fbpx

କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ଆସିଥିବା ଯୁବତୀଙ୍କ ସହ ଦୁଷ୍କର୍ମ, ପରେ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ, ୧୦/୫: କୃଷକ ଆନ୍ଦୋଳନରେ ଭାଗ ନେବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ପୋଲିସ ଟିକରୀ ବର୍ଡରଠାରେ ‘କିଶାନ ସୋସିଆଲ ଆର୍ମି’ ଚଳାଉଥିବା ଅନିଲ ମଲିକ ଏବଂ ଅନୁପଙ୍କ ସମେତ ୬ ଜଣକ ବିରୋଧରେ ମାମଲା ରୁଜୁ କରିଛି । ଆରୋପୀଙ୍କୁ ଖୁବ ଶୀଘ୍ର ଧରାଯିବା ନେଇ ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ ଯୁବତୀ ଜଣକ ଏପିଲ ୧୧ରେ ପଶ୍ଚିମବଙ୍ଗରୁ ଆରୋପୀମାନଙ୍କ ସହ କିଶାନ ଆନ୍ଦୋଳନରେ ଯୋଗ ଦେବାପାଇଁ ଦିଲ୍ଲୀ ଆସିଥିଲେ । କୃଷକ ଆନ୍ଦୋଳନରେ ସାମିଲ ହେବା ସମୟରେ ତାଙ୍କୁ ବଳାତ୍କାର କରାଯାଇଥିଲା । ସେପଟେ ଯୁବତୀଙ୍କର ଏପ୍ରିଲ ୩୦ରେ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁର ଚାରି ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ବଳାତ୍କାର ହୋଇଥିବା କଥା ସାମ୍ନାକୁ ଆସିଥିଲା । ଟିକରୀ ବର୍ଡର ଠାରେ ‘କିଶାନ ସୋସିଆଲ ଆର୍ମି’ ଚଳାଉଥିବା ଅନୁପ ଏବଂ ଅନିଲ ମଲିକଙ୍କ ସମେତ ଅନ୍ୟ ଚାରିଜଣ ଯୁବତୀଙ୍କ ସହ ବଳାତ୍କାର କରିଥିଲେ । ତେବେ କୃଷକ ନେତା ଏହି ମାମଲାକୁ ଏଡାଇ ଆସୁଛନ୍ତି ।

ତେବେ ଯୁବତୀଙ୍କ ପିତାଙ୍କ ଅଭିଯୋଗ କ୍ରମେ ଫରିଦାବାଦ ପୋଲିସ ଆଇପିସିର ଧାରା ୩୬୫, ୩୪୨,୩୫୪,୩୭୬ ଏବଂ ୧୨୦ବି ରେ ମାମଲା ରୁଜୁ କରିଛି । ମାମଲାର ଯାଞ୍ଚ ପାଇଁ  ଡିଏସପିଙ୍କ ନେତୃତ୍ୱରେ ତିନି ଇନସ୍ପେକ୍ଟର ଏବଂ ସାଇବର ସେଲକୁ ମିଶାଇ ଏକ ଏସଆଇଟି ଗଠନ କରାଯାଇଛି । ସ୍ଥାନୀୟ ଥାନା ପ୍ରଭାରୀଙ୍କ ସୂଚନା ଅନୁଯାୟୀ ଆରୋପୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ । ପୋଲିସ ଆରୋପୀଙ୍କ ଉପରେ ଗଣଦୁଷ୍କର୍ମ ସହ ଅପହରଣ, ବ୍ଳାକମେଲିଙ୍ଗ, ଧମକାଇବା ଭଳି ମାମଲାରେ ମକଦ୍ଧମା ରୁଜୁ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ୪ କୃଷକ ନେତା ଏବଂ ଆନ୍ଦୋଳନ ସହ ଜଡିତ ମହିଳା ସ୍ୱେଚ୍ଛାସେବୀଙ୍କୁ ଆରୋପୀ କହିଛି ।

Get real time updates directly on you device, subscribe now.