ତିନି ଭଉଣୀ ଛାତ ଉପରୁ ଡେଇଁ ଜୀବନ ହାରିବା ଘଟଣାରେ ନୂଆ ମୋଡ଼; ମିଳିଲା ପୁରୁଣା ଫୋନ୍, ଏବେ ସତ ଉପରୁ ହଟିବ ପରଦା……

କୋରିଆନ୍ ଲଭର୍ସ ଗେମର ପୋଲ୍ ଖୋଲିବ ପୁରୁଣା ଫୋନ୍!

ଓଡିଶା ଭାସ୍କର: ଗାଜିଆବାଦରେ ତିନି ଭଉଣୀ ଛାତ ଉପରୁ ଡେଇଁ ଜୀବନ ହାରିବା ଘଟଣାରେ ଏବେ ନୂଆ କାହାଣୀ ସାମ୍ନାକୁ ଆସିଛି। ତିନି ସପ୍ତାହ ଆଗରୁ  ବିକ୍ରି ହୋଇଥିବା ଫୋନ ଏବେ ପୋଲିସ ହାତରେ ଲାଗିଛି। ଏଥିରୁ ଡାଟା ରିକୋଭରୀ କଲେ ହୁଏତ କିଛି ତଥ୍ଯ ମିଳିପାରେ ବୋଲି ପୋଲିସ ଆଶା ପ୍ରକାଶ କରିଛି।

ପୋଲିସ ବିଶ୍ୱାସ କରେ ଯେ ତିନି ଭଉଣୀଙ୍କ ଆତ୍ମହତ୍ୟା କୌଣସି କାର୍ଯ୍ୟ-ଭିତ୍ତିକ ଅନଲାଇନ୍ କୋରିଆନ୍ ଖେଳ ସହିତ ଜଡିତ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଫୋନରୁ ଡାଟା ରିକୋଭରୀ କରିବା ଜରୁରୀ।

ଫେବୃୟାରୀ 4 ତାରିଖରେ ଘଟିଥିଲା ପୁରା ଘଟଣା: ଫେବୃଆରୀ ୪ ତାରିଖରେ, ତିନି ଭଉଣୀ – ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖି (୧୨) – ସେମାନଙ୍କ ଆପାର୍ଟମେଣ୍ଟର ନବମ ମହଲାରୁ ଡେଇଁ ଜୀବନ ହାରିଥିଲେ।

ପରବର୍ତ୍ତୀ ସମୟରେ ସେମାନଙ୍କ ବାପା ଚେତନ କୁମାର ଦାବି କରିଥିଲେ ଯେ ଝିଅମାନେ ପ୍ରାୟ ତିନି ବର୍ଷ ଧରି କୋରିଆନ୍ ଖେଳ ଖେଳୁଥିଲେ ଏବଂ ଏଥିପାଇଁ ସେମାନେ ସ୍କୁଲ ଛାଡି ଦେଇଥିଲେ।

ସେମାନଙ୍କ କୋଠରୀରୁ ମିଳିଥିବା ନଅ ପୃଷ୍ଠାର ଏକ ଛୋଟ ଡାଏରୀରୁ ଏହା ଜଣାପଡିଥିଲା କି ସେମାନେ କୋରିଆନ ରୀତିନୀତିକୁ ବେଶ ପସନ୍ଦ କରୁଥିଲେ ଓ ତାକୁ ଆପଣାଇଥିଲେ। ଅନେକ ସମୟରେ ଏହି କାରଣ ପାଇଁ ପରିବାର ମଧ୍ୟରେ ଜୋରଦାର ଝଗଡା ହେଉଥିଲା।

ପୋଲିସ ଗତ ମଙ୍ଗଳବାର ଦିନ ଦିଲ୍ଲୀର ଶାଲିମାର ଗାର୍ଡେନ୍ ଅଞ୍ଚଳରୁ ମୋବାଇଲ୍ ଫୋନ୍ ଜବତ କରିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଝିଅମାନେ ଆତ୍ମହତ୍ୟା କରିବାର ମାତ୍ର ଦୁଇ ସପ୍ତାହ ପୂର୍ବରୁ ତାଙ୍କ ବାପା ଫୋନଟିକୁ ୧୫,୦୦୦ ରେ ବିକ୍ରି କରିଥିଲେ।

ପୋଲିସ କଣ କହିଲା: ପୋଲିସ କହିବା ଅନୁସାରେ ଡାଏରୀରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ସେମାନଙ୍କ ପିତାମାତା ସ୍ୱାର୍ଥ ଏବଂ ଭବିଷ୍ୟତ ନିଷ୍ପତ୍ତି ବିରୁଦ୍ଧରେ ଥିଲେ, ବିଶେଷକରି ସେମାନଙ୍କ ପସନ୍ଦ ଏବଂ ବିବାହ ସମ୍ପର୍କରେ।

ଏଥିରେ ଲେଖା ଅଛି, “ତୁମେ ଚାହୁଁଥିଲ ଆମେ କୋରିଆକୁ ନଯାଉ। କୋରିଆ ଆମର ଜୀବନ ଥିଲା। ତୁମେ ଚାହୁଁଥିଲ ଯେ ଆମେ ଜଣେ ଭାରତୀୟଙ୍କୁ ବିବାହ କରୁ, ଏବଂ ତାହା କେବେ ଘଟିପାରିବ ନାହିଁ।”

ଏହାଛଡା ଏଥିରେ ଲେଖାଯାଇଥିଲା କି ପରିବାର ଲୋକ ତାଙ୍କୁ ମାଡ଼ପିଟ୍ ମଧ୍ୟ କରୁଥିଲେ, ଶେଷରେ ସେମାନେ ଆଉ କୋରିଆନ ଗେମ ଖେଳିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରି ଅନେକ କିଛି ତଥ୍ୟ ପୋଲିସ ହାତରେ ଲାଗିଛି। ବର୍ତ୍ତମାନ ଫୋନରୁ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।