ହର୍ମୁଜ ପ୍ରଣାଳୀରେ ଆକାଶ ମାର୍ଗରୁ ଭୟଙ୍କର ଆକ୍ରମଣ; ତେଲ ଟ୍ୟାଙ୍କର ଧ୍ୱଂସ!

ହର୍ମୁଜ ପ୍ରଣାଳୀରେ ପ୍ରୋଜେକ୍ଟାଇଲ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ୟାଙ୍କରରେ ଥିବା ୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି

ମସ୍କଟ୍‌: ଇରାନ୍ ହର୍ମୁଜ ପ୍ରଣାଳୀରେ ପୁଣି ଅଶାନ୍ତ! କୁଏତ ପତାକା ଲାଗିଥିବା ତେଲ ଟ୍ୟାଙ୍କର ‘ଏମ୍‌ଟି କାଜିମାହ୍‌-୩’ ଉପରେ ହୋଇଛି ଆକାଶମାର୍ଗରୁ ଆକ୍ରମଣ। ଏହି ଆକ୍ରମଣରେ ଜାହାଜରେ ବ୍ୟାପକ କ୍ଷତି ହୋଇଛି। ହେଲେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଓମାନରେ ଥିବା ଭାରତୀୟ ଦୂତାବାସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ତେବେ ଜାହାଜ ଉପରେ ଆକ୍ରମଣ କିଏ କରିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଓମାନରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଏହି ଉଦ୍ଧାର ଅଭିଯାନ ସମ୍ପର୍କରେ ସୂଚନା ଦେଇଛି। ହର୍ମୁଜ ପ୍ରଣାଳୀରେ ପ୍ରୋଜେକ୍ଟାଇଲ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ୟାଙ୍କରରେ ଥିବା ୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଏହି କାର୍ଯ୍ୟରେ ସହଯୋଗ ଓ ସହାୟତା ପାଇଁ ଓମାନ କର୍ତ୍ତୃପକ୍ଷଙ୍କୁ ଭାରତୀୟ ଦୂତାବାସ ଧନ୍ୟବାଦ ଜଣାଇଛି।

ତେବେ ଏହି ଘଟଣା ପ୍ରଥମ ନୁହେଁ। ଗତ ମାସରେ ଓମାନର ପୂର୍ବ ଉପକୂଳ ନିକଟରେ ବାଣିଜ୍ୟିକ ଜାହାଜ ‘ଏମ୍‌ଭି କ୍ୟାପ୍ ଡିଓ’ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିବା ସହ ମୃତ ନାବିକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ହର୍ମୁଜ୍ ପ୍ରଣାଳୀ ଦେଇ ଅନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜ ଚଳାଚଳ କରୁଥିବାରୁ ଏହି ଅଞ୍ଚଳରେ ଲଗାତାର ଆକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବାଣିଜ୍ୟିକ ଜାହାଜ, ନାବିକ ଓ ସାଧାରଣ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯିବା ବନ୍ଦ ହେବା ଉଚିତ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଏଥିସହ ଅଞ୍ଚଳରେ ଉତ୍ତେଜନା ହ୍ରାସ, ଶାନ୍ତି ପ୍ରତିଷ୍ଠା ଏବଂ ଅନ୍ତର୍ଜାତୀୟ ଜଳପଥରେ ନିରବଚ୍ଛିନ୍ନ ଜାହାଜ ଚଳାଚଳ ପାଇଁ ଆଲୋଚନା ଓ କୂଟନୀତି ଉପରେ ଭାରତ ଗୁରୁତ୍ୱ ଦେଇଛି।

ଗୋଟିଏ ପଟେ ଜାହାଜ ଉପରେ ଆକ୍ରମଣ ଓ ଅନ୍ୟପଟେ ନାବିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟରେ ୫ ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଏକ ଆଶ୍ୱସ୍ତି ଆଣିଛି। ତେବେ ଆକ୍ରମଣ ପଛର ପ୍ରକୃତ କାରଣ ଓ ଦାୟୀ ପକ୍ଷଙ୍କ ପରିଚୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।