ହୁଗୁଳା ସାମ୍ବାଦିକତା ଉପରେ ବର୍ଷିଲେ ହାଇକୋର୍ଟ, ମୋବାଇଲ୍-ମାଇକ୍ ଧରିଲେ କେହି ‘ରିପୋର୍ଟର’ ହୋଇଯିବେନି, ଚାଲିବନି ବ୍ଲାକମେଲିଂ
ହୁଗୁଳା ସାମ୍ବାଦିକତା ଉପରେ ବର୍ଷିଲେ ହାଇକୋର୍ଟ, ମୋବାଇଲ୍-ମାଇକ୍ ଧରିଲେ କେହି ‘ରିପୋର୍ଟର’ ହୋଇଯିବେନି
ଓଡ଼ିଶା ଭାସ୍କର ଡେସ୍କ: ଗଣମାଧ୍ୟମର ସ୍ୱାଧୀନତା ଏବଂ ଦାୟିତ୍ୱହୀନ ସାମ୍ବାଦିକତାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଗଣମାଧ୍ୟମର ସ୍ୱାଧୀନତା କଦାପି ଦାୟିତ୍ୱହୀନ ସାମ୍ବାଦିକତା, ବ୍ଲାକମେଲିଂ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାର ଢାଲ ହୋଇପାରିବ ନାହିଁ ।
ଜଷ୍ଟିସ ଗିରୀଶ କାଥପାଲିଆ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଆଜିକାଲି ହାତରେ ମୋବାଇଲ୍ ଫୋନ୍ ଥିବା ଯେକୌଣସି ବ୍ୟକ୍ତି ନିଜକୁ କୌଣସି ଉତ୍ତରଦାୟିତ୍ୱ ବିନା ଜଣେ ଜଣେ ସାମ୍ବାଦିକ ବୋଲି ଦାବି କରୁଛନ୍ତି ।
ହାତରେ ମୋବାଇଲ୍ ଥିଲେ କେହି ସାମ୍ବାଦିକ ହୁଅନ୍ତିନି: ଏକ ମାମଲାର ଶୁଣାଣି କରି ଜଷ୍ଟିସ ଗିରୀଶ କାଥପାଲିଆ କହିଛନ୍ତି, “ଆଜିର ଦିନରେ ବାସ୍ତବରେ ହାତରେ ମୋବାଇଲ୍ ଫୋନ୍ ଏବଂ ମାଇକ୍ ଧରିଥିବା ଯେକୌଣସି ବ୍ୟକ୍ତି ନିଜକୁ ‘ରିପୋର୍ଟର’ ବୋଲି ଘୋଷଣା କରିପାରୁଛନ୍ତି । ଏଥିପାଇଁ ସେମାନଙ୍କର କୌଣସି ସାମ୍ବାଦିକତା ପ୍ରଶିକ୍ଷଣ, ନୈତିକ ଜ୍ଞାନ କିମ୍ବା ଦାୟିତ୍ୱବୋଧ ରହୁନାହିଁ ।”
ତେଣୁ ଗଣମାଧ୍ୟମର ସ୍ୱାଧୀନତାକୁ କ୍ଷୁର୍ଣ୍ଣ ନକରି ଏହାର ନିୟନ୍ତ୍ରଣ ପାଇଁ ଏକ ଉପଯୁକ୍ତ ଆଇନଗତ ନିୟମାବଳୀ ପ୍ରସ୍ତୁତ କରିବାକୁ କୋର୍ଟ ସଂସଦ ବା ବିଧାୟିକାଙ୍କୁ ଅପିଲ୍ କରିଛନ୍ତି ।
ପ୍ରକୃତରେ ଘଟଣାଟି କ’ଣ: ୨୦୨୫ ଜୁଲାଇ ମାସରେ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ବେଆଇନ ଉପାସନା ସ୍ଥଳର ନିର୍ମାଣକୁ ନେଇ ଦୁଇଜଣ ଫ୍ରିଲାନ୍ସ ୟୁଟ୍ୟୁବ୍ ସାମ୍ବାଦିକ ଭିଡିଓ ରେକର୍ଡିଂ କରୁଥିଲେ । ସେହି ସମୟରେ ଏକ ଉତ୍ତ୍ୟକ୍ତ ସଂଖ୍ୟାଲଘୁ ଜନତା ସେମାନଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ କ୍ୟାମେରା ବ୍ୟାଟେରୀ ଏବଂ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ।
Uttarakhand Govt.
ଏହି ମାମଲାରେ ପୋଲିସ ଆବିଦ୍ ଅଲ୍ଲୀ ଏବଂ ଫୁକ୍ରାନ୍ ନାମକ ଦୁଇଜଣଙ୍କୁ ଗିରଫ କରିଥିଲା । ଦୁହେଁ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଉତ୍ତେଜନା ସୃଷ୍ଟି କରୁଛନ୍ତି ସେଲ୍ଫ ଷ୍ଟାଇଲ୍ ରିପୋର୍ଟର: ତଦନ୍ତ ବେଳେ କୋର୍ଟ ଅନୁଭବ କଲେ ଯେ, ଭିଡିଓ ପ୍ରସ୍ତୁତ କରିବା ସମୟରେ ଏହି ୟୁଟ୍ୟୁବ୍ ସାମ୍ବାଦିକମାନେ ସ୍ଥାନୀୟ ଲୋକଙ୍କୁ ଉତ୍ତ୍ୟକ୍ତ କରିଥିଲେ । କୋର୍ଟ କହିଛନ୍ତି ଯେ, ନିଜକୁ ସାମ୍ବାଦିକ କହୁଥିବା କିଛି ‘ସେଲ୍ଫ ଷ୍ଟାଇଲ୍ ରିପୋର୍ଟର’ ପ୍ରଶ୍ନ ପଚାରିବା ବେଳେ ଖୁବ୍ ଆକ୍ରମଣାତ୍ମକ ମନୋଭାବ ଦେଖାନ୍ତି ଏବଂ ଗୁଜବ ବା ଭ୍ରମାତ୍ମକ ଖବର ପ୍ରସାରଣ କରନ୍ତି ।
ସେନସେସନାଲିଜିମ୍ ଏବଂ ବିନା ସତ୍ୟାସତ୍ୟ ଯାଞ୍ଚରେ ଖବର ପ୍ରସାରଣ କରିବା ଦ୍ୱାରା ସାମାଜିକ ବିଭାଜନ ବଢ଼ିଥାଏ ଏବଂ ବେଳେବେଳେ ସାମ୍ପ୍ରଦାୟିକ ଅଶାନ୍ତି ମଧ୍ୟ ସୃଷ୍ଟି ହୋଇଥାଏ । ଖବର ପ୍ରସାରଣ କରିବା ବେଳେ ଗଣମାଧ୍ୟମ ନିଜର ଦାୟିତ୍ୱବୋଧ ଓ ସଂଯମତା ରକ୍ଷା କରିବା ଉଚିତ୍ ।
ତଦନ୍ତକାରୀ ଅଫିସରଙ୍କ ଉପରେ ବିରକ୍ତି: ଜାମିନ ଆବେଦନର ଶୁଣାଣି ବେଳେ ଜଷ୍ଟିସ କାଥପାଲିଆ ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପୋଲିସ ଅଫିସର କୋର୍ଟଙ୍କ ସାମ୍ନାରେ ମିଥ୍ୟା ଦାବି କରିଥିଲେ ଯେ ଅଭିଯୁକ୍ତମାନେ ଆକ୍ରମଣ କରୁଥିବାର ଭିଡିଓ ଫୁଟେଜ୍ ରହିଛି, କିନ୍ତୁ ପ୍ରକୃତରେ ସେମିତି କିଛି ନଥିଲା ।
ଏହା ସହିତ କୋର୍ଟରେ ହାଜର ନହେବା ପାଇଁ ଓକିଲମାନଙ୍କ ଧର୍ମଘଟର ଆଳ ଦେଖାଇଥିବାରୁ ଜଷ୍ଟିସ କହିଥିଲେ, “ଓକିଲମାନେ ଧର୍ମଘଟରେ ଥାଇପାରନ୍ତି, କିନ୍ତୁ ବିଚାରପତି କିମ୍ବା ପୋଲିସ କେବେ ଧର୍ମଘଟରେ ଯାଇପାରିବେ ନାହିଁ ।” ଶେଷରେ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଆବିଦ୍ ଅଲ୍ଲୀଙ୍କ ପକ୍ଷରୁ ଆଡଭୋକେଟ୍ ଅଙ୍କିତ ଟଣ୍ଡନ ଏବଂ ଫୁକ୍ରାନ୍ଙ୍କ ପକ୍ଷରୁ ଆଡଭୋକେଟ୍ ଅବଦୁଲ ଗଫାର ମାମଲା ପରିଚାଳନା କରୁଥିଲେ ।

