ପୁରୀ ରେଳ ଷ୍ଟେସନରେ ଅଚାନକ ପହଞ୍ଚିଲେ ମହାପ୍ରବନ୍ଧକ; ଯାଞ୍ଚ କଲେ ଯାତ୍ରୀ ସୁବିଧା
ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ପୁରୀ ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ପୁନଃବିକାଶ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିଛନ୍ତି। ଏହି ଅବସରରେ ସେ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧା ଓ ସାମଗ୍ରିକ ପରିଚାଳନାଗତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।
ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ପୁରୀ ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ପୁନଃବିକାଶ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଗୁଣବତ୍ତାରେ କୌଣସି ସାଲିସ ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଥିଲେ।
ଶ୍ରୀ ଫୁଙ୍କୱାଲ ଷ୍ଟେସନରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧାର ମଧ୍ୟ ନିରୀକ୍ଷଣ କରିଥିଲେ। ଯାତ୍ରୀଙ୍କ ସୁବିଧା ପାଇଁ ଉପଲବ୍ଧ ବ୍ୟବସ୍ଥାଗୁଡ଼ିକର ନିୟମିତ ଯାଞ୍ଚ ସହ ଆବଶ୍ୟକତା ଅନୁଯାୟୀ ଏହାର ନିରନ୍ତର ଉନ୍ନତି ଉପରେ ସେ ଗୁରୁତ୍ୱ ଦେଇଥିଲେ। ପୁରୀ ରେଳ ଷ୍ଟେସନ ବର୍ଷସାରା ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସେବା ଯୋଗାଉଥିବାରୁ ଯାତ୍ରୀ ସୁବିଧା ଏବଂ ସେବାର ମାନ ବଜାୟ ରଖିବା ଉପରେ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ମହାପ୍ରବନ୍ଧକ ଷ୍ଟେସନରେ ଉପଲବ୍ଧ ପାନୀୟ ଜଳର ଗୁଣବତ୍ତା ମଧ୍ୟ ଯାଞ୍ଚ କରିଥିଲେ। ଯାତ୍ରୀମାନଙ୍କୁ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସହ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପାନୀୟ ଜଳର ନିୟମିତ ପରୀକ୍ଷା ଓ ନିରୀକ୍ଷଣ ଜାରି ରଖିବାକୁ କହିଥିଲେ।
ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ (ଡିଆରଏମ୍)ଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ।

