ବିମାନ କକ୍‌ପିଟ୍‌ରେ କେମିତି ହୋଇଥିଲା ଆକ୍ରମଣ? ଛାତିଥରା କଳା କାହାଣୀ ବଖାଣିଲେ ସ୍ମିତ

ଇସ୍ରାଏଲ୍ ଅଭିମୁଖେ ଯାଡ଼ିବା ଆରମ୍ଭ କରିଥିଲା ‘ଫ୍ଲାଇଦୁବାଇ’ ବିମାନ। ଆଉ ବିମାନ ଚଳାଇବା ଦାୟିତ୍ୱରେ ଥିଲେ ପାଇଲଟ୍ କ୍ୟାପ୍‌ଟେନ୍ ସ୍ମିତ ମଚ୍ଛର। ଆକାଶରେ ବିମାନ ଉଡ଼ିବା ବେଳେ ସବୁକିଛି ଠିକ୍‌ଠାକ୍ ଥିଲା

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିଲା ବିମାନ। ସବୁକିଛି ସ୍ୱାଭାବିକ ଥିଲା। କିନ୍ତୁ ହଠାତ୍ କକ୍‌ପିଟ୍ ଭିତରେ ଆରମ୍ଭ ହେଲା ଏମିତି ଏକ ସଂଘର୍ଷ, ଯାହା କେବଳ ଜଣେ ପାଇଲଟଙ୍କ ନୁହେଁ, ବରଂ ୧୭୪ ଜଣ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଦେଇଥିଲା। ମୁଣ୍ଡରେ ଲଗାତାର ଆଘାତ, ଆଖି ସାମ୍ନାରେ ଧୁଆଁଳିଆ ଦୃଶ୍ୟ, ତଳକୁ ଖସୁଥିବା ବିମାନ ଓ ଚାରିଆଡ଼େ ଯାତ୍ରୀଙ୍କ ଚିତ୍କାର ଭିତରେ ହାର ମାନିନଥିଲେ ଫ୍ଲାଇଦୁବାଇର କ୍ୟାପ୍‌ଟେନ୍ ସ୍ମିତ ମଚ୍ଛର। ସବୁ ଯନ୍ତ୍ରଣାକୁ ସହ୍ୟକରି ବିମାନକୁ ସୁରକ୍ଷିତ ରଖିଥିଲେ। ଆଉ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।

ଇସ୍ରାଏଲ୍ ଅଭିମୁଖେ ଯାଡ଼ିବା ଆରମ୍ଭ କରିଥିଲା ‘ଫ୍ଲାଇଦୁବାଇ’ ବିମାନ। ଆଉ ବିମାନ ଚଳାଇବା ଦାୟିତ୍ୱରେ ଥିଲେ ପାଇଲଟ୍ କ୍ୟାପ୍‌ଟେନ୍ ସ୍ମିତ ମଚ୍ଛର। ଆକାଶରେ ବିମାନ ଉଡ଼ିବା ବେଳେ ସବୁକିଛି ଠିକ୍‌ଠାକ୍ ଥିଲା। କୋ-ପାଇଲଟ୍ ନମାଜ ପଢ଼ିବାକୁ ଆରମ୍ଭ କରିଥିଲେ। ତେଣୁ ତାଙ୍କୁ ସମ୍ମାନ ଜଣାଇ ସ୍ମିତ ଆଗକୁ ଦେଖିଲେ। କୋ-ପାଇଲଟ୍ ନମାଜ ପଢ଼ିବାର କେଇ ମିନିଟ୍ ପରେ ହଠାତ୍ ମଚ୍ଛରଙ୍କ ମୁଣ୍ଡକୁ ପଛପଟେ ଜୋରଦାର ଆକ୍ରମଣ କରିଥିଲା।

ଆକ୍ରମଣ ପରେ ମଚ୍ଛର ପ୍ରଥମେ କିଛି ବୁଝି ପାରିନଥିଲେ। ତା’ପରେ କୋ-ପାଇଲଟ୍ ପୁଣି ଥରେ ଆକ୍ରମଣ କରିଥିଲେ। ସେତେବେଳେ ତାଙ୍କୁ ବିମାନ ସାମ୍ନାରେ କେବଳ ଧୁଆଁଳିଆ ଦେଖାଯାଇଥିଲା। ତଥାପି ସେ ଜୋରଦାର ବିରୋଧ କରିଥିଲେ। ବିମାନକୁ ସମ୍ଭାଳିବା ଓ ଆକ୍ରମଣରୁ ବର୍ତ୍ତିବା ଦୁଇଟି ଘଟଣା କଷ୍ଟକର ହୋଇପଡ଼ିଥିଲା। ତଥାପି ହାର ମାନିନଥିଲେ। ବିମାନକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଠିକ୍ ବିମାନ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲା।

ସ୍ମିତ କହିଛନ୍ତି, ମୁଁ ପ୍ରଥମେ କକ୍‌ପିଟ୍ ଦ୍ୱାର ଖୋଲିଦେଲି। ହେଲେ କକ୍‌ପିଟ୍ ଦ୍ୱାର ବନ୍ଦ ହୋଇଯାଇଥିଲା। ତଳେ ପଡ଼ି ଯାଇଥିଲି। ବିମାନର ଗର୍ଜନ ସହ ଯାତ୍ରୀଙ୍କ ଚିତ୍କାର ମୋ’ କାନରେ ପଡ଼ୁଥିଲା। ସେହି ମୁହୂର୍ତ୍ତରେ ମୁଁ ବୁଝିଥିଲି, ଏବେ ଯାହା କରିବାର ଅଛି, ତାହା ହେବ ଶେଷ ସୁଯୋଗ। ରକ୍ତାକ୍ତ ଓ ଅସହ୍ୟ ଯନ୍ତ୍ରଣା ଭିତରେ ପୁଣି ଥରେ କକ୍‌ପିଟ୍ ଦ୍ୱାର ଖୋଲିବାରେ ସଫଳ ହେଲି। ଏଥର କକ୍‌ପିଟ୍ ବାହାରେ ଥିବା ଲୋକମାନେ ନିୟନ୍ତ୍ରଣ ନେବାକୁ ଆଗେଇ ଆସିଥିଲେ ବୋଲି ସ୍ମିତ କହିଛନ୍ତି।

କୋ-ପାଇଲଟ୍‌ଙ୍କ ଆକ୍ରମଣ ଭିତରେ ଫ୍ଲାଇଟ୍ FZ1073 ଜରୁରୀ ସଙ୍କେତ ପଠାଇଥିଲେ ମଚ୍ଛର। ସେତେବେଳେ ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ। ଯେଉଁଥିରେ ୨୭ ଜଣ ଶିଶୁ ଥିଲେ। ଶେଷରେ ବିମାନଟି ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଅବତରଣ କରାଯାଇଥିଲା।

ଘଟଣା ପରେ ରକ୍ତାକ୍ତ ଅବସ୍ଥାରେ ସ୍ମିତଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଇହୋଇ ଯାଇଥିଲା। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହାକୁ ଆତଙ୍କବାଦୀ କାର‌୍ୟ୍ୟ ଭାବେ ତଦନ୍ତ କରୁଥିବା କୁହାଯାଇଛି। କୋ-ପାଇଲଟ୍ ହମାମ ଅଲ-ହମ୍ମାମିଙ୍କ ବିରୋଧରେ କ୍ରାଶ ଆକ୍ସ ଦ୍ୱାରା ଆକ୍ରମଣ ଓ ବିମାନର ନିୟନ୍ତ୍ରଣ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ମୁମ୍ବାଇର ଘାଟକୋପର ମୂଳ ବାସିନ୍ଦା ସ୍ମିତ ମଚ୍ଛରଙ୍କର ୧୩ ବର୍ଷରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି। ସେ ୯,୫୦୦ରୁ ଅଧିକ ଫ୍ଲାଇଟ୍ ଘଣ୍ଟା ପୂରଣ କରିଛନ୍ତି। ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍ କରି ପ୍ରଶଂସା କରିଛନ୍ତି। ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସ୍ମିତ। ଶରୀରରେ ଆଘାତର ଚିହ୍ନ ଥିଲେ ମଧ୍ୟ ତାଙ୍କ ନିଷ୍ପତ୍ତି ଏବେ ୧୭୪ ଜଣ ଯାତ୍ରୀଙ୍କ ପାଇଁ ଏକ ଆଶ୍ୱାସନର କାହାଣୀ ହୋଇଛି। ଆକାଶରେ କିଛି ମୁହୂର୍ତ୍ତର ସେହି ଲଢ଼େଇ ହୁଏତ ତାଙ୍କ ଜୀବନର ସବୁଠୁ କଷ୍ଟକର ପରୀକ୍ଷା ଥିଲା, କିନ୍ତୁ ସେହି ସମୟରେ ଜଣେ ପାଇଲଟଙ୍କ ଦାୟିତ୍ୱବୋଧ ତାଙ୍କୁ ପଛକୁ ହଟିବାକୁ ଦେଇନଥିଲା।