fbpx

ପଶ୍ଚିମବଙ୍ଗ: ଶପଥ ନେଲେ ୪୩ ଜଣ ମନ୍ତ୍ରୀ

କୋଲକାତା, ୧୦ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ରାଜଭବରେ ରାଜ୍ୟପାଳ ଜଗଦୀପ ଧନଖର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବ ସମାରୋହ ପରେ ମମତା କ୍ୟାବିନେଟର ପ୍ରଥମ ବୈଠକର ଆୟୋଜନ କରିବେ ବୋଲି ଜଣାପଡ଼ିଛି । ଗତ ୫ ତାରିଖରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଆଜିର ଉତ୍ସବରେ ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରହାଦ ହକିମ, ଜ୍ୟୋତି ପ୍ରିୟା ମଲ୍ଲିକ, ମୋଲୋୟ ଘାଟକ, ଅରୂପ ବିଶ୍ୱାସ, ଶଶି ପ୍ରଜ୍ଞା ଓ ଜାଭେଦ ଅହମ୍ମଦ ଖାନ ପ୍ରମୁଖ ବରିଷ୍ଠ ନେତାମାନେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ବିଗତ ଦୁଇଟି କ୍ୟାବିନେଟରେ ସଦସ୍ୟ ରହିଥିଲେ । ସେମାନଙ୍କ ମଧ୍ୟରୁ ୧୬ ଜଣ ବିଧାୟକ ପ୍ରଥମ ଥର ପାଇଁ କ୍ୟାବିନେଟରେ ଯୋଗ ଦେଇଛନ୍ତି । ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିନଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେ ୬ ମାସ ମଧ୍ୟରେ କୌଣସି ଏକ ଆସନରୁ ନିର୍ବାଚିତ ହୋଇ ଆସିବେ । କ୍ରିକେଟର ମନୋଜ ତିୱାରୀ ଓ ପୂର୍ବତନ ଆଇପିଏସ ଅଧିକାରୀ ହୁମାୟୁନ କବିର ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ୮ ଜଣ ମହିଳା କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ୮ ଜଣ ମହିଳାଙ୍କ ମଧ୍ୟରୁ ୩ ଜଣ ଜନଜାତି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.