fbpx

ଆମେରିକାରେ ପ୍ରଭାବଶାଳୀ ଏହି ୫ ଭାରତୀୟ ମହିଳା

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ଆମେରିକାର ସବୁଠାରୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ମହିଳାଙ୍କ ତାଲିକା । ବୁଧବାର ପ୍ରକାଶିତ ତାଲିକାରେ ୫ ଜଣ ଭାରତୀୟ ମହିଳା ଟପ-୧୦୦ରେ ସ୍ଥାନ ପାଇଛନ୍ତି । ୫ ଭାରତୀୟ ମହିଳା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁୟୀ, ନୀରଜା ସେଠୀ, ନେହା ନରଖେଡେ ଓ ରେଶମା ସେଟ୍ଟୀଙ୍କୁ ଏହି ତାଲିକାରେ ସାମିଲ କରିଛି ଫୋବର୍ସ । ପେପସୀ କୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ ଓ ଜୟଶ୍ରୀ ଉଲ୍ଳାଲ ସିଇଓ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୩ ଜଣ ନିଜର କମ୍ପାନୀ ପ୍ରତିଷ୍ଠା କରିଛନ୍ତି ।

ଜୟଶ୍ରୀ ଉଲ୍ଳାଲ: ଲଣ୍ଡନରେ ଜନ୍ମ ଗ୍ରହଣ କରିଥିବା ୬୦ ବର୍ଷୀୟା ଜୟଶ୍ରୀ ଆରିଷ୍ଟା ନେଟୱର୍କର ସିଇଓ ଭାବରେ କାର୍ଯ୍ୟ କରନ୍ତି । ଉଲ୍ଲାଲଙ୍କ ମୋଟ ସମ୍ପତ୍ତିର ପରିମାଣ ୧.୭ ବିଲିୟନ୍ ଡଲାର ରହିଥିବା ବେଳେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ୧୬ ତମ ସ୍ଥାନରେ ରହିଛନ୍ତି । ଜୟଶ୍ରୀ ଉଲ୍ଲାଲଙ୍କ ନିକଟରେ ଆରିଷ୍ଟାର ୫ ପ୍ରତିଶତ ଅଂଶଧନ ରହିଛି ।

ନୀରଜା ସେଠୀ: ଫୋବର୍ସ ତାଲିକାର ୨୬ତମ ସ୍ଥାନରେ ରହିଥିବା ନୀରଜାଙ୍କ ମୋଟ ସମ୍ପତ୍ତିର ପରିମାଣ ୧ ବିଲିୟନ ଡଲାର । ୬୦ ବର୍ଷୀୟା ନୀରଜା ନିଜ ସ୍ୱାମୀ ଭରତ ଦେଶାଇଙ୍କ ସହିତ ମିଳିତ ଭାବରେ ୧୯୮୦ରେ ସିଣ୍ଟେଲ ନେଟୱର୍କ ପ୍ରତିଷ୍ଠା କରିଥିଲେ । ୨୦୧୮ରେ ଟ୍ରୟ ଏହି କମ୍ପାନୀକୁ ୩.୪ ବିଲିୟନ ଡଲାରରେ କିଣିଥିବା ବେଳେ ନୀରଜାଙ୍କ ଭାଗରେ ପ୍ରାୟ ୫୧୦ ମିଲିୟନ ଡଲାର ପଡିଥିଲା ।

ନେହା ନରଖେଡେ: ପୁନେରେ ବଡ ହୋଇଥିବା ନେହା ଏହି ତାଲିକାର ୨୯ ତମ ସ୍ଥାନରେ ରହିଛନ୍ତି । ନେହାଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୯୨୫ ମିଲିୟନ ଡଲାର ରହିଛି । କନଫ୍ଲୁଏଣ୍ଟ ନାମକ କ୍ଲାଉଡ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ନେହା । ଜୁନ୍ ୨୦୨୧ରେ ଏହ କମ୍ପାନୀ ପବ୍ଲିକ୍ ହୋଇଥିବା ବେଳେ ଏଥିରେ ନେହାଙ୍କର ୮ ପ୍ରତିଶତ ଅଂଶଧନ ରହିଛି । ୩୬ ବର୍ଷୀୟା ନେହା ଏହି ତାଲିକାରେ ସବୁଠାରୁ ଯୁବ ଭାରତୀୟ ଭାବରେ ରହିଛନ୍ତି ।

ରେଶମା ସେଟ୍ଟୀ: ୪୧ ବର୍ଷୀୟ ରେଶମା ଏହି ତାଲିକାରେ ୩୯ ତମ ସ୍ଥାନରେ ରହିଛନ୍ତି । ଏମଆଇଟିରୁ ବାୟୋଲୋଜିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ରେଶମା ନିଜ ସ୍ୱାମୀ ବାରି କାଣ୍ଟନଙ୍କ ସହିତ ମିଶି ଗିଙ୍ଗକୋ ବାୟୋୱାର୍କସ ନାମକ ସିନ୍ଥେଟିକ ବାୟୋ ଟେକ୍ନୋଲୋଜି କମ୍ପାନୀ ପ୍ରତିଷ୍ଠା କରିଥିଲେ । ୨୦୦୯ରେ ଏହି କମ୍ପାନୀ ସ୍ଥାପନ କରିଥିଲେ ରେଶମା । ବର୍ତ୍ତମାନ ରେଶମାଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୭୫୦ ମିଲିୟନ ଡଲାର ରହିଛି । ୧୭.୫ ବିଲିୟନର ସ୍ପାକ ଡିଲ ସହିତ ରେଶମାଙ୍କ କମ୍ପାନୀ ପବ୍ଲିକ ହେବାକୁ ଯାଉଥିବା ପ୍ରକାଶ କରିଛି ଫୋବର୍ସ ।

ଇନ୍ଦ୍ରା ନୁୟୀ: ପୂର୍ବତନ ପେପସୀ କୋ ସିଇଓ ଇନ୍ଦ୍ରା ନୁୟୀ ଏହି ତାଲିକାରେ ୯୧ ତମ ସ୍ଥାନରେ ରହିଛନ୍ତି । ଇନ୍ଦ୍ରାଙ୍କ ମୋଟ ସମ୍ପତ୍ତିର ପରିମାଣ ୨୯୦ ମିଲିୟନ୍ ଡଲାର ରହିଛି । ୧୨ ବର୍ଷ ଧରି ପେପସୀର ସିଇଓ ରହିଥିବା ନୁୟୀ ୨୦୧୮ରେ ନିଜ ପଦରୁ ଓହରିଥିଲେ । ନୁୟୀଙ୍କ କାର୍ଯ୍ୟକାଳରେ ପେପସୀର ବିକ୍ରି ଦୁଇଗୁଣ ହେବା ସହିତ ଏହା ୬୫ ବିଲିୟନ ଡଲାରରେ ପହଞ୍ଚିଥିଲା । ୨୦୧୯ ପରଠାରୁ ସେ ଆମାଜନ ବୋର୍ଡରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.