fbpx

ଜେଲରେ ଉଡୁଛି ଗଞ୍ଜେଇ ଧୁଆଁ, ନାଚଗୀତରେ ମସଗୁଲ୍ କଏଦୀ

ଭୁବନେଶ୍ୱର, ୧୩/୦୫(ଓଡିଶା ଭାସ୍କର) : ଝାରପଡା ଜେଲରେ ଜମିଛି ନାଚଗୀତ ସହିତ ଗଞ୍ଜେଇ ଧୁଆଁର ଆସର । ଜେଲ୍ ର କଏଦୀ ମାନେ ମଣ୍ଡଳୀ ହୋଇ ଏକାଠି ବସି ନେଉଛନ୍ତି ଚିଲମର ମଜା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ଜେଲ୍ ରେ ଏହିଭଳି ସବୁ କାମ କରିବା ପାଇଁ କଏଦୀ ମାନଙ୍କୁ କେତେ ସ୍ୱାଧୀନତା ମିଳୁଛି । ଖାଲି ସେତିକି ନୁହେଁ ଜେଲ୍ ଭିତରେ ନିଶା ଦ୍ରବ୍ୟ ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ସବୁକିଛିର ବ୍ୟବସ୍ଥା ରହିଛି । ଭାଇରାଲ୍ ହେଉଥିବା ଭିଡିଓଟି କେବେକାର ତାହା ଜଣାପଡିନଥିବା ବେଳେ ଲୋକ ମାନଙ୍କ ମଧ୍ୟରେ ଏନେଇ ଆଲୋଚନା ହେଉଛି ଯେ ଏସବୁ କରିବା ପାଇଁ ଜେଲ୍ ଅଧିକାରୀ ମାନେ ସୁଯୋଗ ଦେଉଛନ୍ତି ନା ସେମାନଙ୍କ ମଧ୍ୟରୁ ଏଥିରେ କେହି ସାମିଲ ଅଛନ୍ତି ?

ସେ ଯାହାବି ହେଉ ନା କାହିଁକି କଏଦୀ ମାନେ ଜେଲ୍ ପରିସରରେ ସବୁ ପ୍ରକାରର ମଉଜ ମଜଲିସ୍ କରୁଛନ୍ତି । ଆଉ ଏହି ଭାଇରାଲ୍ ଭିଡିଓଟି ପଣା ସଂକ୍ରାନ୍ତିର ବୋଲି କୁହାଯାଉଛି । ଏହିଭଳି ଘଟଣା ପୁର୍ବରୁ ନିକଟରେ ଜେଲ୍ ଭିତରୁ ମୋବାଇଲ୍ ମଧ୍ୟ ମିଳିଥିବା କଥା ସାମନାକୁ ଆସିଥିଲା । ଝାରପଡା ଜେଲ୍ ର ସ୍ୱତନ୍ତ୍ର କାରାଗାରରୁ ଦୁଇଟି ମୋବାଇଲ୍ ଫୋନ୍ ମିଳିଥିଲା । ସେଠାରେ ମୋବାଇଲ୍ ଗୁଡିକ କେତେବେଳେ କାନ୍ଥ ଭିତରେ ତ କେତେବେଳେ ଚଟାଣ ତଳେ ରଖାଯାଇଥିବା ଖବର ସାମନାକୁ ଆସିଥିଲା । ବର୍ତ୍ତମାନ ସୁଦ୍ଧା ଜେଲ୍ ଭିତରୁ ୧୩ଟି ଫୋନ୍ ମିଳିଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ ଏବେ ଲକ୍ଷ୍ମୀସାଗର ଥାନା ପୋଲିସ୍ ତଦନ୍ତ କରୁଛି । ଆଉ ଯେଉଁ ସବୁ ମୋବାଇଲ୍ ଫୋନ୍ ମିଳିଥିଲା ସେସବୁର କଲ୍ ଡିଟେଲ୍ସ ମଗାଯାଇଛି । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯଦି ଏତେ ସଂଖ୍ୟାରେ ମୋବାଇଲ୍ ଜେଲ୍ ରେ ରହିଥିଲା ତେବେ ଆହୁରି ବି ମୋବାଇଲ୍ ଥାଇପାରେ ? ଏହି ସବୁ ଫୋନ୍ କୁ କିଏ ଜେଲ୍ ଭିତରକୁ ଆଣୁଛି ଏବଂ କିପରି କଏଦୀ ମାନଙ୍କ ପାଖରେ ପହଞ୍ଚୁଛି ? ଏବେ ଏହି ସବୁ ପ୍ରଶ୍ନର ଉତ୍ତର ସନ୍ଦେହ ଘେରରେ ।

Get real time updates directly on you device, subscribe now.