fbpx

FIFA World Cup: ଆଜିଠୁ ଫୁଟବଲ୍ ‘ମହାକୁମ୍ଭ’, ୩୨ ଦଳ-୨୯ ଦିନ- ୬୪ ମ୍ୟାଚ୍, କିଏ ଜିତିବ ଟାଇଟଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକ ପ୍ରିୟ କ୍ରୀଡା ମହାକୁମ୍ଭ ଫୁଟବ ବିଶ୍ଵ କପର ୨୨ତମ ସଂସ୍କରଣ କାତାରରେ ଆଜିଠୁ ଆରମ୍ଭ ହେଉଛି। ଫିଫାର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ସହିତ ମୋଟ୍ ୩୨ଟି ଦଳ ଅଂଶଗ୍ରହଣ କରୁଛନ୍ତି। ରବିବାର ଉଦଘାଟନୀ ମୁକାବିଲା କାତାର ଏବଂ ଇକ୍ଵାଡୋର ମଧ୍ୟରେ ଖେଳାଯିବ। ୮ଟି ଗ୍ରୁପରେ ଚାରୋଟି ଲେଖାଏଁ ଦଳକୁ ବିଭକ୍ତ କରାଯାଇଛି। ୨୯ ଦିନରେ ୪୮ ଲିଗ୍ ମ୍ୟାଚ୍ ସହିତ ମୋଟ୍ ୬୪ଟି ମୁକାବିଲା ଖେଳାଯିବ। ଲିଗ୍ ପର୍ଯ୍ୟାୟ ରେ ଦମଦାର ପ୍ରଦର୍ଶନ କରିଥିବା ଦଳ ୧୬ଟି ଦଳ ନକଆଉଟରେ ପ୍ରବେଶ କରିବେ। ଡିସେମ୍ବର ୩ରେ ନକଆଉଟ୍ ମୁକାବିଲା ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ଡିସେମ୍ଵର ୧୮ରେ ଖେଳାଯିବ।

ଆଠଟି ଷ୍ଟାଡିୟମରେ ହେବ ମୁକାବିଲା
ଫିଫା ବିଶ୍ଵ କପ୍ ୨୦୨୨ର ସମସ୍ତ ମ୍ୟାଚ୍ ଆଠଟି ଷ୍ଟାଡିୟମରେ ଖେଳାଯିବ। ୧୯୩୦ରେ ଆରମ୍ଭ  ହୋଇଥିବା ଏହି  ଫୁଟବଲ ମହାକୁମ୍ଭରେ ବ୍ରାଜିଲ ସର୍ବାଧିକ ପାଞ୍ଚ ଥର ଚାମ୍ପିଅନ ହୋଇଥିବା ବେଳେ ଜର୍ମାନୀ ଏବଂ ଇଟାଲୀ ଚାରି ଥର ଲେଖାଏଁ ଟ୍ରଫି ଜିତିଛନ୍ତି। ଉରୁଗୁଏ, ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଦୁଇ ଥର ଲେଖାଏଁ ଚାମ୍ପିଅନ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ପାଇଁ ଟାଇଟଲ୍ ବଜାୟ ରଖିବା ସେତେଟା ସହଜ ହେବ ନାହିଁ।

ପ୍ରଥମ ଥର ଆରବ ଦେଶରେ ଆୟୋଜନ
ପ୍ରଥମ ଥର ଆରବ ଦେଶରେ ଫୁଟବଲ୍ ବିଶ୍ଵ କପ୍ ଆୟୋଜନ କରାଯାଉଛି। ୧୯୩୦ରେ ପ୍ରଥମ ଥର ଉୁରୁଗୁଏରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଦ୍ଵିତୀୟ ଥର କୌଣସି ଏସୀୟ ଦେଶ ଫିଫା ବିଶ୍ଵ କପର ଆୟୋଜନ କରୁଛି। ଏହା ପୂର୍ବରୁ ୨୦୦୨ରେ ଦକ୍ଷିଣ କୋରିଆ ଏବଂ ଜାପାନ ମିଳିତ ଭାବେ ଫିଫା ବିଶ୍ଵ କପ ଆୟୋଜନ କରିଥିଲେ।

ଟ୍ରଫି ଜିତିବା ଦଳ ହେବ ମାଲାମାଲ
ଫିଫା ବିଶ୍ଵ କପ୍ ଫାଇନାଲ୍ ଜିତୁଥିବା ଦଳ ଏଥର ପାଖାପାଖି ୩୪୨ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ପୁରସ୍କାର ରାଶିର ପରିମାଣ ହେଉଛି ୩୫୭୮ କୋଟି ଟଙ୍କା। ଫୁଟବଲ ବିଶ୍ଵ କପ୍ ଏବଂ ନିକଟରେ ଅଷ୍ଟ୍ରେଲିଆରେ ସଂପନ୍ନ ଟି-୨୦ ବିଶ୍ଵ କପର ପୁରସ୍କାର ରାଶି ତୁଳନାରେ ଏହା ୮୦ ଗୁଣ ଅଧିକ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପର ମୋଟ୍ ପୁରସ୍କାର ରାଶି ୪୫ କୋଟି ଟଙ୍କା ଥିଲା।

ଶେଷ ଥର ଅଂଶଗ୍ରହଣ କରିବେ ୩୨ ଦଳ
ଫିଫା ବିଶ୍ଵ କପରେ ଶେଷ ଥର ୩୨ ଦଳ ଅଂଶଗ୍ରହଣ କରିବେ। ଏହା ପରେ ୨୦୨୬ରେ ଆୟୋଜିତ ହେବାକୁ ଥିବା ଫୁଟବଲର ଏହି ମହାକୁମ୍ଭରେ ଦଳ ସଂଖ୍ୟା ବଢିଯିବ। ୨୦୨୬ ଫିଫା ବିଶ୍ଵ କପର ଆୟୋଜନ ଆମେରିକା, ମେକ୍ସିକୋ ଏବଂ କାନାଡା ମିଳିତ ଭାବେ ଆୟୋଜନ କରିବେ। ଏଥିରେ ଦଳ ସଂଖ୍ୟା ବୃଦ୍ଧି ପାଇ ୪୮ ହୋଇଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ମୋଟ୍ ୧୩ଟି ଦଳ ଅଂଶଗ୍ରହଣ କରିଥିଲେ।

ଏସିଆର ୫ ଦଳ ସାମିଲ୍
କାତାରରେ ଖେଳାଯାଉଥିବା ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଏସିଆର ୫ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ଦଳ ଗୁଡିକ ହେଉଛି ଆୟୋଜକ କାତାର ସହିତ ଇରାନ, ସାଉଦି ଆରବ, ଜାପାନ ଏବଂ ଦକ୍ଷିଣ କୋରିଆ।

Get real time updates directly on you device, subscribe now.