CDOଙ୍କୁ ଜୀବନରୁ ମାରିଦେବାର ଧମକ ! ଅଡ଼ୁଆରେ ଆସ୍କା ବିଧାୟକ

ଗଞ୍ଜାମ ଜିଲ୍ଲା ପରିଷଦ CDO ସମୀର କୁମାର ଜେନା, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ବ୍ରହ୍ମପୁର: ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO)-ତଥା ନିର୍ବାହୀ ଅଧିକାରୀ ସମୀର କୁମାର ଜେନା। ବିଧାୟକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ, ଦୁର୍ବ୍ୟବହାର ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ନେଇ ସେ ଆସ୍କା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏଥିସହ ନିଜ ଜୀବନର ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡ଼ିବା ସହ ବିଧାୟକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଦାବି କରିଛନ୍ତି। ଅନ୍ୟପଟେ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଯେ, ଏହା ଏକ ଭୁଲ ବୁଝାମଣା ଯୋଗୁଁ ଘଟିଥିଲା ଏବଂ ପରେ ମାମଲାର ସମାଧାନ ହୋଇଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆସ୍କା ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଘଟଣା ଘଟିଥିଲା। ସେହି ସମୟରେ CDO ସମୀର ଜେନା ପୌରାଧ୍ୟକ୍ଷଙ୍କ ସହ ଆଲୋଚନା କରୁଥିଲେ। ଏତିକିବେଳେ ବିଧାୟକ ସରୋଜ ପାଢ଼ୀ ପୌର ନିର୍ବାହୀ ଅଧିକାରୀଙ୍କ ସହ ସେଠାରେ ପହଞ୍ଚିଥିଲେ। ପରେ ଉପସ୍ଥିତ ଅନ୍ୟମାନଙ୍କୁ କୋଠରୀରୁ ବାହାରକୁ ଯିବାକୁ କହିଥିବା ଅଭିଯୋଗ ହୋଇଛି।

ଏହାପରେ ବିଧାୟକ ରିଲିଫ୍ ସାମଗ୍ରୀ ବଣ୍ଟନକୁ ନେଇ CDOଙ୍କୁ ପ୍ରଶ୍ନ କରିବା ସହ ତାଙ୍କ ଉପରେ ଚିତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି।

ଏନେଇ ସମୀର ଜେନା ନିଜ ଅଭିଯୋଗରେ କହିଛନ୍ତି ଯେ, ରିଲିଫ୍ ସାମଗ୍ରୀଗୁଡ଼ିକ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମନ୍ତ୍ରୀ ଫୋନ୍ ଯୋଗେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ସେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ରିଲିଫ୍ ସାମଗ୍ରୀ ହସ୍ତାନ୍ତର କରିଥିଲେ। ତେବେ ଏହାର ଜବାବ ଶୁଣି ବିଧାୟକ ଆହୁରି ଉତ୍ତ୍ୟକ୍ତ ହୋଇପଡ଼ିଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଆସ୍କା ନିର୍ବାଚନମଣ୍ଡଳୀରେ ବିଧାୟକଜଣେ ନିଜର ପ୍ରଭାବ ଦେଖାଇ କହିଥିଲେ, “ଆସ୍କାରେ ମୁଁ ହିଁ ମନ୍ତ୍ରୀ। ମୋ ବିନା ଅନୁମତିରେ ଏଠାରେ କିଛି ହୁଏ ନାହିଁ।”

ଏହାର ଉତ୍ତରରେ CDO ତାଙ୍କୁ କହିଥିଲେ ଯେ, ଏ ସମ୍ପର୍କରେ ଯଦି କୌଣସି ମତଭେଦ ରହିଛି, ତେବେ ସେ ସିଧାସଳଖ ମନ୍ତ୍ରୀଙ୍କ ସହ ଆଲୋଚନା କରିପାରିବେ। କାରଣ ସେ କେବଳ ସରକାରୀ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥିଲେ।

ହେଲେ ଏହାପରେ ବି ବିଧାୟକ ଚିତ୍କାର କରିବା ବନ୍ଦ କରି ନଥିଲେ। ସମୀର ଜେନା ଗତ ୪-୫ ଦିନ ହେବ ସେ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ବିଧାୟକ ଅଭିଯୋଗ କରିଥିଲେ।

ଏହି ସମୟରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ସି.ଡି.ଓ. (CDO) ଅଭିଯୋଗ କରିଛନ୍ତି ଯେ, ବିଧାୟକ ତାଙ୍କୁ ଅଫିସରୁ ବାହାର କରିଦେବାକୁ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ବିଧାୟକ ତାଙ୍କ ଆଡ଼କୁ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ଗାଳି ମଧ୍ୟ ଦେଇଥିଲେ।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ସମୀର ଜେନାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ତାଙ୍କୁ ସେଠାରୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ କାର୍ଯ୍ୟାଳୟ ପ୍ରକୋଷ୍ଠ ଛାଡ଼ି ବାହାରକୁ ଚାଲିଆସିଥିଲେ।

ଏହି ସମସ୍ତ ଘଟଣା କାର୍ଯ୍ୟାଳୟ ପରିସରରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଥିବା CDO ଦାବି କରିଛନ୍ତି। ଘଟଣାର ପ୍ରକୃତ ସତ୍ୟତା ଜାଣିବା ପାଇଁ ପୋଲିସ CCTV ଫୁଟେଜ୍ ଯାଞ୍ଚ କରୁ ବୋଲି ସେ ଅଭିଯୋଗପତ୍ରରେ ଅନୁରୋଧ କରିଛନ୍ତି।

ଏହି ଘଟଣା ଯୋଗୁଁ ସେ ଗଭୀର ମାନସିକ ଚାପରେ ରହିଥିବା ସହ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ସମୀର ଜେନା ଉଲ୍ଲେଖ କରିଛନ୍ତି। ତେଣୁ ବିଧାୟକଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ନେବା, ତାଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ନ୍ୟାୟ ପ୍ରଦାନ କରିବାକୁ ସେ ପୋଲିସକୁ ନିବେଦନ କରିଛନ୍ତି।

ଅନ୍ୟପଟେ, ଏହି ଅଭିଯୋଗ ଉପରେ ନିଜ ପକ୍ଷ ରଖି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଯେ, ଏହା କେବଳ ଏକ ଭୁଲ ବୁଝାମଣା ଥିଲା। ତେବେ ଉଭୟଙ୍କ ମଧ୍ୟରେ ଥିବା ମତଭେଦର ସମାଧାନ ହୋଇସାରିଛି ବୋଲି ସେ ଦାବି କରିଛନ୍ତି।