କୋଷ୍ଠକାଠିନ୍ୟରୁ କେମିତି ବାହାରିବେ? ପଢ଼ନ୍ତୁ ପୂରା ରିପୋର୍ଟ

କୋଷ୍ଠକାଠିନ୍ୟ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ମଳତ୍ୟାଗ କରିବାରେ ଅସୁବିଧା ହୋଇଥାଏ। ପେଟ ସମ୍ପୂର୍ଣ୍ଣ ସଫା ହୋଇନଥାଏ

ନୂଆଦିଲ୍ଲୀ: ବଦଳିଛି ମଣିଷର ଜୀବନ ଶୈଳୀ। ପାରମ୍ପରିକ ଖାଦ୍ୟଠାରୁ ଦୂରେଇ ଯାଇଛି। ପାଶ୍ଚାତ୍ୟ ଖାଦ୍ୟ ପ୍ରେମରେ ପଡ଼ିଯାଇଛି। କେବଳ ଖାଦ୍ୟ ନୁହେଁ, ଜୀବନ ଜିଇଁବାର ଶୈଳୀ ମଧ୍ୟ ବଦଳିଛି। ଯେଉଁଥିପାଇଁ ଅସମୟରେ କୋଷ୍ଠକାଠିନ୍ୟ ପରି ରୋଗକୁ ଡାକି ଆଣିଛି ମଣିଷ। ଦେଖିବାକୁ ଗଲେ ଘରେ ଘରେ ଲୋକମାନେ କୋଷ୍ଠକାଠିନ୍ୟରେ ପୀଡ଼ିତ।

କୋଷ୍ଠକାଠିନ୍ୟ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ମଳତ୍ୟାଗ କରିବାରେ ଅସୁବିଧା ହୋଇଥାଏ। ପେଟ ସମ୍ପୂର୍ଣ୍ଣ ସଫା ହୋଇନଥାଏ। ମଳ କଠିନ ହୋଇଯାଏ। ଏହାର ପ୍ରମୁଖ କାରଣ ହେଉଛି କମ ଫାଇବରଯୁକ୍ତ ଖାଦ୍ୟ, କମ ପାଣି ପିଇବା, ଦୀର୍ଘ ସମୟ ଧରି ବସି ରହିବା ଓ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ।

ଅନେକ ଲୋକ ଏହାକୁ ସାଧାରଣ ସମସ୍ୟା ଭାବି ଅବହେଳା କରିଥାନ୍ତି। କିନ୍ତୁ ଦୀର୍ଘ ସମୟ ଧରି କୋଷ୍ଠକାଠିନ୍ୟ ରହିଲେ ଅର୍ଶ (ପାଇଲ୍ସ), ଆନାଲ ଫିସର୍ ଓ କଠିନ ମଳ ଅନ୍ତନଳୀରେ ଅଟକି ରହିବା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ। ସେଥିପାଇଁ ସମୟ ଥାଉଥାଉ ଏହାର ଯତ୍ନ ନେବା ଜରୁରୀ।

କୋଷ୍ଠକାଠିନ୍ୟ ସମୟରେ ଖାଦ୍ୟାଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସଠିକ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଅପଣାଇଲେ ଏହି ସମସ୍ୟାରୁ ବହୁ ପରିମାଣରେ ଆରାମ ମିଳିପାରିବ। ବିଶେଷକରି ଫାଇବରଯୁକ୍ତ ଖାଦ୍ୟ ଓ ପର‌୍ୟ୍ୟାପ୍ତ ପାଣି ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

କୋଷ୍ଠକାଠିନ୍ୟରୁ କେମିତି ପାଇବେ ମୁକ୍ତି?: ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡାଏବେଟିସ୍ ଆଣ୍ଡ ଡାଇଜେଷ୍ଟିଭ୍ ଆଣ୍ଡ କିଡ୍‌ନୀ ଡିଜିଜେସ (ଏନ୍‌ଆଇଡିଡିକେ) ଅନୁସାରେ, କୋଷ୍ଠକାଠିନ୍ୟ ସମୟରେ ଫାଇବରଯୁକ୍ତ ଖାଦ୍ୟ ଖାଇବା ଲାଭଦାୟକ।

ଫାଇବର ଖାଦ୍ୟ: ଓଟ୍ସ, ବ୍ରାଉନ ରାଇସ ଓ ଚୋପା ଥିବା ଗହମ ଅଟା ସେବନ କରନ୍ତୁ। ଯାହା ମଳକୁ କୋମଳ କରିବାରେ ସାହାଯ୍ୟ କରିଥାଏ।

ଫଳ: ସେଓ, ନାଶପାତି, କିୱି ଓ ବେରି ଜାତୀୟ ଫଳରେ ଫାଇବର ଏବଂ ପାଣି ଅଧିକ ଥିବାରୁ ମଳତ୍ୟାଗ ସହଜ ହୋଇଥାଏ।

Uttarakhand Govt.

ସବୁଜ ପନିପରିବା: ପାଳଙ୍ଗ ଶାଗ ଓ ଅନ୍ୟାନ୍ୟ ସବୁଜ ପତ୍ରଯୁକ୍ତ ପନିପରିବା ପାଚନ ପାଇଁ ଉପକାରୀ।

ଡାଲି ଓ ଶସ୍ୟ: ବିନ୍ସ, ରାଜମା, ବୁଟ ଓ ବିଭିନ୍ନ ଡାଲିରେ ଫାଇବର ସହ ପ୍ରୋଟିନ୍ ମଧ୍ୟ ରହିଥାଏ। ଯାହା ପାଚନକୁ ସୁଦୃଢ଼ କରିଥାଏ।

ଶୁଖିଲା ଫଳ ଓ ବୀଜ: ବାଦାମ, ଆଲସି (ଫ୍ଲାକ୍ସସିଡ୍) ଓ ଚିଆ ସିଡ୍‌ସ ଫାଇବରର ଭଲ ଉତ୍ସ।

ଏହି ସବୁ ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ମଧ୍ୟ ଅତ୍ୟନ୍ତ ଜରୁରୀ। ପାଣି ଓ ଫାଇବର ମିଶି ମଳକୁ ସହଜରେ ବାହାର କରିବାରେ ସାହାଯ୍ୟ କରନ୍ତି।

କୋଷ୍ଠକାଠିନ୍ୟ ସମୟରେ କେଉଁ ଖାଦ୍ୟ ଖାଇବେନି?: କୋଷ୍ଠକାଠିନ୍ୟ ଥିଲେ କମ୍ ଫାଇବରଯୁକ୍ତ ଖାଦ୍ୟ କମ୍ ଖାଇବା ଉଚିତ୍। ଧଳା ପାଉରୁଟି, ମଇଦାରେ ପ୍ରସ୍ତୁତ ଖାଦ୍ୟ, କେକ, ପେଷ୍ଟ୍ରି ଓ ବିସ୍କୁଟ,
ଅଧିକ ପ୍ରକ୍ରିୟାଯୁକ୍ତ ଖାଦ୍ୟ, ତେଲରେ ଛଣା ଓ ଫାଷ୍ଟଫୁଡ୍ ଖାଇବା କଥାନୁହେଁ। ଯଦି ଆପଣ ଖାଦ୍ୟରେ ଫାଇବରର ପରିମାଣ ବଢ଼ାଉଛନ୍ତି, ତେବେ ସେହି ଅନୁପାତରେ ପାଣି ମଧ୍ୟ ଅଧିକ ପିଅନ୍ତୁ। କାରଣ ପର‌୍ୟ୍ୟାପ୍ତ ପାଣି ନପିଇ ଅଧିକ ଫାଇବର ଖାଇଲେ କେତେକଙ୍କ କ୍ଷେତ୍ରରେ କୋଷ୍ଠକାଠିନ୍ୟ ଆହୁରି ବଢ଼ିପାରେ। ସେଥିପାଇଁ ସନ୍ତୁଳିତ ଖାଦ୍ୟାଭ୍ୟାସ ରଖିବା ଆବଶ୍ୟକ।

କେବେ ଡାକ୍ତରଙ୍କ ପରାମର୍ଶ ନେବେ?: ନିମ୍ନଲିଖିତ ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

-କୋଷ୍ଠକାଠିନ୍ୟ ଅନେକ ସପ୍ତାହ ଧରି ଲାଗି ରହିଲେ।
-ମଳତ୍ୟାଗ ସମୟରେ ଅତ୍ୟଧିକ ଯନ୍ତ୍ରଣା ହେଲେ।
-ମଳରେ ରକ୍ତ ଦେଖାଗଲେ।
-କୌଣସି ପ୍ରୟାସ ବିନା ଶରୀରର ଓଜନ କମିବା ଆରମ୍ଭ ହେଲେ।
-ଲଗାତାର ପେଟ ଯନ୍ତ୍ରଣା କିମ୍ବା ବାନ୍ତି ହେଲେ।