fbpx

କଶ୍ମୀରକୁ ଭୁଲି ଯାଅ, ଭାରତ ସହ ବନ୍ଧୁତା ସ୍ଥାପନ କର: ପାକିସ୍ତାନକୁ ସିଧାସିଧା କହିଲେ ସାଉଦୀ ଅରବ-UAE

ନୂଆଦିଲ୍ଲୀ: ପାକିସ୍ତାନରେ ବର୍ତ୍ତମାନ ସମୟରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ତେବେ ଏଭଳି ସ୍ଥିତିରେ ପାକିସ୍ତାନର ହାତ ମୁସଲିମ୍ ଦେଶମାନେ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ ପାକିସ୍ତାନର ବନ୍ଧୁ ଭାବେ ସାଥ ଦେଉଥିଲେ, ଏବେ ସେମାନେ ଦୂରେଇ ଯାଉଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ଦୁଇ ମୁସଲିମ ଦେଶ ଦେଇ ସାଉଦୀ ଅରବ ଓ ସଂଯୁକ୍ତ ଅରବ ଅମୀରାତ (ୟୁଏଇ) ।

ଦୁଇ ବଡ଼ ମୁସଲିମ ରାଷ୍ଟ୍ର ସାଉଦୀ ଅରବ ଓ ୟୁଏଇ ପାକିସ୍ତାନକୁ ସିଧାସଳଖ କହିଛନ୍ତି, କଶ୍ମୀରକୁ ଭୁଲିଯାଅ ଓ ଭାରତ ସହିତ ବନ୍ଧୁତା ସ୍ଥାପନ କର । କଶ୍ମୀରରୁ ୩୭୦ ଧାରା ହଟିଯିବା ପରେ ପାକିସ୍ତାନ ଦ୍ୱାରା କରାଯାଉଥିବା ହୋ-ହଲ୍ଲା ନେଇ ଶେହବାଜ ଶରିଫ ସରକାର ଚୁପ୍ ରହିବା ଉଚିତ । ପାକିସ୍ତାନୀ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନ କଶ୍ମୀର ସମସ୍ୟାକୁ ନେଇ ଇସଲାମିକ ଦେଶମାନଙ୍କର ସଂଗଠନ ଓଆଇସିରେ ହୋ-ହଲ୍ଲା କରୁଥିଲା । ଏହି ଓଆଇସି ସଂଗଠନରେ ସଉଦୀ ଅରବ ହେଉଛି ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । କଶ୍ମୀର ପ୍ରସଙ୍ଗରେ ସେ ପାକିସ୍ତାନର ସାଥ ଦେବ ନାହିଁ ବୋଲି ସାଉଦୀ ଅରବ ସ୍ପଷ୍ଟ କରିଦେଇଛି ।

ପାକିସ୍ତାନ ଭାରତ ସହିତ ଶାନ୍ତିର ରାସ୍ତା ଆପଣାଇବା ଉଚିତ ବୋଲି ଏହି ଦୁଇ ରାଷ୍ଟ୍ର କହିଛନ୍ତି । ଏହା ପୂର୍ବରୁ କଶ୍ମୀରକୁ ନେଇ ଭାରତ ସହିତ ବୁଝାମଣା କରିବାକୁ ପାକିସ୍ତାନ ସହମତି ପ୍ରକାଶ କରିଥିଲା । ମାତ୍ର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଚାନକ ଏହି ପ୍ରସଙ୍ଗରେ ପଛକୁ ହଟିଯାଇଥିଲେ । ଏପରିକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଗସ୍ତରେ ଯିବା ନେଇ ସ୍ଥିର ହୋଇଥିଲା । ମାତ୍ର ଇମ୍ରାନ ପଛକୁ ହଟିଯିବାରୁ ଏହା ସମ୍ଭବ ହୋଇପାରିନଥିଲା ବୋଲି ପାକିସ୍ତାନର ପୂର୍ବତନ ଜେନେରାଲ କ୍ୟୁବର ଜାଭେଦ୍ ବାଜୱା କହିଥିଲେ ।

Get real time updates directly on you device, subscribe now.