‘ନିର୍ମାଣ ହେବ ଖଡ଼ଗପୁର- ଭଦ୍ରକ ଓ ଭଦ୍ରକ – ହରିଦାସପୁର ୪ର୍ଥ ଲାଇନ’

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି

ଭୁବନେଶ୍ୱର: ଓଡ଼ିଶାରେ ସୁଦୃଢ଼ ହେବ ରେଳ ଭିତ୍ତିଭୂମି। ଯାତୟତ ଓ ମାଲ ପରିବହନ ସୁଗମ ହେବ। ସେଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛି। ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଏହି ପ୍ରକଳ୍ପ ନିର୍ମାଣ ହେବ। ତୃତୀୟ ଓ ୪ର୍ଥ ରେଳପଥ ନିର୍ମାଣ କରାଯିବ। ଏଥିପାଇଁ ୯,୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଖଡ଼ଗପୁର – ଭଦ୍ରକ (ରାଣୀତାଲ) ୪ର୍ଥ ଲାଇନ ନିର୍ମାଣ କରାଯିବ। ଏହାଛଡ଼ା ଭଦ୍ରକ – ହରିଦାସପୁର ୪ର୍ଥ ଲାଇନ୍; କଟକ – ପାରାଦୀପର ତୃତୀୟ ଓ ୪ର୍ଥ ଲାଇନ୍; ଓ ଗୁମ୍ମିଡିପୁଣ୍ଡି-ଗୁଡୁର ୩ୟ ଏବଂ ୪ର୍ଥ ଲାଇନ୍ ରହିଛି। ଏହି ପ୍ରକଳ୍ପ କାମ ସରିଗଲେ ଯାତାୟତ ସୁଗମ ହେବ। ଭାରତୀୟ ରେଳବାଇର କାର‌୍ୟ୍ୟଦକ୍ଷତା ବଢ଼ିବ। ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଗୁଡ଼ିକ ରେଳ ଚଳାଚଳକୁ ସୁଗମ କରିବା ସହ ଭିଡ଼ କମାଇବାରେ ସାହାଯ୍ୟ କରିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି; ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନୂତନ ଭାରତ’ ପରିକଳ୍ପନାକୁ ସାକାର କରିବ। ମଲ୍ଟି-ମୋଡାଲ୍ କନେକ୍ଟିଭିଟି ଓ ଲଜିଷ୍ଟିକ୍ସ କ୍ଷମତା ବୃଦ୍ଧି ଉପରେ ଧ୍ୟାନ ଦେଇ ‘ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଆଧାରରେ ଏହି ପ୍ରକଳ୍ପଗୁଡ଼ିକର ଯୋଜନା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଯାତ୍ରୀ ପରିବହନ, ପଣ୍ୟଦ୍ରବ୍ୟ ଏବଂ ସେବାର ନିରବଚ୍ଛିନ୍ନ ଚଳାଚଳ ପାଇଁ ସୁବିଧା ଯୋଗାଇଦେବ।

ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ୮ଟି ଜିଲ୍ଲାକୁ ସାମିଲ କରୁଥିବା ଏହି ୪ଟି ପ୍ରକଳ୍ପ ପ୍ରାୟ ୬,୪୪୮ଟି ଗାଁର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବ। ପ୍ରସ୍ତାବିତ ପ୍ରକଳ୍ପ କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର, ତାଳସାରୀ-ଉଦୟପୁର ଓ ଚାନ୍ଦିପୁର ବେଳାଭୂମି, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଶାରଳା ମନ୍ଦିର, ଧବଳେଶ୍ବର ମନ୍ଦିର, ଲଳିତଗିରି (ବୌଦ୍ଧ ପୀଠ) ଆଦି କେତେକ ପ୍ରମୁଖ ପର‌୍ୟ୍ୟଟନସ୍ଥଳକୁ ରେଳ ଯୋଗାଯୋଗରେ ସୁଧାର ଆଣିବ।