fbpx

ଭସା ଜଙ୍ଗଲ ପାଲଟିଛି ୧୦୨ ବର୍ଷର ଜାହାଜ, ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ

ସିଡନୀ : ପୁରୁଣା ଓ ପରିତ୍ୟକ୍ତ ସାମଗ୍ରୀ ଦେଖିବା ମାତ୍ରେ ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଥାଏ, ସେମାନେ ଅନ୍ତତଃ ଜୀବନରେ ଥରେ ଅଷ୍ଟ୍ରେଲିଆର ସିଡନୀ ନିକଟ ହୋମ୍‌ବୁସ୍‌ ଉପସାଗର ବୁଲି ଆସିବା ଦରକାର । ସେଠା ଉପକୂଳରେ ବିଂଶ ଶତାବ୍ଦୀରେ କାର୍ଯ୍ୟକ୍ଷମ ଥିବା ଅନେକ ପାଣିଜାହାଜ ଏବେ ଅବ୍ୟବହୃତ ଓ ପରିତ୍ୟକ୍ତ ଅବସ୍ଥାରେ ଠୁଳ ହୋଇ ରହିଛି । ସେମାନଙ୍କ ଭିତରେ ରହିଥିବା ‘ଏସ୍‌ଏସ୍‌ ଆୟାରଫିଲ୍‌ଡ’ ନାମକ ୧୦୨ ବର୍ଷର ଜାହାଜଟି ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି । ଏହାର କଳଙ୍କିଲଗା ପୃଷ୍ଠଦେଶରେ ବିଭିନ୍ନ ବୃକ୍ଷରାଜିର ସମାହାର ପର୍ଯ୍ୟଟକଙ୍କ ମନରେ ଏକ ଭାସମନ ଜଙ୍ଗଲର ଭ୍ରମ ଆଣିଥାଏ । ୧,୧୪୦ ଟନ୍‌ ଓଜନର ଏହି ପରିହାର୍ଯ୍ୟ ଜାହାଜଟି ମଧ୍ୟ ସ୍ଥାନୀୟ ଲୋକଙ୍କ ଭିତରେ ‘ଭସା ଜଙ୍ଗଲ’ ଭାବେ ପରିଚିତ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ଜାହାଜଟି ପ୍ରଶାନ୍ତ ମହାସାଗରରେ ଡେରା ପକାଇଥିବା ଆମେରିକୀୟ ସୈନିକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପରିବହନ କରିବାକୁ ନିଉକ୍ୟାସଲ ଓ ସିଡନୀ ମଧ୍ୟରେ ଯାତ୍ରା କରୁଥିଲା । ୧୯୭୨ ମସିହାରେ ଏହା ଅବସର ନେବା ସହ ତାହାକୁ ଭାଙ୍ଗି କବାଡ଼ି ସାମଗ୍ରୀରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ମାତ୍ର କୌଣସି କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ଏବଂ ହୋମ୍‌ବୁସ୍‌ ଉପକୂଳ ମଧ୍ୟ ଆଉ ଜାହାଜର ଧ୍ୱଂସସ୍ଥାନ ହୋଇ ରହିଲା ନାହିଁ । ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ୟବହୃତ ଅନେକ ଜାହାଜ ସମୁଦ୍ର କୂଳରେ ପଡ଼ି ରହି ପ୍ରକୃତିରେ ବିଲୀନ ହେବାକୁ ଅପେକ୍ଷା କରିଛନ୍ତି । ତେବେ କାଳକ୍ରମେ ‘ଏସ୍‌ଏସ୍‌ ଆୟାରଫିଲ୍‌ଡ’ରେ ଆପଣା ଛାଏଁ ବିକଶିତ ହୋଇଥିବା ବୃକ୍ଷରାଜି ଅପରୂ ପ୍ରାକୃତିକ ସୌନ୍ଦର୍ଯ୍ୟ ବହନ କରିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ନିଆରା ଭସା ଜଙ୍ଗଲ ପାଲଟିଛି ।

Get real time updates directly on you device, subscribe now.