ଲୁହରେ ଭିଜିଲା ଖେଳ ଦୁନିଆ, ମ୍ୟାଚ ବେଳେ ଧକ୍କା ଖାଇ ପଡ଼ିଗଲେ ଖେଳାଳି, ଚାଲିଗଲା ଜୀବନ
ଫୁଟବଲ୍ ଜଗତରେ ଶୋକର ଛାୟା: ଗୋଲକିପରଙ୍କ ସହ ଧକ୍କା ପରେ ୩୦ ବର୍ଷୀୟ ଷ୍ଟ୍ରାଇକର ଜିସସ୍ ଡି ମିଗୁଏଲଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଖେଳ ଜଗତରେ ଶୋକର ଛାୟା । ମ୍ୟାଚ ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ । ସ୍ପେନିଷ୍ ଫୁଟବଲ୍ ଜଗତରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଗତ ମଙ୍ଗଳବାର ଦିନ ସ୍ପେନ୍ର ‘ଟେନେରିଫ୍’ କ୍ଲବର ଷ୍ଟ୍ରାଇକର ଜିସସ୍ ଡି ମିଗୁଏଲ୍ (Jesus de Miguel) ଗୋଲକିପରଙ୍କ ସହିତ ଭୟଙ୍କର ଭାବେ ଧକ୍କା ହେବା କାରଣରୁ ମୃତ୍ୟୁ ବରଣ କରିଛନ୍ତି।
ଏହି ଦୁର୍ଘଟଣା ଏଫ୍ସି ଆଣ୍ଡୋରା ଏବଂ ଟେନେରିଫ୍ ମଧ୍ୟରେ ଅନୁଷ୍ଠିତ ଏକ ସ୍ପେନିଷ୍ ସେକେଣ୍ଡ୍ ଡିଭିଜନ୍ ମ୍ୟାଚ୍ ସମୟରେ ଘଟିଥିଲା। ଟକ୍କରଟି ଏତେ ଭୟଙ୍କର ଥିଲା ଯେ ୩୦ ବର୍ଷୀୟ ଏହି ପ୍ରତିଭାବାନ ଖେଳାଳି ସାଂଘାତିକ ଭାବେ ଆହତ ହୋଇଥିଲେ।
କ୍ଲବ୍ ପକ୍ଷରୁ ଜାରି ଶୋକବାର୍ତ୍ତା: ଘଟଣାକୁ ନେଇ କ୍ଲବ୍ ପକ୍ଷରୁ ଏକ ମର୍ମସ୍ପର୍ଶୀ ବିବୃତି ଜାରି କରାଯାଇଛି। କ୍ଲବ୍ ପକ୍ଷରୁ କୁହାଯାଇଛି, “ଅତ୍ୟନ୍ତ ଗଭୀର ଦୁଃଖ ଏବଂ ଭାରାକ୍ରାନ୍ତ ହୃଦୟ ସହିତ ସିଡି ଟେନେରିଫ୍ ପକ୍ଷରୁ ଆମେ ସୂଚନା ଦେଉଛୁ ଯେ, ଗତ ମଙ୍ଗଳବାର ନଭେମ୍ବର ୩, ୨୦୨୬ ସକାଳ ୮:୦୦ ଟା ସମୟରେ ଜିସସ୍ ଡି ମିଗୁଏଲ୍ ଆଲାମେଡାଙ୍କ ଦୁଃଖଦ ନିଧନ ହୋଇଯାଇଛି।”
ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେବା ପାଇଁ ଆଜି ଆମ ପାଖରେ କୌଣସି ଶବ୍ଦ ନାହିଁ। ମୃତ ଖେଳାଳିଙ୍କ ପରିବାର ସମସ୍ତଙ୍କଠାରୁ ମିଳିଥିବା ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ଏହି ଅତ୍ୟନ୍ତ କଠିନ ସମୟରେ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେବାକୁ ବିନମ୍ର ଅନୁରୋଧ କରିଛନ୍ତି।
ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଘଟିଥିଲା ଦୁର୍ଘଟଣା: ହେଲିଓଡୋରୋ ରୋଡ୍ରିଗ୍ଜ୍ ଲୋପେଜ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସ୍କୋର ୨-୨ ସ୍ଥିତିରେ ବରାବର ଥିଲା। ମ୍ୟାଚ୍ ଶେଷଆଡ଼କୁ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଘଟଣା ପରେ ତୁରନ୍ତ ମ୍ୟାଚ୍କୁ ରଦ୍ଦ କରିଦିଆଯାଇଥିଲା।
କାର୍ଡିଆକ୍ ଆରେଷ୍ଟ୍ ବନିଲା ଜୀବନ ପ୍ରତି ବିପଦ: ସ୍ପେନିଷ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଧକ୍କା ହେବା ପରେ ଡି ମିଗୁଏଲ୍ଙ୍କୁ କାର୍ଡିଆକ୍ ଆରେଷ୍ଟ୍ ଆସିଥିଲା, ଯାହା ପରେ ଡାକ୍ତରମାନେ ତାଙ୍କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାରରେ ରଖାଯାଇଥିଲା।
ପରେ ଟେନେରିଫ୍ କ୍ଲବ୍ ପକ୍ଷରୁ ଜଣାଇ ଦିଆଯାଇଥିଲା ଯେ ଡି ମିଗୁଏଲ୍ଙ୍କ ସ୍ନାୟୁଗତ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା ଏବଂ ଏହାର କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
୨୦୨୫ରୁ ଟେନେରିଫ୍ ସହିତ ଜଡ଼ିତ ଥିଲେ ଜିସସ୍ ଡି ମିଗୁଏଲ୍: ୨୦୨୫ ମସିହାରେ ‘କ୍ୟାଷ୍ଟେଲୋନ୍’ ଛାଡ଼ି ଟେନେରିଫ୍ କ୍ଲବ୍ରେ ଯୋଗଦେଇଥିଲେ। ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସେ ଏହି କ୍ଲବ୍ର ଅଂଶବିଶେଷ ଥିଲେ ଏବଂ ଟିମକୁ ସେକେଣ୍ଡ୍ ଡିଭିଜନ୍କୁ ପ୍ରମୋଟ୍ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସମଗ୍ର ଫୁଟବଲ୍ ଜଗତରେ ଶୋକର ଛାୟା ଖେଳିଯାଇଛି।


