ଗୋଡ଼ାଇ ଗୋଡ଼ାଇ ଝିଅକୁ ହାଣିଲା ବାପ; ପତ୍ନୀ ମଧ୍ୟ ଗୁରୁତର
ରାକେଶ ରାଗି ଯାଇଥିଲେ। ଆଉ ଏକ କୁରାଢ଼ୀରେ ନିଜର ୧୯ ବର୍ଷର ଝିଅ ମୁସ୍କାନଙ୍କୁ ଆକ୍ରମଣ କରିଥିଲେ। ଝିଅର ଚିତ୍କାର ଶୁଣି ଉଦ୍ଧାର କରିବାକୁ ଧାଇଁ ଆସିଥିଲେ ରାକେଶଙ୍କ ପତ୍ନୀ ପୁଷ୍ପା ଦେବୀ
ନୂଆଦିଲ୍ଲୀ: ସାମାନ୍ୟ କଥାକୁ ନେଇ ରାଗିଗଲେ ବାପା। ଆଉ ଘର ଭିତରେ ଝିଅକୁ ଗୋଡ଼ାଇ ଗୋଡ଼ାଇ କୁରାଢ଼ୀରେ ଆକ୍ରମଣ କଲେ। ଝିଅକୁ ବଞ୍ଚାଇବାକୁ ମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏପରି ବୀଭତ୍ସ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଫିରୋଜାବାଦ ଜିଲ୍ଲା ସୋଫିପୁର ଗାଁ ରାକେଶ ରାଠୋର ପରିବାର ସହ ରୁହନ୍ତି। ରବିବାର ବିଳମ୍ବିତ ସନ୍ଧ୍ୟାରେ କୌଣସି କଥାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା। ଯେଉଁଥିରେ ରାକେଶ ରାଗି ଯାଇଥିଲେ। ଆଉ ଏକ କୁରାଢ଼ୀରେ ନିଜର ୧୯ ବର୍ଷର ଝିଅ ମୁସ୍କାନଙ୍କୁ ଆକ୍ରମଣ କରିଥିଲେ। ଝିଅର ଚିତ୍କାର ଶୁଣି ଉଦ୍ଧାର କରିବାକୁ ଧାଇଁ ଆସିଥିଲେ ରାକେଶଙ୍କ ପତ୍ନୀ ପୁଷ୍ପା ଦେବୀ। ହେଲେ ରକ୍ତମୁଖା ହୋଇଥିବା ରାକେଶ ତାଙ୍କୁ ମଧ୍ୟ କୁରାଢ଼ୀରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ହୋଇ ଘର ଅଗଣାରେ ପଡ଼ିଥିଲେ ମାଆ ଓ ଝିଅ।
ରାକେଶଙ୍କ ଏ ରୂପ ଦେଖି ସାହି ପଡ଼ିଶା ଭୟଭୀତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ମୁସ୍କାନ ଓ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମୁସ୍କାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଷ୍ପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି। ଅନ୍ୟପକ୍ଷରେ ପୋଲିସ ରାକେଶ ରାଠୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ଅଧୀକ୍ଷକ (ଗ୍ରାମାଞ୍ଚଳ) ଅନୁଜ କୁମାର ଚୌଧୁରୀ କହିଛନ୍ତି; ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତରୁ ପାରିବାରିକ ଗଣ୍ଡଗୋଳରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତଥାପି ଅଭିଯୁକ୍ତଙ୍କୁ ଜେରା କରାଯାଉଛି।
ଅନ୍ୟପକ୍ଷରେ ପୋଲିସ ମୁସ୍କାନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛନ୍ତି।

