦ୍ଧରେ ସସ୍‌ପେଣ୍ଡ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ ସେ ଚଳିତ ୨୦୨୩ ଜୁଲାଇ ୧୦ତାରିଖ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ।

ଭାରତର ଜଣେ ପ୍ରମୁଖ ମହିଳା ଜିମ୍ନାଷ୍ଟ ହୋଇଥିବାବେଳେ ୨୦୧୬ ରିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକ ହାସଲରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନ ପାଇଥିଲେ। ମାତ୍ର ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ସେ ଯୋଗ୍ୟତା ହାସଲ କରି ପାରିନଥିଲେ। ବର୍ତ୍ତମାନ ଏହି କଟକଣା ଲାଗୁ ହେବା ଫଳରେ ସେ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରିବେ ନାହିଁ।

Get real time updates directly on you device, subscribe now.