fbpx

ତାଲିବାନର ଆଫଗାନିସ୍ତାନ କବଜା ପରେ ଏବେ କ’ଣ କରିବ ଭାରତ ? ରହିଛି ଏହି ବିକଳ୍ପ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଯୁଗ ଆରମ୍ଭ ହୋଇ ଯାଇଛି । ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଚାଲି ଯାଇଛନ୍ତି । ରାଜଧାନୀ କାବୁଲ ସହିତ ସମଗ୍ର ଆଫଗାନିସ୍ତାନରେ ଭୟର ବାତାବରଣ ରହିଛି । ଆଫଗାନିସ୍ତାନରୁ ଲୋକଙ୍କ ପଳାୟନ ଜାରି ରହିଛି । ତାଲିବାନ ଶାସନରେ ରହିବାକୁ ଚାହୁଁନଥିବା ଲୋକେ ଦେଶ ଛାଡି ଚାଲିଯିବାକୁ କାବୁଲ ବିମାନ ବନ୍ଦରରେ ରୁଣ୍ଡ ହୋଇଛନ୍ତି । ଅନ୍ୟପଟେ ଆଫଗାନିସ୍ତାନ ସରକାରର ସମର୍ଥକ ଭାରତ ଏବେ ଖୋଦ୍ ଆଫଗାନିସ୍ତାନ ମାମଲାରେ ଫସି ଯାଇଥିବା ଦେଖିବାକୁ ମିଳିଛି । ଭାରତ କାବୁଲ ସ୍ଥିତ ନିଜର ଦୂତାବାସ ବନ୍ଦ କରିବ ବୋଲି କହିଛି । ଦୂତାବାସର କର୍ମଚାରୀଙ୍କ ସହିତ ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ମାତ୍ର ପ୍ରଶ୍ନ ଉଠୁଛି ଯେ, ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଭାରତ କଣ କରିବ ? ଆଫଗାନିସ୍ତାନରେ ଭାରତର ଭବିଷ୍ୟତ କଣ ? କଣ ଭାରତ ତାଲିବାନ ସରକାରକୁ ମାନ୍ୟତା ଦେଇ ତା ସହ କାମ କରିବ ?

ଏହି ସବୁ ପ୍ରଶ୍ନର ଉତ୍ତର ଦେବା ଏତେ ସହଜ ନୁହେଁ । ପ୍ରତିରକ୍ଷା ବିଶ୍ଳେଷକ, ବୈଦେଶିକ ବିଶେଷଜ୍ଞ ଓ ଜିଓପୋଲିଟିକଲ ବିଶେଷଜ୍ଞଙ୍କ ପାଖରେ ମଧ୍ୟ ଏହାର କୌଣସି ସ୍ପଷ୍ଟ ଉତ୍ତର ନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ପାଖରେ ମୁଖ୍ୟତଃ ଦୁଇଟି ରାସ୍ତା ରହିଛି । ପ୍ରଥମ ତାଲିବାନ ଆସିବା ପରେ ଭାରତ ଆଫଗାନିସ୍ତାନରୁ ଓହରି ଯାଉ । ଏମିତି କଲେ ଭାରତ ଦ୍ୱାରା ଆଫଗାନିସ୍ତାନରେ ହୋଇଥିବା ବିକାଶମୂଳକ କାମ କିଛି ଦିନରେ ଧ୍ୱଂସ ହୋଇଯିବ । ଦ୍ୱିତୀୟ ବିକଳ୍ପ ଭାରତ ତାଲିବାନ ସହ ଆଲୋଚନା କରି ରାଜିନାମା କରୁ । କିନ୍ତୁ ଏହା ଅଧିକ ମୁସ୍କିଲ କାମ । କାରଣ ଭାରତ ସରକାର ଏ ପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାରକୁ ସମର୍ଥନ କରି ଆସିଛି । ଆଫଗାନିସ୍ତାନ ସରକାରଙ୍କୁ ମଧ୍ୟ ଆଫଗାନଙ୍କ ପ୍ରତିନିଧିତ୍ୱ ମାନି ଆସିଛି । ତେବେ ଏମିତି ସ୍ଥିତିରେ ଭାରତ ପାଖରେ ଅଧିକ କିଛି ବିକଳ୍ପ ଥିବା ପରି ମନେ ହୁଏ ନାହିଁ ।

ସାଙ୍କେତିକ ଆଲୋଚନା

ବିଶେଷଜ୍ଞଙ୍କ ମତରେ ଭାରତକୁ ତାଲିବାନ ସହ ଆଲୋଚନା ଆରମ୍ଭ କରି ଦେବା ଉଚିତ୍ ଏବଂ ଆଫଗାନିସ୍ତାନରେ ଜାରି ବିକାଶ କାମକୁ ପୂରା କରିବା ଉଚିତ୍ । ଏହି ପ୍ରକ୍ରିୟା ମନ୍ଥର ହେଲେ ମଧ୍ୟ ସାଙ୍କେତିକ ସ୍ତରରେ କରାଯାଇ ପାରିବ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭାରତ ମିଳିତ ଜାତିସଂଘରେ ଆଫଗାନିସ୍ତାନର ଭବିଷ୍ୟତ ଓ ତାଲିବାନ ଉପରେ କଟକଣା ଦାବି କରି ଆସିଛି ଏବଂ ଅନ୍ୟପଟେ ତାଲିବାନ ଶାସନ ସହ ଚୁକ୍ତି କରିବା ଭାରତ ପାଇଁ ବହୁତ ମୁସ୍କିଲ ହେବ ।

ଭାବିଚିନ୍ତି ପଦକ୍ଷେପ ନେବା ଜରୁରୀ

କିଛି ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ସରକାର ତାଲିବାନକୁ ମାନ୍ୟତା ନ ଦେଲେ ବି ତାଲିବାନ ସହ ଆଲୋଚନା କରିବାକୁ ପଡିବ । ସେ ପଛ ଦ୍ୱାର ଜରିଆରେ ହେଉ କି ଆନୁଷ୍ଠାନିକ ଭାବେ ହେଉ । ଗତ କିଛି ମାସରେ ଦେଖିବାକୁ ମିଳିଛି ଯେ, କାତାରର ରାଜଧାନୀ ଦୋହାରେ ଜାରି ଶାନ୍ତି ରାଜିନାମାର ଅନେକ ବୈଠକରେ ଭାରତ ଭାଗ ନେଇଛି । ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଭାରତ ଆଫଗାନିସ୍ତାନକୁ ନେଇ ସମସ୍ତ ପକ୍ଷ ସହ ଆଲୋଚନା କରିବା ଉଚିତ୍ । ସରକାରୀ ଅଧିକାରୀ ଏହା ମଧ୍ୟ କହିିଛନ୍ତି ଯେ, ସେମାନେ ଆଇସି-୮୧୪ ବିମାନ ଅପହରଣ ସମୟରେ ଯେମିତି ସ୍ଥିତି ଉପୁଜିଥିଲା, କଦାପି ପୁନର୍ବାର ସେମିତି ପରିସ୍ଥିତି ଚାହିଁବେ ନାହିଁ ।

ତାଲିବାନ ଓ ପାକିସ୍ତାନ ନିକଟତର ହେବା ଭାରତ ପାଇଁ ଆଉ ଏକ ଚିନ୍ତାର ବିଷୟ । ଆଫଗାନିସ୍ତାନ ବର୍ତ୍ତମାନ ଭାରତ ବିରୋଧୀ ଆତଙ୍କୀ କାର୍ଯ୍ୟକଳାପର ଖୋଲା ମଇଦାନ ମଧ୍ୟ ହୋଇପାରେ । ତେଣୁ ଭାରତକୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାବିଚିନ୍ତି ପଦକ୍ଷେପ ନେବା ଜରୁରୀ ।

Get real time updates directly on you device, subscribe now.