(VIDEO)”ମେହବୁବା, ମେହବୁବା” ଗୀତରେ ଚାଲିଥିଲା ଡ୍ୟାନ୍ସ, ହଠାତ ଜଳିଲା ଛାତ…ଗୋଆ ନାଇଟ୍ କ୍ଲବର ଭୟଙ୍କର ଭିଡିଓ ସାମ୍ନାକୁ ଆସିଲା

ଗୋଆ ନାଇଟ୍ କ୍ଲବର ଭୟଙ୍କର ଭିଡିଓ ସାମ୍ନାକୁ ଆସିଲା ।

ଗୋଆ: ଉତ୍ତର ଗୋଆର ଏକ ନାଇଟ୍ କ୍ଲବର ଅଗ୍ନିକାଣ୍ଡର ଏକ ଭୟଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ନାଚ ଏବଂ ଗୀତ ଗାଇବା ମଧ୍ୟରେ ହଠାତ୍ ଛାତ ଉପରେ ନିଆଁ ଦେଖାଯାଉଛି ଏବଂ କିଛି ସେକେଣ୍ଡ ମଧ୍ୟରେ ଆତଙ୍କ ଖେଳିଯାଉଛି। ଉତ୍ତର ଗୋଆର ଆରପୋରାରେ ଥିବା ବିର୍ଚ ବାଇ ରୋମିଓ ଲେନ୍ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂତ୍ର ଅନୁସାରେ, ଏହି ଫୁଟେଜ୍ କ୍ଲବର ପ୍ରଥମ ମହଲାର, ଯାହା ଘଟଣାସ୍ଥଳରେ ଉପସ୍ଥିତ ଜଣେ ପର୍ଯ୍ୟଟକ ରେକର୍ଡ କରିଛନ୍ତି।

ଭିଡିଓରେ, ଜଣେ ମହିଳା ନାଚୁଥିବା ଦେଖାଯାଉଛି ଏବଂ ହଠାତ୍ ଛାତ ଉପରେ ନିଆଁ ଦେଖାଯାଉଛି। ଗୀତଟି ତୁରନ୍ତ ବନ୍ଦ ହୋଇଯାଏ, ଏବଂ ଲୋକମାନେ “ନିଆ ଲାଗିଗଲା!” ବୋଲି ଚିତ୍କାର କରି ଦୌଡ଼ନ୍ତି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଏ ଏବଂ ଲୋକମାନେ ପରିସରରୁ ବାହାରକୁ ଯିବା ପାଇଁ ଠେଲା-ପେଲା କରିବାକୁ ଲାଗନ୍ତି । ଫଳରେ ସେଠାରେ ଦଳାଚକଟା ହେବାକୁ ଲାଗେ ।

ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ

ଏହି ନାଇଟ୍ କ୍ଲବ ଅଗ୍ନିକାଣ୍ଡରେ ପଚିଶ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପର୍ଯ୍ୟଟକ ଏବଂ ୧୪ ଜଣ କର୍ମଚାରୀ ଅଛନ୍ତି। ବାକି ମୃତଦେହ ଚିହ୍ନଟ କରାଯାଉଛି। ଅଧିକାଂଶ ମୃତ୍ୟୁ ଧୂଆଁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିଲା। ରିପୋର୍ଟ କରାଯାଉଛି ଯେ କ୍ଲବର ଦ୍ୱାର ଛୋଟ ହେବା କରାଣରୁ ଲୋକମାନେ ବାହାରକୁ ବାହାରିବାରେ ଅସମର୍ଥ ହେଲେ। କେତେକ ବଞ୍ଚିବା ପାଇଁ ପ୍ରଥମ ମହଲାକୁ ପଳାଇଲେ, କିନ୍ତୁ ସେଠାରେ ଫସି ଗଲେ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତମାନଙ୍କୁ 50 ହଜାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

ସମସ୍ତ କ୍ଲବ ଯାଞ୍ଚ କରାଯିବ

ବିଜେପି ବିଧାୟକ ମାଇକେଲ୍ ଲୋବୋ ଗୋଆର ସମସ୍ତ ନାଇଟ୍ କ୍ଲବର ସୁରକ୍ଷା ଅଡିଟ୍ ପାଇଁ ଡାକ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ କ୍ଲବରେ ଅଗ୍ନି ନିରାପତ୍ତା ନିୟମାବଳୀ ଠିକ୍ ଭାବରେ ପାଳନ କରାଯାଉ ନଥିଲା। ଯେଉଁ ଅଧିକାରୀଙ୍କ ଅବହେଳା ଯୋଗୁଁ କ୍ଲବରେ ନିଆଁ ଲାଗିଛି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।