fbpx

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଜାଡେଜାଙ୍କ କରୋନାରେ ନିଧନ, କ୍ରିକେଟ୍ ଜଗତ ସ୍ତବ୍ଧ

ରାଜକୋଟ୍ ୧୬ ।୦୫: ପୂରା ଦେଶ କରୋନାର ଦ୍ୱିତୀୟ ଲହରର ମୁକାବିଲା ପାଇଁ ସଂଘର୍ଷ କରୁଛି । ମହାମାରୀରେ ସାଧାରଣ ଜନତାଙ୍କଠୁ ନେଇ ମନୋରଞ୍ଜନଜଗତର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ନିଧନ ଘଟିଲାଣି । ଏବେ କ୍ରୀଡା ଜଗତରୁ ଆସିଛି ବଡ ଖବର । ପୂର୍ବତନ ଭାରତୀୟ ଅଲରାଉଣ୍ଡର ରାଜେନ୍ଦ୍ର ସିଂହ ଜାଡେଜାଙ୍କ କରୋନାରେ ପରଲୋକ ଘଟିଛି । ତାଙ୍କ ନିଧନରେ ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଲହରି ଖେଳି ଯାଇଛି । ସୌରାଷ୍ଟ୍ରର ପୂର୍ବତନ ଦ୍ରୁତ ବୋଲର ତଥା ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ରେଫରୀ ରାଜେନ୍ଦ୍ର ସିଂହ କୋଭିଡ୍‌-୧୯ ସହ ସଂଘର୍ଷ କରି ରବିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୌରାଷ୍ଟ୍ର କ୍ରିକେଟ୍ ସଂଘ(ଏସସିଏ) ରବିବାର ଏହାର ସୂଚନା ଦେଇଛି । ମୃତ୍ୟୁ ବେଳକୁ ଜାଡେଜାଙ୍କୁ ୬୬ ବର୍ଷ ହୋଇଥିଲା ।

ଏସସିଏ ନିଜ ପ୍ରେସ ବିବୃତିରେ କହିଛି ଯେ, ଜାଡେଜାଙ୍କ ଅସମୟ ନିଧନରେ ଏସସିଏ ଦୁଃଖିତ । ସେ ଅତୀତରେ ସୌରାଷ୍ଟ୍ରର ସବୁଠୁ ଦମଦାର କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଥିଲେ । କରୋନା ସହ ସଂଘର୍ଷ କରି ରରିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜାଡେଜା ଦ୍ରୁତ ବୋଲର ସହ ଜଣେ ଭଲ ଅଲରାଉଣ୍ଡର ମଧ୍ୟ ଥିଲେ । ସେ ୫୦ ପ୍ରଥମ ଶ୍ରେଣୀ କ୍ରିକେଟ ଓ ୧୧ ଲିଷ୍ଟ ଏ ମ୍ୟାଚରେ ଯଥାକ୍ରମେ ୧୩୪ ଓ ୧୪ ୱିକେଟ୍ ନେଇଛନ୍ତି । ସେ ଦୁଇଟି ଫର୍ମାଟରେ କ୍ରମଶଃ ୧୫୩୬ ଓ ୧୦୪ ରନ କରିଛନ୍ତି ।

ଜାଡେଜା ୫୩ ପ୍ରଥମ ଶ୍ରେଣୀ, ୧୮ ଲିଷ୍ଟ ଏ ଓ ୨୩ ଟି-୨୦ ମୁକାବିଲାରେ ବିସିସିଆଇର ରେଫରୀ ଥିଲେ । ସେ ସୌରାଷ୍ଟ୍ର କ୍ରିକେଟ୍ ସଂଘର ଚୟନକର୍ତା, କୋଚ୍ ଓ ଟିମ୍ ମ୍ୟାନେଜର ଥିଲେ । ତାଙ୍କ ବିୟୋଗରେ ଅନେକ କ୍ରିକେଟ୍ ଖେଳାଳି ଏବଂ ପୂର୍ବତନ ଖେଳାଳି ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.