୪୦ ଲକ୍ଷ ଟଙ୍କା ହେରଫେର ମାମଲାରେ ପୂର୍ବତନ ନିର୍ଦ୍ଦେଶକ ଗିରଫ
୨୦୧୭-୧୮ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ବେଟନୋଟୀ ଲ୍ୟାମ୍ପସିସ ଲିମିଟେଡରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା
ଭୁବନେଶ୍ୱର: ସୋସାଇଟି ପାଣ୍ଠି ଅଡ଼ପ୍ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ। ୪୦ ଲକ୍ଷରୁ ଅଧିକ ଟଙ୍କା ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅଭିଯୋଗ ଅନୁସାରେ ଶ୍ରୀ ଦାସ ଚାଷୀଙ୍କଠାରୁ ଆଦାୟ କରିଥିବା ରାଜସ୍ୱକୁ ଅଫିସ୍ରେ ଜମା କରିବା ପରିବର୍ତ୍ତେ ନିଜ ବ୍ୟବସାୟରେ ନିବେଶ କରିଥିଲେ।
୨୦୧୭-୧୮ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ବେଟନୋଟୀ ଲ୍ୟାମ୍ପସିସ ଲିମିଟେଡରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ସେତେବେଳେ ହିମାଂଶୁ ଦାସ ଲ୍ୟାମ୍ପସିସର ପରିଚାଳନା ନିର୍ଦ୍ଦେଶକ ଥିଲେ। ଅଭିଯୋଗ ଅନୁସାରେ ସେ ସ୍ଥାନୀୟ ଚାଷୀଙ୍କଠାରୁ କୃଷି ଓ ଫସଲ ଋଣ ପରିଶୋଧ, ଆବେଦନ ଫର୍ମ ଫି ଏବଂ ପ୍ରଶାସନିକ ଦେୟ ବାବଦକୁ ରାଜସ୍ୱ ଆଦାୟ କରିଥିଲେ।
Uttarakhand Govt.
ଏପରିକି ଚାଷୀମାନଙ୍କୁ ରସିଦ ମଧ୍ୟ ପ୍ରଦାନ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୪୦, ୯୪ ୩୦୬ ଟଙ୍କା ହେବ। ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀ ଦାସ ଆଦାୟ କରିଥିବା ରାଜସ୍ୱକୁ ସୋସାଇଟିର ଆକାଉଣ୍ଟରେ ଜମା କରିବା ପରିବର୍ତ୍ତେ ବ୍ୟକ୍ତିଗତ ବ୍ୟବସାୟରେ ନିବେଶ କରିଥିଲେ।
ଏ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀ ଦାସଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଗିରଫ କରିଛି।

