ଗ୍ରାହକଙ୍କ ପାଇଁ ଖୁସି ଖବର, ଶାନ୍ତି ଚୁକ୍ତି ଭାଙ୍ଗିବା ନେଇ ଟ୍ରମ୍ପଙ୍କ ବୟାନ ପରେ ଏତେ ଟଙ୍କା କମିଗଲା ସୁନା-ରୂପା, ଏବେ ହିଁ କିଣନ୍ତୁ..
ଶାନ୍ତି ଚୁକ୍ତି ଭାଙ୍ଗିବା ନେଇ ଟ୍ରମ୍ପଙ୍କ ବୟାନ ପରେ ଏତେ ଟଙ୍କା କମିଗଲା ସୁନା-ରୂପା
Gold Price: ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ଗୋଟିଏ ପଟେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବା ଯୋଗୁଁ ବିଶ୍ୱ ବଜାରରେ ହଲଚଲ୍ ଦେଖାଦେଇଥିବା ବେଳେ, ଅନ୍ୟପଟେ ଡଲାରର ମଜଭୁତ ସ୍ଥିତି ଏବଂ ଅଶୋଧିତ ତେଲର ଦାମ୍ ବୃଦ୍ଧି ପାଇବା ଯୋଗୁଁ ସୁନା-ରୂପା ଉପରେ ଚାପ ବଢ଼ିଛି । ଏହି କାରଣରୁ ଘରୋଇ ବଜାରରେ ସୁନା ପ୍ରାୟ ୨,୩୦୦ ଟଙ୍କା ଏବଂ ରୂପା ପ୍ରାୟ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ।
MCX ରେ ତଳକୁ ଖସିଲା ସୁନା ଓ ରୂପା ଦର
ବୁଧବାର ମଧ୍ୟାହ୍ନରେ MCX ରେ ଅଗଷ୍ଟ ଡେଲିଭରି ବାଲା ସୁନା ପ୍ରାୟ ୨,୩୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧.୪୩ ଲକ୍ଷ ଟଙ୍କା ଭାବରେ କାରବାର କରୁଛି । ସେହିପରି ସେପ୍ଟେମ୍ବର ଡେଲିଭରି ବାଲା ରୂପା ମଧ୍ୟ ୭,୦୦୦ ଟଙ୍କା ଶସ୍ତା ହୋଇ ପ୍ରତି କିଲୋଗ୍ରାମ ପିଛା ୨.୨୩ ଲକ୍ଷ ଟଙ୍କା ସ୍ତରକୁ ଆସିଯାଇଛି । ଆଜି ବଜାର ଖୋଲିବା ମାତ୍ରେ ହିଁ ଦୁଇଟିଯାକ ମୂଲ୍ୟବାନ ଧାତୁ ଉପରେ ବିକ୍ରିର ଚାପ ଦେଖିବାକୁ ମିଳିଥିଲା ।
ଦର ହ୍ରାସ ପାଇବାର ସବୁଠାରୁ ବଡ଼ କାରଣ
ଏହି ବଡ଼ ହ୍ରାସ ପଛରେ ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଶେଷ ହୋଇଥିବା ଘୋଷଣା କରିବା ଏବଂ ଏହା ପରେ ଆମେରିକାର ସାମରିକ ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।
ଏହି କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇଛି । ଆମେରିକୀୟ ଡଲାର ଅଧିକ ଶକ୍ତିଶାଳୀ ହୋଇଛି ଏବଂ ବଣ୍ଡ ୟିଲ୍ଡ ବଢ଼ିଛି । ଆମେରିକୀୟ ମୁଦ୍ରା ମଜଭୁତ ହେବା କାରଣରୁ ନିବେଶକମାନେ ସୁନାରେ ନିବେଶ କମାଇ ଦେଇଛନ୍ତି, ଯାହାଫଳରେ ସୁନା ଓ ରୂପା ମୂଲ୍ୟ ତଳକୁ ଖସିଛି ।
ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ସେୟାର ବଜାର ଏବଂ ସୁନା ବଜାରର ବିଶେଷଜ୍ଞଙ୍କ ମତରେ, ଆଗକୁ ଆସୁଥିବା ପାର୍ବଣ ଏବଂ ବିବାହ ଋତୁ ପୂର୍ବରୁ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । ଏହି ସମୟରେ ୨୪ କ୍ୟାରେଟ୍ ସୁନା କିଣିବା ପାଇଁ ଏକ ଭଲ ସୁଯୋଗ ସୃଷ୍ଟି ହୋଇଛି । ତେବେ ବଜାର ଉପରେ ଏବେ ସୁଦ୍ଧା ବୈଶ୍ୱିକ ଘଟଣାବଳୀର ପ୍ରଭାବ ରହିଥିବାରୁ ଆଗାମୀ ଦିନରେ ମୂଲ୍ୟରେ ଆହୁରି ଅସ୍ଥିରତା ବା ଉତ୍ଥାନ-ପତନ ଦେଖିବାକୁ ମିଳିପାରେ ।
ଆଗକୁ କାହା ଉପରେ ରହିବ ବଜାରର ନଜର
ଆଗାମୀ ଦିନରେ ସୁନା ଏବଂ ରୂପାର ଗତିପଥ କେମିତି ରହିବ, ତାହା ମୁଖ୍ୟତଃ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦ, କ୍ରୁଡ୍ ଅଏଲ୍ ର ମୂଲ୍ୟ ଏବଂ ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ୍ ରିଜର୍ଭ’ର ଆଗାମୀ ଆର୍ଥିକ ନୀତି ଉପରେ ନିର୍ଭର କରିବ । ଯଦି ମଧ୍ୟପ୍ରାଚ୍ୟରେ ସଙ୍କଟ ଆହୁରି ଗଭୀର ହୁଏ କିମ୍ବା ଡଲାର ଅଧିକ ମଜଭୁତ ହୁଏ, ତେବେ ସୁନା-ରୂପା ଦର ଆହୁରି ପ୍ରଭାବିତ ହୋଇପାରେ । ସ୍ଥିତି ସ୍ୱାଭାବିକ ହେଲେ ମୂଲ୍ୟରେ ପୁଣି ଥରେ ସୁଧାର ଆସିବାର ସମ୍ଭାବନା ରହିଛି ।


