ଚଉଠି ପାଇଁ ସଜାଇ ହୋଇଛି ଟ୍ରେନ୍ ବଗି; ହେଲା ବଡ଼ କାର୍ଯ୍ୟାନୁଷ୍ଠାନ, ଦେଖନ୍ତୁ ଭିଡିଓ

କ୍ୟାବିନ ଭିତରେ ଜଳୁଥିଲା ଚିକ୍‌ମିଚକ୍ ଲାଇଟ। ତଳେ ଗୋଲାପ ଫୁଲର ପାଖୁଡ଼ା ବିଛା ଯାଇଛି। ବଗିର କାନ୍ଥରେ ରଙ୍ଗ ବେରଙ୍ଗର ବେଲୁନ ଝୁଲୁଛି

ନୂଆଦିଲ୍ଲୀ: ତଳେ ଗୋଲାପ ଫୁଲର ପାଖୁଡ଼ା ବିଛା ଯାଇଛି। ଟଙ୍ଗା ଯାଇଛି ରଙ୍ଗ ବେରଙ୍ଗର ବେଲୁନ। ବିଛା ଯାଇଥିବା ବେଡ୍‌ରେ ପଡ଼ିଛି ଗୋଲାପ ଫୁଲ। ଆଉ ଲେଖାଯାଇଛି ଆଇ ଲଭ୍ ୟୁ…। ଭାବୁଥିବା ଏପରି ସାଜସଜ୍ଜା କୌଣସି ନବବିବାହିତଙ୍କ ହନିମୁନ୍ ବେଡ଼। ନା ଆଜ୍ଞ, ସେମିତି ଭାବିବା ସମ୍ପୂର୍ଣ୍ଣ ଭୁଲ କଥା। ହନିମୁନର ଭ୍ରମ ସୃଷ୍ଟି କରୁଥିବା ଏପରି ସାଜସଜ୍ଜା ଭାରତୀୟ ରେଳର ଏକ ପ୍ରଥମ ଶ୍ରେଣୀ ଏସି ବଗିରେ ହୋଇଛି। ଯାହାର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ତତ୍ପର ହୋଇଛି ରେଳ ବିଭାଗ।

ତା’ହେଲେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ଗତ ୭ ତାରିଖରେ ସୋସିଆଲ ମିଡିଆ ‘ଏକ୍ସ’ରେ କେତେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଭାରତୀୟ ରେଳର ସବୁ ସୁରକ୍ଷିତ ପ୍ରଥମ ଶ୍ରେଣୀର ଗୋଟିଏ ଏସି କୋଚର ଏକ କ୍ୟାବିନ୍‌କୁ ବଧୂ ବେଶରେ ସଜାଇ ଦିଆଯାଇଥିଲା।

କ୍ୟାବିନ ଭିତରେ ଜଳୁଥିଲା ଚିକ୍‌ମିଚକ୍ ଲାଇଟ। ତଳେ ଗୋଲାପ ଫୁଲର ପାଖୁଡ଼ା ବିଛା ଯାଇଛି। ବଗିର କାନ୍ଥରେ ରଙ୍ଗ ବେରଙ୍ଗର ବେଲୁନ ଝୁଲୁଛି। ତା’ସହ ‘ଆଇ ଲଭ୍ ୟୁ’ ଲେଖାଥିବା ବ୍ୟାନର ମଧ୍ୟ ଝୁଲୁଛି। ସବୁଠାରୁ ମଜାଦାର କଥା ହେଉଛି ହନିମୋନ ବେଡ଼ ବିଛା ଯାଇଥିଲା। ଯେଉଁ ବେଡ଼ରେ ଧଳା ଚଦର ପଡ଼ିଥିଲା। ସେହି ଚଦର ଉପରେ ଗୋଲାପ ଫୁଲର ପାଙ୍ଖୁଡ଼ା ପଡ଼ିଥିବା ଦେଖିବାକୁ ମିଳିଥିଲା।

ଟ୍ରେନ୍‌ରେ ହନିମୁନ୍ ବେଡ଼ ସଜା ଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଳ ବିଭାଗ ତତ୍ପର ହୋଇଥିଲା। ଯାଞ୍ଚ କରିବାରୁ ଜଣାପଡ଼ିଛି ଏଥିପାଇଁ ରେଳ ବିଭାଗ ପାଖରୁ କୌଣସି ଅନୁମତି ନିଆଯାଇ ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗ। ମିଳିଥିବା ସୂଚନା ଅନୁସାରେ ରେଳ ବିଭାଗ ଟ୍ରେନ୍‌ର ଟିସିଙ୍କୁ ସସ୍‌ପେଣ୍ଡ କରିଛି। ଏଥିସହ ଡେକୋରେଟର୍ ଉପରେ ମାମଲା ରୁଜୁ ହୋଇଛି। ପୂରା ଘଟଣାର ତଦନ୍ତ ଚଳାଇଛି ରେଳ ବିଭାଗ।

ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ ଏହା କେବଳ ଫୁଲ ଓ ବେଲୁନର ମାମଲା ନୁହେଁ। ଅସଲ ଚିନ୍ତାର ବିଷୟ ହେଉଛି ଯଦି କୌଣସି ବାହାର ବ୍ୟକ୍ତି ବିନା ଅନୁମତିରେ ପ୍ରଥମ ଶ୍ରେଣୀ ଏସି କୋଚ ପର‌୍ୟ୍ୟନ୍ତ ପହଞ୍ଚି ପାରୁଛି, ତାହାହେଲେ ଏହା ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।

ସେଥିପାଇଁ ସମଗ୍ର ଘଟଣାକୁ କେବଳ ଅନୁଶାସନହୀନତା ଭାବେ ନୁହେଁ, ବରଂ ସୁରକ୍ଷା ତ୍ରୁଟି ଭାବେ ମଧ୍ୟ ଦେଖାଯାଉଛି। ଯାତ୍ରୀଙ୍କ ସୁରକ୍ଷା ସହ ଜଡ଼ିତ ମାମଲାରେ କୌଣସି ପ୍ରକାର ଅବହେଳାର ବରଦାସ୍ତ କରାଯିବ ନାହିଁ। ତଦନ୍ତ ରିପୋର୍ଟ ଆଧାରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ଆଲୋଚନା ସୃଷ୍ଟି ହୋଇଛି। କେତେକ ଲୋକ ଏହାକୁ ଦମ୍ପତିଙ୍କ ବ୍ୟକ୍ତିଗତ ସର୍ପ୍ରାଇଜ ବୋଲି କହୁଛନ୍ତି ତ ଆଉ କେତେକ କହିଛନ୍ତି ଯଦି ରେଳବାଇ ନିୟମର ଉଲ୍ଲଂଘନ ହୋଇଛି, ତେବେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।