ସିଲିଣ୍ଡର ବିସ୍ଫୋରଣ ନେଲା କୁନି ଝିଅର ଜୀବନ

ଓଡ଼ିଶାର ଯାଜପୁର ଜିଲ୍ଲା ଆରବଳା ଗାଁରେ ରବିବାର ସକାଳେ ଗ୍ୟାସ୍‌ ପାଇପ୍‌ ଲିକ୍‌ ହୋଇ ନିଆଁ ଲାଗିଯିବାରୁ ଜଣେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ଶିଶୁର ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି।

ଯାଜପୁର: ଯାଜପୁର ଜିଲ୍ଲା ଆରବଳା ଗାଁରେ ରବିବାର ସକାଳେ ଗ୍ୟାସ୍‌ ପାଇପ୍‌ ଲିକ୍‌ ହୋଇ ନିଆଁ ଲାଗିଯିବାରୁ ଏକ ଦୁଃଖଦ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ବର୍ଷର ଶିଶୁକନ୍ୟା ମମାଳି ମଲିକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି। ଏଥିସହ ତାଙ୍କ ଦାଦା ଉତ୍ତମ ମଲିକ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ ସମୟରେ ଅଭିରାମ ମଲିକ (୪୦)ଙ୍କ ପତ୍ନୀ ତିଲୋତ୍ତମା ମଲିକ (୩୫) ଘରେ ଜଳଖିଆ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ପାଇପ୍‌ ଫାଟିଯିବାରୁ ଘରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ଏଥିରେ ପରିବାରର ଅନେକ ସଦସ୍ୟ ଆହତ ହୋଇଥିଲେ।

ଘଟଣା ପରେ ଆହତମାନଙ୍କୁ ମମାଳିଙ୍କ ସହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମମାଳିଙ୍କୁ ସ୍ଵାସ୍ଥବସ୍ଥା ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ଅଭିରାମ ଓ ତିଲୋତ୍ତମା ଗୁରୁତର ଆହତ ହୋଇଥିବାବେଳେ ୫୦ ବର୍ଷୀୟ ଉତ୍ତମ ମଲିକ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଅଗ୍ନିଶମ ବାହିନୀ ଓ କୋଟପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।