fbpx

ନାଁ ବଡ, କିନ୍ତୁ… ଧୋନୀଙ୍କ ୱିକେଟ କିପିଙ୍ଗକୁ ନେଇ ଏମିତି କହିଲେ ପୂର୍ବତନ ପାକ୍ ଖେଳାଳି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ବିଷୟରେ ଆଲୋଚନା ହେଲେ ତାଙ୍କ ନାଁ ଖୁବ ଆଗରେ ଆସିଥାଏ । କେବଳ ନେତୃତ୍ୱ ନୁହେଁ ୱିକେଟ କିପିଙ୍ଗରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ୱିକେଟ କିପରମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ରାଶିଦ ଲାତିଫ ଦେଇଛନ୍ତି ଏକ ବଡ ବୟାନ ।

ୱିକେଟ ପଛରେ ଧୋନୀଙ୍କ ରେକର୍ଡ ଏବଂ ସଠିକ ସମୟରେ ସଠିକ ନିଷ୍ପତ୍ତି ତାଙ୍କୁ ଏକ ନୂଆ ପରିଚୟ ଦେଇଛି । କିନ୍ତୁ ରାଶିଦ ଲାତିଫ ଧୋନୀଙ୍କର ଏ ସମସ୍ତ ଗୁଣକୁ ଅଣଦେଖା କରି ଏକ ବୟାନ ଦେଇଛନ୍ତି । ତାଙ୍କର ଏହି ବୟାନ ଯେତିକି ମଜାଦାର, ସେତିକି ଆଶ୍ଚର୍ଯ୍ୟଜନକ । ଧୋନୀଙ୍କ ୱିକେଟ କିପିଙ୍ଗ ଦକ୍ଷତାକୁ ନେଇ ଏକ ବିରାଟ ପ୍ରଶ୍ନ ଉଠାଇଛନ୍ତି ଲାତିଫ । ୱିକେଟ ପଛରେ ଧୋନୀ ଆଶାନୁରୂପ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ପୂର୍ବତନ ପାକ୍ କ୍ରିକେଟର । ତେବେ ଏହି କଥାକୁ ପ୍ରମାଣ କରିବା ପାଇଁ ସେ ଧୋନୀଙ୍କ ରେକର୍ଡକୁ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ୱିକେଟ ପଛରେ ଧୋନୀଙ୍କ ଡ୍ରପିଙ୍ଗ ପ୍ରତିଶତ ଖୁବ ଅଧିକ ରହିଛି ।

ଲାତିଫ ନିଜ ୟୁଟ୍ୟୁବ ଚାନେଲ ମାଧ୍ୟମରେ କହିଛନ୍ତି ଯେ, “ଧୋନୀ ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ ଥିଲେ । ଧୋନୀ ନିଶ୍ଚିତ ରୂପରେ ଏକ ବଡ ନାଁ । କିନ୍ତୁ ଯଦି ରେକର୍ଡକୁ ଦେଖାଯାଏ, ତେବେ ତାଙ୍କର ଡ୍ରପିଙ୍ଗ ପ୍ରତିଶତ ଖୁବ ଅଧିକ ୨୧ ପ୍ରତିଶତ ରହିଛି । ତେବେ ଏହି ତାଲିକାରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଦାମ ଗିଲକ୍ରିଷ୍ଟ ଏବଂ ମାର୍କ ବାଉଚରଙ୍କ କଥା ମଧ୍ୟ କହିଛନ୍ତି ।”

ଗିଲକ୍ରିଷ୍ଟଙ୍କ ଡ୍ରପିଙ୍ଗ ପ୍ରତିଶତ ୧୧ ଥିବା ବେଳେ ମାର୍କ ବାଉଚର ମଧ୍ୟ ଖୁବ ସୁନ୍ଦର ୱିକେଟ କିପିଙ୍ଗର ନମୁନା ଦେଖାଇଥିବା ସେ କହିଛନ୍ତି । ଏହାବ୍ୟତୀତ ସେ ସାଉଥ ଆଫ୍ରିକାର କ୍ୱିଣ୍ଟନ ଡି’ କକଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ରାଶିଦ ଲାତିଫ ।

Get real time updates directly on you device, subscribe now.