ପାକିସ୍ତାନରେ ଆତ୍ମଘାତି ମାନବବୋମା ବିସ୍ଫୋରଣରେ ୧୪ ମୃତ
ପାକିସ୍ତାନର ଖାଇବରରେ ଶାନ୍ତି ଶୋଭାଯାତ୍ର ଚାଲିଥିବା ସମୟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ରବିବାର ଏକ ଶାନ୍ତି ଶୋଭାଯାତ୍ରାକୁ ଟାର୍ଗେଟ୍ କରି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ସମୁଦାୟ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।
ସ୍ୱାତ ଜିଲ୍ଲାର କବାଲ ସହରରେ ଚାଲିଥିବା ଏହି ଶାନ୍ତି ରାଲି ସମୟରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ନିକଟସ୍ଥ ପୋଲିସ ଷ୍ଟେସନ୍ରେ ପଶିବାକୁ ଉଦ୍ୟମ କରିଥିଲା। ମାତ୍ର ମୁଖ୍ୟ ଗେଟ୍ରେ ପୋଲିସ କର୍ମୀମାନେ ତାକୁ ଅଟକାଇବାରୁ ସେ ନିଜ ଦେହରେ ଥିବା ବିସ୍ଫୋରକକୁ ଫୁଟାଇ ଦେଇଥିଲା। ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ପଠାଇଛନ୍ତି ଏବଂ ସମଗ୍ର ଅଞ୍ଚଳକୁ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।
ସ୍ଥାନୀୟ ଆଦିବାସୀ ପରିଷଦ ‘ସ୍ୱାତ ଅମନ ଜିର୍ଗା’ ପକ୍ଷରୁ ଏହି ଶାନ୍ତି ରାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଲୋକମାନେ ହାତରେ ପ୍ଲାକାର୍ଡ ଧରି ଶାନ୍ତି ପାଇଁ ନାରା ଦେଉଥିଲେ। ଆତଙ୍କବାଦୀ ଆକ୍ରମଣ ପାଇଁ କୌଣସି ସଂଗଠନ ଏଯାଏଁ ଦାୟୀ ନେଇ ନଥିଲେ ହେଁ, ଏହା ପଛରେ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ହାତଥିବା ସନ୍ଦେହ କରାଯାଉଛି। ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ କାରଣରୁ ଏପର୍ଯ୍ୟନ୍ତ ଶହ ଶହ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକ ଜୀବନ ହରାଇସାରିଛନ୍ତି।
Uttarakhand Govt.
TTP କାର୍ଯ୍ୟକଳାପକୁ ନେଇ ପାକିସ୍ତାନ ଓ ପଡ଼ୋଶୀ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିଛି। ଇସଲାମାବାଦ ଅଭିଯୋଗ କରୁଛି ଯେ, ଆଫଗାନିସ୍ତାନ ସରକାର ଆତଙ୍କୀମାନଙ୍କୁ ଆଶ୍ରୟ ଦେଉଛି। ତେବେ ଆଫଗାନିସ୍ତାନର ତାଲିବାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛି।
ଏହା ସତ୍ତ୍ୱେ ପାକିସ୍ତାନ ଆଫଗାନିସ୍ତାନରେ ଥିବା TTP ଠିକଣାକୁ ଟାର୍ଗେଟ୍ କରି ଅନେକ ଥର ଏୟାର୍ ଷ୍ଟ୍ରାଇକ୍ କରିଛି। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରିଛି। ବର୍ତ୍ତମାନ ପରିସ୍ଥିତି ତୀବ୍ର ରହିଥିବା ବେଳେ ଆଫଗାନିସ୍ତାନ ବିବାଦ ସମାଧାନ ପାଇଁ ପାକିସ୍ତାନ ସହ ଆଲୋଚନା ପାଇଁ ଆହ୍ୱାନ କରିଛି।
ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ପାକିସ୍ତାନର କିଛି ନୀତି ଆଫଗାନ ବ୍ୟବସାୟୀଙ୍କ ପାଇଁ ବାଧା ସୃଷ୍ଟି କରୁଛି, ଯାହା ଦୁଇ ଦେଶର ସମ୍ପର୍କରେ ତିକ୍ତତା ବଢ଼ାଇଛି। କିନ୍ତୁ ଏହି ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ସେମାନେ ଚାହୁଁଛନ୍ତି। ତେବେ ତାଲିବାନର ଆଲୋଚନା ପ୍ରସ୍ତାବ ଉପରେ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।

