fbpx

ଭାରତର ମୁକ୍ତି ସଂଗ୍ରାମର ଅନନ୍ୟ ମହାନାୟକ ଚନ୍ଦ୍ରଶେଖର ଆଜାଦ୍ ମାତ୍ର ୨୫ ବର୍ଷ ବୟସରେ ହୋଇଥିଲେ ଆଜାଦ୍

ବ୍ରିଟିଶ କବଳରୁ ଦେଶକୁ ରକ୍ଷା କରିବାରେ ଯେଉଁ କେତେଜଣ ବୀର ନିଜର ଜୀବନକୁ ବାଜିରେ ଲଗାଇ ଦେଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ବୀର ହେଉଛନ୍ତି ଚନ୍ଦ୍ରଶେଖର ଆଜାଦ । ସ୍ୱାଧୀନତା ସଂଗ୍ରାମର ଏହି ମହାନାୟକ ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଗ୍ରହଣ କରିଥିଲେ । ଆଜାଦଙ୍କ ଜନ୍ମସ୍ଥଳୀ ଭାବରା ବର୍ତ୍ତମାନ ଆଜାଦନଗର ନାମରେ ଖ୍ୟାତ । ତାଙ୍କର ପିତାଙ୍କ ନାମ ଥିଲା ପଣ୍ଡିତ ସୀତାରାମ ତିୱାରୀ ଓ ମାତାଙ୍କ ନାମ ଥିଲା ଜଗଦାନୀ ଦେବୀ । ତାଙ୍କର ପିତା ଜଣେ ସ୍ୱାଭିମାନୀ, ସାହସୀ, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ । ଫଳରେ ପିତା ସୀତାରାମଙ୍କ ସମସ୍ତ ସୁଗୁଣାବଳୀ ଆଜାଦଙ୍କ ଠାରେ ପରିସ୍ଫୁଟିତ ହୋଇଥିଲା ।

ମାତ୍ର ୧୪ ବର୍ଷ ବୟସରେ ଆଜାଦ ବନାରସ ଯାଇ ସେଠାରେ ଏକ ସଂସ୍କୃତ ପାଠଶାଳାରେ ଶିକ୍ଷା ଆରମ୍ଭ କରିଥିଲେ । ସେଠାରେ ଅଧ୍ୟୟନ କରୁଥିବା ସମୟରେ ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ । ୧୯୨୦-୨୧ ବର୍ଷରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ଅସହଯୋଗ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ଏହି ସମୟରେ ସେ ଗିରଫ ହେବା ପରେ ବିଚାରପତିଙ୍କ ଆଗରେ ନିଜ ନାମ ଆଜାଦ, ପିତାଙ୍କ ନାମ ସ୍ୱତନ୍ତ୍ରତା ଓ ଜେଲକୁ ନିଜର ବାସଗୃହ ବୋଲି ଅଭିହିତ କରିଥିଲେ । ଗିରଫ ହେବା ପରେ ଆଜାଦଙ୍କୁ ୧୫ ଚାବୁକ ପ୍ରହାର ଦଣ୍ଡ ଘୋଷଣା କରାଯାଇଥିଲା । ସେ ପ୍ରତ୍ୟେକ ଚାବୁକ ପ୍ରହାର ସମୟରେ ‘ବନ୍ଦେ ମାତରମ୍’ ଓ ‘ମହାତ୍ମା ଗାନ୍ଧୀ କି ଜୟ’ ସ୍ୱର ଉଚ୍ଚାରଣ କରୁଥିଲେ । ଏହାପରେ ସେ ଆଜାଦ୍ ନାମରେ ସର୍ବଜନବିଦିତ ହୋଇଥିଲେ । କ୍ରାନ୍ତିକାରୀ ଆନ୍ଦୋଳନ ତୀବ୍ରତର ହେବାରୁ ସେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ଆର୍ମିରେ ଯୋଗ ଦେଇଥିଲେ । ୧୯୨୫ରେ ରାମପ୍ରସାଦ ବିସମିଲଙ୍କ ନେତୃତ୍ୱରେ ପରିଚାଳିତ କାକୋରୀ ଷଡ଼ଯନ୍ତ୍ରରେ ସେ ସକ୍ରିୟ ଅଂଶଗ୍ରହଣ କରିବା ସହ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ ।

୧୯୨୮ ମସିହା ଡିସେମ୍ବର ୧୭ରେ ଆଜାଦ, ଭଗତ ସିଂହ ଓ ରାଜଗୁରୁ ସନ୍ଧ୍ୟା ସମୟରେ ଲାହୋରରେ ପୋଲିସ ଅଧିକ୍ଷକଙ୍କ ଦପ୍ତରକୁ ଘେରି ଯାଇଥିଲେ । ପରେ ସେମାନେ କିଛି ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହାଛଡ଼ା ସେମାନେ ଲାହୋରର କିଛି ସ୍ଥାନରେ କିଛି ପୋଷ୍ଟର ଲଗାଇବା ସହ ଲାଲା ଲାଜପତରାୟଙ୍କ ମୃତ୍ୟୁର ପ୍ରତିଶୋଧ ନିଆଗଲା ବୋଲି ସେଥିରେ ଲେଖିଥିଲେ । ଆଜାଦଙ୍କ ହୃଦବୋଧ୍ ହୋଇଥିଲା ଯେ, ଯଦି ସେ ବ୍ରିଟିଶ ହାତରେ ଧରାପଡ଼ନ୍ତି ତେବେ ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ । ତେଣୁ ସେ ବ୍ରିଟିଶ ହାତରେ ଧରା ନପଡ଼ିବାକୁ ସଂକଳ୍ପ ନେଇଥିଲେ । ସେଥିପାଇଁ ୧୯୩୧ ମସିହା ଫେବୃଆରୀ ୨୭ ତାରିଖରେ ମାତ୍ର ୨୫ ବର୍ଷର ଯୁବକ ବୟସରେ ନିଜକୁ ନିଜେ ଗୁଳି ମାରି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସବୁଦିନ ପାଇଁ ଆଜାଦ୍ ହୋଇଯାଇଥିଲେ ।

Get real time updates directly on you device, subscribe now.