fbpx

ତାଲିବାନକୁ ଅସ୍ତ୍ରବିରତି ପାଇଁ ଅପିଲ୍‌ କଲେ ୧୫ଟି ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କ ଅତ୍ୟାଚାର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ତେଣୁ ଏଥିରେ ଅତିଷ୍ଠ ହୋଇ ଏବେ ଅନେକ ଦେଶ ତାଲିବାନ ମାନଙ୍କୁ ଆଫଗାନିସ୍ଥାନ ଛାଡିବାକୁ ଅପିଲ କରିଛନ୍ତି । ଏଥିରେ ଆମେରିକା ସମେତ ୧୫ ଦେଶର ରାଷ୍ଟ୍ରଦୂତ ଓ ନାଟୋ ପ୍ରତିନିଧିମାନେ ଅନ୍ତର୍ଭୁକ୍ତ ରହିଛନ୍ତି । ସେମାନେ ଅସ୍ତ୍ରବିରତି ପାଇଁ ଅପିଲ କରିଛନ୍ତି । ଆଫଗାନ ସରକାର ଏବଂ ତାଲିବାନ ମଧ୍ୟରେ ସିଜଫାୟାର ଉପରେ ସହମତି ହୋଇନପାରିବାରୁ ଅନେକ ଦେଶର ରାଷ୍ଟ୍ରଦୂତ ଏହି ଅପିଲ୍‌ କରିଛନ୍ତି । ଆଫଗାନିସ୍ତାନର ନେତାଙ୍କ ଟିମ୍‌ କତର ରାଜଧାନୀରେ ତାଲିବାନ ସହ ସାକ୍ଷତ କରିଥିଲେ। କିନ୍ତୁ ରବିବାର ତାଲିବାନ ପକ୍ଷରୁ ଜାରି ବୟାନରେ ଅସ୍ତ୍ରବିରତି ନେଇ କୌଣସି ସୂଚନା ଦିଆଯାଇ ନଥିଲା ।

ଅଷ୍ଟ୍ରେଲିଆ, କାନାଡା, ଚେକ୍‌ ଗଣରାଜ୍ୟ, ଡେନମାର୍କ, ଜର୍ମାନୀ, ନେଦରଲାଣ୍ଡ, ସ୍ପେନ୍‌, ସ୍ବିଡେନ୍‌, ବ୍ରିଟେନ ଏବଂ ଆମେରିକା ସମେତ ଅନେକ ଦେଶ ତାଲିବାନକୁ ଅସ୍ତ୍ରବିରତି ପାଇଁ ଅପିଲ୍‌ କରିଛନ୍ତି। ସେମାନେ ବୟାନ ଜାରି କରି କହିଛନ୍ତି, ‘ଏହି ବକ୍ରିଦରେ ତାଲିବାନ ଅସ୍ତ୍ର ଛାଡ଼ିବା ଦରକାର ଏବଂ ବିଶ୍ବକୁ କହିବା ଦରକାର ଯେ ସେ ଶାନ୍ତି ପ୍ରକ୍ରିୟାର ସମ୍ମାନ କରେ ଏବଂ ଏଥିପ୍ରତି ପ୍ରତିବଦ୍ଧ।’

ସେପଟେ ଆମେରିକା ସେନା ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଛାଡ଼ି ଯାଉଥିବା ବେଳେ ଏହାର ସୁଯୋଗ ନେଇ ତାଲିବାନ ଅଧିକରୁ ଅଧିକ ଅଞ୍ଚଳ କବ୍‌ଜା କରିବାରେ ଲାଗିଛି । ସେମାନେ ଦାବି କରିଛନ୍ତି ଯେ ଦେଶର ୮୫ ପ୍ରତିଶତରେ କବ୍ଜା କରିସାରିଛନ୍ତି । ଏହା ପୂର୍ବରୁ ଇଦ୍‌ ଅବସରରେ ତାଲିବାନ ଅସ୍ତ୍ରବିରତି ଘୋଷଣା କରିବା ସହ ଆଫଗାନର ଲୋକମାନଙ୍କୁ ଶାନ୍ତିରେ ଉତ୍ସବ ମନାଇବାକୁ ଦେବାକୁ ଚାହୁଁଛି ବୋଲି କହିଥିଲା। କିନ୍ତୁ ଏଥର ବକ୍ରିଦ୍‌କୁ ଆଉ ଦୁଇ ଦିନ ବାକି ଥିବା ବେଳେ ତାଲିବାନ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ । ଏହାସହ ତାଲିବାନ ଦ୍ବାରା ସ୍କୁଲ୍‌ ବନ୍ଦ ଏବଂ ଗଣମାଧ୍ୟମ କାର୍ୟ୍ୟାଳୟ କବଜା କରିବା ଘଟଣାକୁ ରାଷ୍ଟ୍ରଦୂତମାନେ ନିନ୍ଦା କରିଛନ୍ତି।

 

Get real time updates directly on you device, subscribe now.