fbpx

ଅମୃତସର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ପଞ୍ଜାବ ଅମୃତସରରେ ଗୁରୁ ନାନକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।

ମିଳିଥିବା ସୂଚନା ଅନୂଯାୟୀ, ନିଆଁ ଏତେ କ୍ଷୀପ୍ର ବେଗରେ ବ୍ୟାପିଥିଲା ଯେ ବାହାରିବାକୁ ସମୟ ମିଳିନଥିଲା । ରୋଗୀମାନେ ହୋହାଲ୍ଳା କରିବାକୁୁ ଲାଗିଥିଲେ । ଘଟଣା ସ୍ଥଳରେ ଦମକଳ ବିଭାଗର ଦୁଇଟି ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସୂଚନା ଅନୂଯାୟୀ, ହସ୍ପିଟାଲ ପଛରେ ଥିବା ଟ୍ରାନ୍ସଫର୍ମରରେ ହଠାତ୍ ନିଆଁ ଲାଗିଥିଲା । ଏହାପରେ ଦେଖୁ ଦେଖୁ ନିଆଁ ସମଗ୍ର ହସ୍ପିଟାଲରେ ବ୍ୟାପିଯାଇଥିଲା । ଫଳରେ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ଆଉ ରୋଗୀମାନେ ନିଜ ସମ୍ପର୍କୀୟଙ୍କ ସହ ବାହରକୁ ଦୌଡ଼ିଥିଲେ । ନିଆଁ ଲାଗିବା ସମୟରେ ହସ୍ପିଟାଲରେ ବିଭିନ୍ନ ୱାର୍ଡରେ ବହୁସଂଖ୍ୟାରେ ରୋଗୀ ରହିଥିଲେ । ରୋଗୀଙ୍କ କହିବା ଅନୂଯାୟୀ ନିଆଁ ଯୋଗୁଁ ଶ୍ୱାସକ୍ରିୟାରେ କଷ୍ଟ ହେବା ଆରମ୍ଭ ହୋଇଥିଲା, କିନ୍ତୁ ଏହି ସମୟରେ କେହିବି ରୋଗୀଙ୍କ ସାହାଯ୍ୟ କରିନଥିଲେ ଆଉ ସେମାନେ ନିଜେ ବାହାରକୁ ଯାଇଥିଲେ ।

ସୂଚନା ମିଳିବା ପରେ ଦମକଳ ବାହିନୀ ଏବଂ କ୍ୟାବିନେଟ ମନ୍ତ୍ରୀ ହରଭଜନ ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ବିଭାଗର ୧୨ ଟି ଗାଡ଼ି ବହୁ ପରିଶ୍ରମ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ । କିନ୍ତୁ ସେତେବେଳେକୁ ସମଗ୍ର ବିଲ୍ଡିଂ ଜଳି ପାଉଁଶ ହୋଇଯାଇଥିଲା । କୁହାଯାଉଛି ପ୍ରାୟ  ୬୦୦ ରୁ ଅଧିକ ରୋଗୀଙ୍କୁ ବାହାର କରାଯାଇଥିଲା । ତେବେ ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.