fbpx

ପୂର୍ବତନ କଂଗ୍ରେସ ବିଧାୟକ ଗିରଫ: SIଙ୍କ ସହ ଦୁର୍ବ୍ୟବହାର ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ପୂର୍ବତନ କଂଗ୍ରେସ ବିଧାୟକ ଗିରଫ ହୋଇଛନ୍ତି । ଦିଲ୍ଲୀ ପୋଲିସର ଜଣେ ସବଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିବା ନେଇ ପୂର୍ବତନ ବିଧାୟକଙ୍କ ନାମରେ ଅଭିଯୋଗ ରହିଥିଲା । ତେବେ ପୋଲିସ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ନିଜ ହେପାଜତକୁ ନେଇଛି । ପୂର୍ବତନ ବିଧାୟକ ଏସଆଇଙ୍କୁ ଗାଳି ଦେଇଥିବା ବେଳେ ତାଙ୍କର ସମର୍ଥକମାନେ ପୋଲିସ କର୍ମୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, ଓଖଳାର ଜାମିଆ ନଗରର ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଜଣେ ଏସଆଇଙ୍କ ସହ ଖରାପ ବ୍ୟବହାର ନେଇ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏସଆଇଙ୍କ ସମେତ ୩ ଜଣ ପୋଲିସ କର୍ମୀ ଶତାଧିକ ଲୋକଙ୍କ ମଧ୍ୟରେ ଫସି ରହିଥିଲେ । ଏହି ସମୟରେ ପୂର୍ବତନ ବିଧାୟକ ଆସିଫ ଲାଉଡ ସ୍ପିକର ମାଧ୍ୟମରେ ପୋଲିସ କର୍ମୀଙ୍କୁ ଧମକ ଦେବା ସହ ଗାଳି ଦେଉଥିବା ଭିଡିଓରେ ଦେଖାଯାଇଥିଲା ।

ଆସିଫ ଶାହୀନବାଗରେ ଏକ ସଭାକୁ ସମ୍ବୋଧିତ କରୁଥିବା ସମୟରେ ନିକଟରେ ଛିଡ଼ା ହୋଇଥିବା ଏସଆଇ ଭାଷଣ ବନ୍ଦ କରିବାକୁ କହିଥିଲେ । ମାତ୍ର ଆସିଫ ଏହାକୁ ଅମାନ୍ୟ କରିବା ସହ ମାଇକରେ ଅପଶବ୍ଦ କହିଥିଲେ । ଆସିଫଙ୍କ ଅନ୍ୟ ସମର୍ଥକମାନେ ମଧ୍ୟ ପୋଲିସ କର୍ମୀଙ୍କୁ ଧମକ ଦେବା ସହ ହାତ ଉଠାଇଥିଲେ । ତେବେ କୌଶଳକ୍ରମେ ସେଠାରୁ ପୋଲିସ କର୍ମୀ ନିଜ ଜୀବନ ବଞ୍ଚାଇ ପଳାଇ ଯାଇଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆସିଫଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଧାରା ୧୮୬, ୩୫୩ରେ ମାମଲା ଦାୟର କରାଯାଇଥିଲା ।

Get real time updates directly on you device, subscribe now.