ଆସିଲା ପେଟ୍ରୋଲର ବିକଳ୍ପ: ବଜାରକୁ ଆସୁଛି E-85 ଇନ୍ଧନ!

କମିବ ପେଟ୍ରୋଲ ଉପରେ ନିର୍ଭରତା

ଭାରତରେ ପେଟ୍ରୋଲ ଉପରେ ନିର୍ଭରତା କମିବ। କାରଣ କେନ୍ଦ୍ର ସରକାର E-20 ପରି E-85 ଇନ୍ଧନ ଆଣିବାକୁ ଯାଉଛନ୍ତି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ଏହି ଇନ୍ଧନକୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଦୀର୍ଘ ସମୟ ଧରି ବିଚାର ବିମର୍ଶ ହୋଇଥିଲା। ଇଥେନଲକୁ ସୁହାଇଲା ଭଳି ଇଞ୍ଜିନ ତିଆରି କରିବା ପାଇଁ ଗାଡ଼ି ନିର୍ମାତାମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

୨୦୨୫ ମସିହାରେ ସରକାର ୨୦ ପ୍ରତିଶତ ଇଥେନଲ ବ୍ଲେଡ଼ିଂ(E-20) ନିୟମ ସମଗ୍ର ଦେଶରେ ଲାଗୁ କରିଥିଲେ। ସେତେବେଳେ ବହୁ ଗାଡ଼ି ଚାଳକ ଏହାକୁ ବିରୋଧ କରିଥିଲେ। ଏହାଦ୍ୱାରା ଗାଡ଼ିର ମାଇଲେଜ କମିବା ସହିତ ଇଞ୍ଜିନରେ ସମସ୍ୟା ଦେଖାଦେଉଥିଲା। ତଥାପି ସରକାର E-20 ଇନ୍ଧନ ପ୍ରଚଳନ କରିଥିଲେ। ବର୍ତ୍ତମାନ ସମଗ୍ର ଦେଶରେ ଚାଲୁଥିବା ଗାଡ଼ି ଗୁଡ଼ିକ E-20 ଇନ୍ଧନରେ ଚାଲୁଛି। ଏବେ ସରକାର ଆଉ ପାଦେ ଆଗକୁ ଯିବା ପାଇଁ ଯୋଜନା କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ E-20 ଅପୂର୍ବ ସଫଳତା ପରେ ସରକାର ଏବେ E-85 ଇନ୍ଧନ ଉପରେ କାମ ଆରମ୍ଭ କରୁଛନ୍ତି। ଏଥିପାଇଁ Flexible Fuel Vehicles(FFVs) ଇଞ୍ଜିନ ଆବଶ୍ୟକ ରହିଛି। ଋ-୮୫ ଇନ୍ଧନ ପଡ଼ିଲେ ଯେପରି ଇଞ୍ଜିନରେ କୌଣସି ସମସ୍ୟା ହେବ ନାହିଁ ଓ ଗାଡ଼ି ଅତି ସ୍ମୋଥରେ ଆଗକୁ ବଢ଼ିପାରିବ ଏବଂ ଭଲ ମାଇଲେଜ ଦେଖାଇବ, ତାହା ଉପରେ କାମ ଚାଲିଛି।
ସଡ଼କରେ କେବେ ଦୌଡ଼ିବ ଏହି ଗାଡ଼ି?

E-85 ଇନ୍ଧନକୁ କିପରି କାର୍ଯ୍ୟକାରୀ କରାଯିବ, ତାହା ଉପରେ କେନ୍ଦ୍ରୀୟ ପେଟ୍ରୋଲିୟମ୍ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି E-85 ଇନ୍ଧନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଯେଉଁଥିରେ ଇନ୍ଧନ ବିତରଣ କମ୍ପାନୀର ଅଧିକାରୀ(OMCs), ଅଟୋ ମୋବାଇଲ କମ୍ପାନୀର କର୍ମକର୍ତ୍ତା ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଥିଲେ।

ଦୀର୍ଘ ସମୟ ଧରି ଚାଲିଥିବା ବିଚାର ବିମର୍ଶର ରିପୋର୍ଟ ସମ୍ପର୍କରେ ସରକାରୀ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀ, ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ସ ମାନ୍ୟୁଫ୍ୟାକ୍‌ଚର (SIAM) ବରିଷ୍ଠ ଅଧିକାରୀଙ୍କୁ ଅର୍ପଣ କରାଯିବ। ସେମାନଙ୍କ ସହିତ ଆଲୋଚନା କରାଯିବ। ଯଦି ଆଲୋଚନା ସଫଳ ହୁଏ, ତାହାହେଲେ ସମଗ୍ର ଦେଶରେ ଲାଗୁ ହେବ। ଏହାକୁ ପେଟ୍ରେଲର ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ।