ନଣନ୍ଦଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲା ଭାଉଜ; ଏମିତି କାହିଁକି ହେଲା?

ସାହି ପଡ଼ିଶା ଜ୍ୟୋତିଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଗ୍ରାମୀଣ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଭାଉଜ ଅତି ନିର୍ମମ ଭାବେ ୧୭ ବର୍ଷର ନଣନ୍ଦଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଉତ୍ତରପ୍ରଦେଶ କାଶଗଞ୍ଜ ଜିଲ୍ଲା ସହାୱାର ଥାନା ନଗଲା ଗାଁର ଦୀନେଶ ଚନ୍ଦ୍ର ହେଉଛନ୍ତି ଜଣେ ହୋମ୍‌ଗାର୍ଡ଼। ବୁଧବାର ସେ ଡ୍ୟୁଟି ଯାଇଥିଲେ। ତେଣୁ ଘରେ ତାଙ୍କ ବୋହୂ(ପୁଅର ସ୍ତ୍ରୀ) ମନୁ ଓ ୧୭ ବର୍ଷର ଝିଅ ଜ୍ୟୋତିି କୁମାରୀ ଥିଲେ। ତେବେ କୌଣସି କଥାକୁ ନେଇ ନଣନ୍ଦ ଓ ଭାଇଜଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ସେହି ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ମନୁ ଏକ ବାଡ଼ିରେ ଜ୍ୟୋତିଙ୍କୁ ପ୍ରବଳ ପିଟିଥିଲେ। ଯାହାଫଳରେ ଜ୍ୟୋତି ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ପ୍ରବଳ ରକ୍ତ ଶ୍ରାବ ହୋଇଥିଲା।

ସାହି ପଡ଼ିଶା ଜ୍ୟୋତିଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଗ୍ରାମୀଣ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ମେଡିକାଲ୍‌ରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏଥିସହ ଅଭିଯୁକ୍ତ ଭାଉଜ ମନୁଙ୍କୁ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହରୁ ଏପରି ଘଟିଥିବା ପୋଲିସ ସନ୍ଦେହ କରୁଛି।