fbpx

ବିବାହ କରିବାକୁ ମନାକଲେ ପ୍ରେମିକ: ପ୍ରେମିକା ସାଜିଲେ ‘ବୀରୁ’, ଛାତ ଉପରେ କଲେ ହାଇଭୋଲଟେଜ୍ ଡ୍ରାମା

ନୂଆଦିଲ୍ଲୀ, ୧୬ା୫: ପ୍ରେମ ପାଇଁ ଆଜିକାଲିର ଯୁବକ, ଯୁବତୀ କିଛି କରିବାକୁ ପ୍ରସ୍ତୁତ । ପ୍ରେମିକ ବିବାହ ପାଇଁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ଯୁବତୀ ‘ସୋଲେ’ ଫିଲ୍ମର ‘ବୀରୁ’ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଦିଲ୍ଲୀର ଗୀତା କଲୋନୀ ଅଞ୍ଚଳରେ ଏପରି ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ଯୁବତୀଙ୍କ ଏହି ଡ୍ରାମା କାରଣରୁ ପୋଲିସକୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଛି ।

ସୂଚନା ଅନୁଯାୟୀ, ଯୁବତୀଙ୍କ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ତେଣୁ ଯୁବତୀ ତାଙ୍କ ପ୍ରେମିକ ରହୁଥିବା ବିଲଡିଂର ଉପରକୁ ଚଢ଼ିଯାଇ ତଳକୁ ଡେଇଁବାକୁ ନିଷ୍ପତ୍ତି ନେଇଥିଲେ । ଜଣେ ଯୁବତୀ ବିଲଡିଂ ଉପରୁ ତଳକୁ ଡେଇଁବାକୁ ଧମକ ଦେଉଥିବା ନେଇ ସୂଚନା ପୋଲିସକୁ ମିଳିଥିଲା । ଯୁବତୀ ଜଣକ ଲାଲ ରଙ୍ଗର ସୁଟ୍ ପିନ୍ଧି ବିଲଡିଂ ଉପରେ ଚଢ଼ିଥିଲେ ଓ ଜମା ହୋଇଥିବା ଲୋକେ ତାଙ୍କୁ ତଳକୁ ଓହ୍ଲାଇବାକୁ ନିବେଦନ କରୁଥିଲେ । ତେବେ ଯୁବତୀ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ଜାଣିପାରିଥିଲା । ପୋଲିସ ଲାଉଡ୍ ସ୍ପିକର ଦ୍ୱାରା ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଇତିମଧ୍ୟରେ ଫାୟାରବ୍ରିଗେଡ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବତୀଙ୍କୁ ବଞ୍ଚାଇବା ପାଇଁ ଜାଲ ବିଝାଯାଇଥିଲା । ଏହାପରେ ଜଣେ ମହିଳା ଛାତ ଉପରକୁ ଯାଇ ଯୁବତୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଦିଲ୍ଲୀର ହେଡଗେବାର ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହାପରେ ଯୁବତୀ ଜଣକ ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ପୋଲିସକୁ କହିଥିଲେ ।

Get real time updates directly on you device, subscribe now.