ବୋମା ବିସ୍ଫୋରଣ ଘଟଣାରେ TMC ପୂର୍ବତନ ବିଧାୟକ ସୌକତ ମୋଲ୍ଲା ଗିରଫ
ଭାଙ୍ଗର ବୋମା ବିସ୍ଫୋରଣ ମାମଲାରେ ପୂର୍ବତନ ଟିଏମସି ବିଧାୟକ ସୌକତ ମୋଲ୍ଲାଙ୍କ ବ୍ୟତୀତ, NIA ଆଉ ତିନି ଜଣଙ୍କୁ ଗିରଫ କରିଛି। ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ଏହି ଘଟଣା ଘଟିଥିଲା, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ।
କୋଲକାତା: ଚଳିତ ବର୍ଷ ଆରମ୍ଭରେ କୋଲକାତା ନିକଟ ଭାଙ୍ଗରରେ ହୋଇଥିବା ବିସ୍ଫୋରଣ ମାମଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ପୂର୍ବତନ ତୃଣମୂଳ କଂଗ୍ରେସ (TMC) ବିଧାୟକ ସୌକତ ମୋଲ୍ଲାଙ୍କୁ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ଗିରଫ କରିଛି। ଏହି ବିଷୟରେ ଶୁକ୍ରବାର ଦିନ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। NIA ତାଙ୍କୁ ‘ଫେରାର’ ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ଗିରଫଦାରୀ ହୋଇଛି।
ଏହି ମାମଲାରେ ସଂସ୍ଥା ଦ୍ୱାରା ଏହା ଚତୁର୍ଥ ଗିରଫଦାରୀ। କ୍ୟାନିଂ ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୋଲ୍ଲାଙ୍କୁ ପଚରାଉଚରା ପାଇଁ NIA କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଶନିବାର ଦିନ ତାଙ୍କୁ କୋର୍ଟରେ ହାଜର କରାଯିବ।
ଅନ୍ୟପଟେ, ମୋଲ୍ଲାଙ୍କ ପରିବାର କହିଛନ୍ତି ଯେ ସେ ନିଜେ ଆତ୍ମସମର୍ପଣ କରିଛନ୍ତି। NIA ଦାବିକୁ ଖଣ୍ଡନ କରି ପରିବାର ସଦସ୍ୟ କହିଛନ୍ତି ଯେ, ସେ କାମଲଗାଜିରେ ନଥିଲେ, ବରଂ କୋଲକାତାର ଚିଙ୍ଗରିଘାଟା ଅଞ୍ଚଳରେ ଏକ ହୋଟେଲରେ ଥିଲେ। ତାଙ୍କ ଝିଅ କହିଛନ୍ତି ଯେ ତାଙ୍କ ବାପା ବ୍ୟକ୍ତିଗତ କାମରେ ବାହାରକୁ ଯାଇଥିଲେ ଏବଂ ନିଜେ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମୋଲ୍ଲା ସୀମା ପାର ହୋଇ ପଳାଇଯିବାର ଆଶଙ୍କା ଥିବାରୁ NIA ତାଙ୍କୁ ‘ଫେରାର’ ଘୋଷଣା କରି ସୀମା ସୁରକ୍ଷା ବଳ (BSF) କୁ ମଧ୍ୟ ସୂଚନା ଦେଇଥିଲା। ଏହାବ୍ୟତୀତ, ଗୁରୁବାର ଦିନ NIA ତାଙ୍କ ସହ ଜଡିତ ମୌଖାଲି, ବରୁଇପୁର ଏବଂ ସୋନାରପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।
ମାର୍ଚ୍ଚ ୧୯ ତାରିଖରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗର ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ। କୁହାଯାଉଛି ଯେ ଅଭିଯୁକ୍ତମାନେ ବୋମା ତିଆରି କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ପଶ୍ଚିମବଙ୍ଗରେ ବାରମ୍ବାର ଦେଖାଦେଉଥିବା ଦେଶୀ ବୋମା ସମସ୍ୟାକୁ ଏହି ଘଟଣା ପୁଣିଥରେ ଚର୍ଚ୍ଚାକୁ ଆଣିଛି। ନିର୍ବାଚନ ସମୟରେ ଏହି ଘଟଣା ଘଟିଥିବାରୁ ମାମଲାଟି NIA କୁ ହସ୍ତାନ୍ତର କରାଯାଇଥିଲା।

