ବାହାଘର ପୂର୍ବରୁ ମିଳିବ ବୈବାହିକ ଜୀବନର ପାଠ: କଲେଜରେ ଖୋଲିଲା ‘ବିବାହ ପାଠଶାଳା’

ଗୋଆର ଗୋଆ କଲେଜ ଅଫ୍ ହୋମ୍ ସାଇନ୍ସ ଏଭଳି ଏକ ନିଆରା ପଦକ୍ଷେପ ନେଇଛି। କଲେଜ ପକ୍ଷରୁ ‘ମ୍ୟାରେଜ୍ ରେଡିନେସ୍‌: ପ୍ରିପେୟାରିଂ ଫର୍ ହେଲ୍‌ଦି ଆଣ୍ଡ ଲାଷ୍ଟିଂ ରିଲେସନ୍‌ସିପ୍‌ସ’ ନାମରେ ଏକ ସାର୍ଟିଫିକେଟ୍ କୋର୍ସ ଆରମ୍ଭ କରାଯାଇଛି।

ପାଣାଜୀ: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ବିଭିନ୍ନ କୋର୍ସ ରହିଛି। ହେଲେ ଗୋଆର ଏକ କଲେଜ ଏବେ ଯୁବପିଢ଼ି ପାଇଁ ଏମିତି ଏକ କୋର୍ସ ଆଣିଛି, ଯାହା ଜୀବନର ସବୁଠାରୁ ବଡ଼ ସମ୍ପର୍କକୁ ସୁନ୍ଦର କରିପାରିବ। ଏଠାରେ ଯୁବକ-ଯୁବତୀ ପଢ଼ିବେ ବିବାହର ପାଠ! କେବଳ ବାହାଘର କିପରି ହେବ, ତାହା ନୁହେଁ; ବରଂ ବିବାହ ପରେ କିପରି ଏକାଠି ଜୀବନ ବିତାଇବେ, ପରସ୍ପରକୁ ବୁଝିବେ ଏବଂ ସମ୍ପର୍କକୁ ଶେଷ ନିଃଶ୍ୱାସ ପର‌୍ୟ୍ୟନ୍ତ ସୁନ୍ଦର ରଖିବେ, ସେନେଇ ଦିଆଯିବ ଶିକ୍ଷା।

ଗୋଆର ଗୋଆ କଲେଜ ଅଫ୍ ହୋମ୍ ସାଇନ୍ସ ଏଭଳି ଏକ ନିଆରା ପଦକ୍ଷେପ ନେଇଛି। କଲେଜ ପକ୍ଷରୁ ‘ମ୍ୟାରେଜ୍ ରେଡିନେସ୍‌: ପ୍ରିପେୟାରିଂ ଫର୍ ହେଲ୍‌ଦି ଆଣ୍ଡ ଲାଷ୍ଟିଂ ରିଲେସନ୍‌ସିପ୍‌ସ’ ନାମରେ ଏକ ସାର୍ଟିଫିକେଟ୍ କୋର୍ସ ଆରମ୍ଭ କରାଯାଇଛି। ଡିସେମ୍ବର ୨ରୁ ୧୭ ତାରିଖ ପର‌୍ୟ୍ୟନ୍ତ ଏହି ପାଠ୍ୟକ୍ରମ ଚାଲିବ। କଲେଜର ହ୍ୟୁମାନ୍ ଡେଭଲପମେଣ୍ଟ ଆଣ୍ଡ ଫ୍ୟାମିଲି ଷ୍ଟଡିଜ୍ ବିଭାଗ ଏହାର ଆୟୋଜନ କରୁଛି। ଏହି କୋର୍ସରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସହ ଅବିବାହିତ ଯୁବକ-ଯୁବତୀ ଏବଂ ସୁସ୍ଥ ସମ୍ପର୍କ ଗଢ଼ିବାକୁ ଆଗ୍ରହୀ ଯେକୌଣସି ବ୍ୟକ୍ତି ଭାଗ ନେଇପାରିବେ।

କଲେଜର ଅଧ୍ୟକ୍ଷ ମହେଶ ପାଇଙ୍କ କହିବା ଅନୁସାରେ, ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ କେବଳ ବିବାହ ଉତ୍ସବ ଆୟୋଜନ ଶିଖାଇବା ନୁହେଁ, ବରଂ ନିଜକୁ ବୁଝିବା। ଜୀବନସାଥୀଙ୍କ ଭାବନାକୁ ସମ୍ମାନ ଦେବା, ପରସ୍ପର ମଧ୍ୟରେ ଉତ୍ତମ ଯୋଗାଯୋଗ, ବିଶ୍ୱାସ, ପ୍ରତିବଦ୍ଧତା ଓ ବୈବାହିକ ଜୀବନର ଦାୟିତ୍ୱ ସମ୍ପର୍କରେ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା।

ତେବେ ଏଭଳି ଏକ ନିଆରା ପାଠ୍ୟକ୍ରମ ପଛରେ ରହିଛି ଏକ ଗମ୍ଭୀର ସାମାଜିକ ଚିନ୍ତା। ଗୋଆରେ ବଢ଼ୁଥିବା ବୈବାହିକ ବିବାଦ ଓ ଛାଡ଼ପତ୍ର ମାମଲାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ରାଜ୍ୟରେ ବିବାହ ପୂର୍ବରୁ କାଉନସେଲିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ଘୋଷଣା କରିଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ୨୦୨୨ରୁ ୨୦୨୫ ମଧ୍ୟରେ ଗୋଆର ସିଭିଲ୍ କୋର୍ଟଗୁଡ଼ିକରେ ବିବାହ ଓ ଛାଡ଼ପତ୍ର ସମ୍ପର୍କିତ ୩ ହଜାରରୁ ଅଧିକ ଆବେଦନ ଦାଖଲ ହୋଇଛି। କେବଳ ୨୦୨୪ରେ ୯୪୭ଟି ଆବେଦନ ଦାଖଲ ହୋଇଥିଲା।

ବାସ୍ତବରେ ବିବାହ କେବଳ ଦୁଇଟି ମନର ମିଳନ ନୁହେଁ, ଏହା ଦୁଇଟି ପରିବାର, ଦୁଇଟି ଭିନ୍ନ ସ୍ୱଭାବ ଓ ଭିନ୍ନ ଚିନ୍ତାଧାରାର ମିଳନ। ଏଥିରେ ପ୍ରେମ ସହ ବୁଝାମଣା, ଧୈର‌୍ୟ୍ୟ, ସମ୍ମାନ ଓ ଦାୟିତ୍ୱବୋଧର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ବିବାହ ପୂର୍ବରୁ ଯଦି ଏସବୁ ବିଷୟରେ ଯୁବପିଢ଼ିଙ୍କୁ ଶିକ୍ଷା ଦିଆଯାଇପାରେ, ତେବେ ଅନେକ ସମ୍ପର୍କ ଭାଙ୍ଗିବା ପୂର୍ବରୁ ହୁଏତ ତାହାକୁ ସଜାଡ଼ିବାର ସୁଯୋଗ ମିଳିପାରିବ। ଗୋଆ କଲେଜର ଏହି ପଦକ୍ଷେପ ଏବେ ସେହି ଦିଗରେ ଏକ ନିଆରା ପ୍ରୟାସ।