fbpx

କେବଳ କ୍ୟାଶ୍ ନୁହେଁ, ଏଣିକି ATMରୁ ବାହାରିବ Gold: ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମ୍

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ଏଟିଏମ ମେଶିନରୁ ଆବଶ୍ୟକ ମୁତାବକ କ୍ୟାଶ୍ କାଢ଼ିଥାଉ । ତେବେ ଏନେଇ ଏକ ବଡ଼ ଖବର ଆସିଛି । ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ସୁନା ବାହାରିବ, ତେବେ ଏକଥାକୁ ହୁଏତ ଆପଣମାନେ ଥଟ୍ଟାରେ ଉଡ଼ାଇଦେବେ । ତେବେ କଥାଟି ସମ୍ପୂର୍ଣ୍ଣ ସତ । ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଟ ଏଟିଏମ୍ ଭାରତର ହାଇଦ୍ରାବାଦ ସହରରେ ଖୋଲିଛି ।

ତେବେ ହାଇଦ୍ରାବାଦରେ ଖୋଲିଥିବା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମରୁ ଆପଣମାନେ ସୁନାର ସିକ୍କା କାଢ଼ି ପାରିବେ । ସୁନା କ୍ରୟ ଓ ବିକ୍ରୟ କରୁଥିବା ଗୋଲ୍ଡ ସିକ୍କା କମ୍ପାନୀ ସେଠାରେ ଏକ ଏଟିଏମ୍ ସ୍ଥାପନ କରିଛି । ଏହି ଏଟିଏମରୁ ୦.୫ ଗ୍ରାମରୁ ଆରମ୍ଭ କରି ୧୦୦ ଗ୍ରାମ ପର୍ଯ୍ୟନ୍ତ ସିକ୍କା କାଢ଼ି ହେବ । ଏହି ପ୍ରୟାସ ଫଳରେ ଜନସାଧାରଣ ସୁନାରେ ଅଧିକ ନିବେଶ କରିବାକୁ ଆକୃଷ୍ଟ ହେବେ ବୋଲି କମ୍ପାନୀର ଲକ୍ଷ୍ୟ ରହିଛି ।

ଏହି ଏଟିଏମ୍ ଗୋଲ୍ଡ ସିକ୍କା କମ୍ପାନୀର ହେଡ ଅଫିସ ଅଶୋକ ରଘୁପତି ଚ୍ୟାମ୍ବର୍ସ ପ୍ରକାଶ ନଗର ମେଟ୍ରୋ ଷ୍ଟେସନ ବେଗମପେଟରେ ଲଗାଯାଇଛି । ଏହି ଗୋଲ୍ଡ ଏଟିଏମରେ ସୁନାର ମୂଲ୍ୟ ଲାଇଭ୍ ଅପଡେଟ୍ ଜାରି ରହିବ । ଚଳିତ ମାସ ପହିଲାରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୫୪,୬୪୦ ଟଙ୍କାରେ ପହଞ୍ଚି ଯାଇଛି । ଏହାପରେ ସୁନାର ଚାହିଦା ବଢ଼ିବାରେ ଲାଗିଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ସୁନା କିଣିବା ନେଇ ସୁବିଧା ପ୍ରଦାନ କରିବା ହେଉଛି ଏହି ଗୋଲ୍ଡ ଏଟିଏମର ଉଦ୍ଦେଶ୍ୟ । ଏହି ଏଟିଏମରୁ ଗ୍ରାହକଙ୍କୁ ଶୁଦ୍ଧ ସୁନା ମିଳିବା ସହ ସିକ୍କାଗୁଡ଼ିକ ୨୪ କ୍ୟାରେଟ ବିଶିଷ୍ଟ ହେବ । କୌଣସି ବ୍ୟକ୍ତି ୦.୫ ଗ୍ରାମରୁ କମ୍ ବା ୧୦୦ ଗ୍ରାମରୁ ଅଧିକ ସୁନା କିଣିପାରିବେ ନାହିଁ ।

Get real time updates directly on you device, subscribe now.