୪ ଗୋଡ଼ିଆ ବିଲେଇ ୨ ଗୋଡ଼ିଆ ମଣିଷଠୁ ବହୁ ଆଗରେ: ଚଳାଉଛି କମ୍ପାନୀ, ଇନ୍ଷ୍ଟାଗ୍ରାମ୍ରେ ରାଜ୍ କରୁଛି
ସିଆମିଜ୍ ଓ ଟ୍ୟାବି ବ୍ରିଡ୍ର ମିଶ୍ରଣରୁ ଜନ୍ମ ନେଇଥିବା ‘ନାଲା’କୁ ମାତ୍ର ୪ ମାସ ବୟସରେ ଭାରିସିରି ପୁକି ମେଥାଚିତ୍ତିଫାନ୍ ଏକ ଆଶ୍ରୟସ୍ଥଳରୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ
ନୂଆଦିଲ୍ଲୀ: ଭାଗ୍ୟ ବଦଳିବାକୁ ସବୁବେଳେ ମଣିଷ ହେବା ଜରୁରୀ ନୁହେଁ! କାହାଣୀ ଯଦି ଜଣେ ବିଲେଇର ହୁଏ, ତଥାପି ସେଥିରେ ଥାଇପାରେ ଗ୍ଲାମର, ଗ୍ଲୋବାଲ୍ ଫେମ୍ ଆଉ କୋଟି କୋଟି ଟଙ୍କାର ସମ୍ପତ୍ତି। ଲସ୍ ଆଞ୍ଜେଲସ୍ର ଏକ ଆଶ୍ରୟ ସ୍ଥଳରୁ ଉଦ୍ଧାର ହୋଇଥିବା ଛୋଟ ବିଲେଇ ‘ନାଲା କ୍ୟାଟ୍’ ଆଜି ସେହିଭଳି ଏକ ଚର୍ଚ୍ଚିତ ନାମ। ଯେଉଁ ବିଲେଇକୁ ଦିନେ ଆଶ୍ରୟ ଖୋଜିବାକୁ ପଡ଼ିଥିଲା, ଆଜି ତା’ର ନାଁରେ ଚାଲୁଛି ବଡ଼ ବ୍ୟବସାୟିକ ସାମ୍ରାଜ୍ୟ। ଆନୁମାନିକ ୧୦୦ ମିଲିୟନ୍ ଡଲାର ବା ପ୍ରାୟ ୯୨୨ କୋଟି ଟଙ୍କାର ସମ୍ପତ୍ତି ସହ ନାଲା ବିଶ୍ୱର ସବୁଠାରୁ ସଫଳ ‘କ୍ୟାଟ୍ ସେଲିବ୍ରିଟି’ଙ୍କ ମଧ୍ୟରେ ସାମିଲ ହୋଇଛି।
ସିଆମିଜ୍ ଓ ଟ୍ୟାବି ବ୍ରିଡ୍ର ମିଶ୍ରଣରୁ ଜନ୍ମ ନେଇଥିବା ‘ନାଲା’କୁ ମାତ୍ର ୪ ମାସ ବୟସରେ ଭାରିସିରି ପୁକି ମେଥାଚିତ୍ତିଫାନ୍ ଏକ ଆଶ୍ରୟସ୍ଥଳରୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତା’ପରେ ନାଲାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ। ମାତ୍ର କେହି ଦାବିଦାର ନଥିଲେ। ହେଲେ ସେହି ଛୋଟ ବିଲେଇ ଆଜି ସାରା ବିଶ୍ୱରେ ଏତେ ବଡ଼ ଷ୍ଟାର ହୋଇଯାଇଛି। ଆଜି ନାଲାଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋଅର୍ ସଂଖ୍ୟା ୪.୨ ମିଲିୟନ୍ରୁ ଅଧିକ। ସବୁଠାରୁ ଅଧିକ ଫଲୋ କରାଯାଉଥିବା ବିଲେଇ ଭାବେ ସେ ଗିନିଜ ୱାର୍ଲ୍ଡ ରେକର୍ଡ ମଧ୍ୟ ହାସଲ କରିଛି।
ନାଲାଙ୍କ ଲୋକପ୍ରିୟତା କେବଳ ସୋସିଆଲ୍ ମିଡିଆରେ ସୀମିତ ହୋଇ ରହିନାହିଁ। ତାଙ୍କ ନାଁରେ ଚାଲିଛି ଏକ ବଡ଼ ବ୍ୟବସାୟିକ ବ୍ରାଣ୍ଡ। ଏଥିରେ ‘Love, Nala’ ନାମରେ ପ୍ରିମିୟମ୍ ଗ୍ରେନ୍-ଫ୍ରି କ୍ୟାଟ୍ ଫୁଡ୍, ସ୍ପନ୍ସର୍ଡ କଣ୍ଟେଣ୍ଟ, ମର୍ଚ୍ଚେଣ୍ଡାଇଜ୍, ଖେଳନା ଓ ବହି ଭଳି ଅନେକ ସାମଗ୍ରୀ ସାମିଲ ଅଛି।
ତେବେ ନାଲାଙ୍କ କାହାଣୀ କେବଳ ଟଙ୍କା ଓ ଲୋକପ୍ରିୟତାର କାହାଣୀ ନୁହେଁ। ତାଙ୍କ ପ୍ଲାଟଫର୍ମ ମାଧ୍ୟମରେ ପୋଷ୍ୟ ପଶୁ ଗ୍ରହଣ, ଆନିମଲ୍ ସେଲ୍ଟର୍ର ଗୁରୁତ୍ୱ ଏବଂ ବୁଲା ପଶୁଙ୍କ ପାଇଁ ଫଣ୍ଡରେଜିଂ ଭଳି କାମକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି।
ଦିନେ ଏକ ଆଶ୍ରୟସ୍ଥଳରେ ଥିବା ଛୋଟ ବିଲେଇ ଆଜି କେବଳ ଇଣ୍ଟରନେଟ୍ର ଷ୍ଟାର ନୁହେଁ, ଏକ ବଡ଼ ବ୍ରାଣ୍ଡର ଚେହେରା। ନାଲାଙ୍କ କାହାଣୀ ପ୍ରମାଣିତ କରିଛି, କେବେ କେବେ ଗୋଟିଏ ଛୋଟ ବିଲେଇ ସାରା ଦୁନିଆର ଧ୍ୟାନ ଆକର୍ଷିପାରେ।

