ସାହାବ! ମୁଁ ବଞ୍ଚିଛି, ମୋ ବାପା ଓ ଭାଇ ନିର୍ଦ୍ଦୋଷ; ସେମାନଙ୍କୁ ଛାଡ଼ିଦିଅନ୍ତୁ…

ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଏଥିସହ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ ଶିବାନୀଙ୍କୁ ହତ୍ୟା କରାଯାଇଥିବା ଗାଁରେ ଚର୍ଚ୍ଚା ହୋଇଥିଲା

ଭୋପାଳ: ସାହାବ! ମୁଁ ବଞ୍ଚିଛି, ମୋ ବାପା ଓ ଭାଇ ନିର୍ଦ୍ଦୋଷ। ସେମାନଙ୍କୁ ଛାଡ଼ିଦିଅନ୍ତୁ। ଇଏ କେଉଁ ଯାତ୍ରାର ଡାଇଲଗ୍ ନୁହେଁ। ଜେଲରେ ବନ୍ଦୀ ଜୀବନ କାଟୁଥିବା ବାପା ଓ ଭାଇଙ୍କୁ ମୁକୁଳାଇବା ପାଇଁ ପୋଲିସ ବାବୁଙ୍କୁ ନିବେଦନ କରୁଛନ୍ତି ଜଣେ ଝିଅ। ଏପରି ଘଟଣା ମଧ୍ୟପ୍ରଦେଶରେ ଘଟିଛି।
ପୂରା ଘଟଣା ଏମିତି। ବୁରହାନପୁର ଜିଲ୍ଲା ଖକନାର ଥାନା ଖଣ୍ଡକୀ ଗାଁର ବାପୁ ରାଓଙ୍କ ଝିଅ ଶିବାନୀ ଏପ୍ରିଲ ୨୪ ତାରିଖରେ ନିଖୋଜ ହୋଇଯାଇଥିଲେ। ସେ ତାଙ୍କର ପ୍ରେମିକ ଅର୍ଜୁନଙ୍କ ସହିତ ନାଶିକ ପଳାଇ ଯାଇଥିଲେ। ସେଠାରେ ବିବାହ କରି ରହୁଥିଲେ। ହେଲେ ଏ ସମ୍ପର୍କରେ ବାପୁ ରାଓ ଓ ତାଙ୍କ ପୁଅଙ୍କୁ ଜଣାନଥିଲା। ତେଣୁ ପରିବାର ଲୋକେ ମେ ୧ ତାରିଖରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଏଥିସହ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ ଶିବାନୀଙ୍କୁ ହତ୍ୟା କରାଯାଇଥିବା ଗାଁରେ ଚର୍ଚ୍ଚା ହୋଇଥିଲା। ଠିକ୍ ସେହି ସମୟରେ ମହାରାଷ୍ଟ୍ରର ଜଲଗାୱରେ ଜଣେ ଯୁବତୀଙ୍କ ମୁଣ୍ଡ ବିହୀନ ଶବ ମିଳିଥିଲା। ଯାହାଙ୍କ ପରିଚୟ ମିଳି ପାରୁନଥିଲା। ଶିବାନୀଙ୍କ ନିଖୋଜ ସମ୍ପର୍କରେ ଅନଲାଇନରୁ ଜାଣିପାରି ମହାରାଷ୍ଟ୍ର ପୋଲିସ ବୁରହାନପୁରରେ ପହଞ୍ଚିଥିଲା। ଖକନାର ଥାନା ପୋଲିସର ସହ ଆଲୋଚନା କରିଥିଲା। ମିଳିଥିବା ମୁଣ୍ଡବିହୀନ ଶବ ଶିବାନୀଙ୍କର ବୋଲି ମହାରାଷ୍ଟ୍ର ପୋଲିସ ସ୍ପଷ୍ଟ କରିଥିଲା। ଏହା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଶିବାନୀଙ୍କ ବାପା ବାପୁ ଓ ତାଙ୍କ ଭାଇ ଅଜୟଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା।

ଶିବାନୀ ହତ୍ୟା ମାମଲାରେ ବାପା ବାପୁ ଓ ଭାଇ ଅଜୟ ଗିରଫ ହେବା ପରେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଗାଁରେ ନିଖୋଜ ଥିବା ଯୁବକ ଅର୍ଜୁନ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ତାଙ୍କ ପତ୍ନୀ ତଥା ଶିବାନୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ଶିବାନୀ ନିଜ ସ୍ୱାମୀଙ୍କ ସହ ଖକନାର ଥାନାରେ ପହଞ୍ଚିଥିଲେ। ଆଉ ନିଜକୁ ମୃତ ଶିବାନୀ ବୋଲି ପରିଚୟ ଦେଇଥିଲେ।

ଆଉ ଶିବାନୀ କହିଥିଲେ, ସାହାବ! ମୁଁ ବଞ୍ଚିଛି, ମୋ ବାପା ଓ ଭାଇ ନିର୍ଦ୍ଦୋଷ। ସେମାନଙ୍କୁ ଛାଡ଼ିଦିଅ। ବାସ୍ ଶିବାନୀଙ୍କ ଏହି କେତେପଦ କଥା ପୋଲିସ ବାବୁଙ୍କ ଅକଲ ଗୁଡ଼ୁମ କରିଦେଇଥିଲା। ସେମାନେ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ। ତା’ପରେ ଆରମ୍ଭ କଲେ ଯାଞ୍ଚ। ଯାଞ୍ଚ ବେଳେ ସବୁ କଥା ସାମ୍ନାକୁ ଆସିଥିଲା। ଆଉ ବାପା ଓ ଭାଇ ଜେଲ୍‌ରୁ ମୁକୁଳିଥିଲେ।