ନୂଆଦିଲ୍ଲୀ: ସୁନା ସମସ୍ତଙ୍କୁ ପ୍ରାୟ ପସନ୍ଦ। ଜୀବନରେ ସଞ୍ଚୟ କରି ସୁନା କିଣିବା ଏକ ଭଲ ବିକଳ୍ପ ବୋଲି କୁହାଯାଏ। ସାରା ବିଶ୍ୱରେ ଲୋକମାନେ ସୁନାରେ ନିବେଶ କରନ୍ତି । ତେବେ ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ଦେଶ ତାଲିକାରେ ଆମେରିକାର ନାମ ଶୀର୍ଷରେ ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଆମେରିକା ତାର ସମସ୍ତ ସମ୍ପତ୍ତି କିମ୍ବା ସୁନା କେଉଁଠି ଲୁଚାଇ ରଖେ?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକା ଏହାର ଅଧିକାଂଶ ସୁନା କେଣ୍ଟୁକିର ଫୋର୍ଟ ନକ୍ସରେ ରଖେ। ବିଶ୍ୱାସ କରାଯାଏ ଯେ ଆମେରିକା ଫୋର୍ଟ ନକ୍ସରେ ପ୍ରାୟ ୮ ହଜାର ଟନ୍ ଶୁଦ୍ଧ ସୁନା ରଖିଛି।
ଏକ ରିପୋର୍ଟ ଅନୁଯାୟୀ, ଏହା ବିଶ୍ୱର ଯେକୌଣସି ଦେଶର ସର୍ବବୃହତ ଜାତୀୟ ସୁନା ଭଣ୍ଡାର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୁନାର ମୂଲ୍ୟ ବୃଦ୍ଧି ଯୋଗୁଁ, ଆଜି ଏହି ସୁନାର ମୂଲ୍ୟ ୧ ଟ୍ରିଲିୟନ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ଆମେରିକାର ଏହି ରିଜର୍ଭ ଜର୍ମାନୀ, ଇଟାଲୀ, ଫ୍ରାନ୍ସ ପରି ଅନ୍ୟ ଦେଶ ତୁଳନାରେ ଦ୍ୱିଗୁଣିତ କିମ୍ବା ଅଧିକ। ତଥାପି, ଏହା ସମ୍ପୂର୍ଣ୍ଣ ଭାବରେ ସାର୍ବଜନୀନ ଭାବରେ ଅଡିଟ୍ କରାଯାଇ ନାହିଁ ଏବଂ ଅନେକ ଉତ୍ସ ଏହାକୁ ‘ଗୋପନୀୟ’ ଭାବରେ ବର୍ଣ୍ଣନା କରନ୍ତି।
ସୁନା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ୧୯୩୬ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ଏହି ବିଲଡିଙ୍ଗର ସୁରକ୍ଷା ପାଇଁ ଏହାର କାନ୍ଥକୁ ମୋଟା ଗ୍ରାନାଇଟରେ ଆଚ୍ଛାଦିତ କରାଯାଇଛି । କିନ୍ତୁ ଏହା ଏଭଳି ସେଭଳି କାନ୍ଥ ନୁହେଁ, ଏଥିରେ କରେଣ୍ଟର ବ୍ୟବସ୍ଥା ରହିଛି । ଅର୍ଥାତ୍ଏହାକୁ ଛୁଇଁବାମାତ୍ରେ କରେଣ୍ଟ ମାରିବ । କେବଳ ସେତିକି ନୁହେଁ ଏହାର ସୁରକ୍ଷା ପାଇଁ ପ୍ରାୟ ୩୦ ହଜାର ଆମେରିକା ସୈନ୍ୟଙ୍କୁ ନିୟୋଜିତ କରାଯାଇଛି ।
ଟ୍ରେଜରୀ ବିଭାଗ କହେ ଏହା ଦୁନିଆର ସବୁଠାରୁ ସୁରକ୍ଷିତ ବିଲଡିଙ୍ଗ୍ । କାରଣ ଏଥିରେ ବ୍ୟବହାର ହୋଇଛି ଆଧୁନିକ ଜ୍ଞାନ କୌଶଳ । ଅବଶ୍ୟ କେଉଁ କେଉଁ କୌଶଳ ଏଥିରେ ବ୍ୟବହାର ହୋଇଛି ତାହାକୁ ନେଇ କୌଣସି ଖୁଲାସା କରିନାହିଁ ଟ୍ରେଜରୀ ବିଭାଗ । ବିଲଡିଙ୍ଗ ମଧ୍ୟରେ କେଉଁଠାରେ ଏବଂ କିଭଳି ଭାବରେ ସୁନା ରଖାଯାଇଛି ହୁଏତ ସେଠାର ସୈନ୍ୟ ମଧ୍ୟ ଜାଣିନଥିବେ । କିନ୍ତୁ କୁହାଯାଏ ଏହି ଭଣ୍ଡାର କୌଣସି ପ୍ରକାରର ପ୍ରାକୃତିକ ଦୁର୍ବିପାକ ବା ଭୂମିକମ୍ପ ଆଦି ପ୍ରଭାବରେ ସୁରକ୍ଷିତ ରହିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି ।
