ଧନତେରାସ୍ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା! ୧୦ ଗ୍ରାମ୍ ପିଛା ଏକାଥରେ ୧୦ ହଜାର ଟଙ୍କା ବଢ଼ିଲା ସୁନା ଦର
ଆସନ୍ତା ୬ ତାରିଖରେ ଧନତେରାସ୍ ପାଳନ ପୂର୍ବରୁ ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି।
ଭୁବନେଶ୍ୱର: ଧନତେରାସ୍ ପୂର୍ବରୁ ସୁନା କିଣିବାକୁ ଯୋଜନା କରିଥିବା ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା। ପାର୍ବଣରେ ସୁନା କିଣିବାକୁ ଆଶା ରଖିଥିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ସୁନା ଦରରେ ହଠାତ୍ ବୃଦ୍ଧି।
ଆକାଶଛୁଆଁ ହୋଇଛି ସୁନା ଓ ରୁପା ଦର। ବିଶେଷ କରି ଧନତେରାସ୍ ପୂର୍ବରୁ ୧୦ ଗ୍ରାମ୍ ପିଛା ସୁନା ଦାମ୍ ଏକାଥରେ ୧୦ ହଜାର ଟଙ୍କା ବଢ଼ିଥିବା ଖବର ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି।
ଆସନ୍ତା ୬ ତାରିଖରେ ପଡ଼ୁଛି ଧନତେରାସ୍। ଏହି ଦିନ ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣିବାକୁ ଶୁଭ ମନେ କରାଯାଏ। ତେଣୁ ଧନତେରାସ୍କୁ ନଜରରେ ରଖି ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିବା ଆଶା କରାଯାଉଥିବା ବେଳେ ସୁନା ଦରରେ ଏଭଳି ବଡ଼ ବୃଦ୍ଧି କିଣାକିଣି ଯୋଜନାକୁ ପ୍ରଭାବିତ କରିପାରେ।
ଟ୍ରମ୍ପଙ୍କ ହାର୍, ବଢ଼ିଲା ସୁନା ଦର: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳକୁ ବଡ଼ ଝଟକା ଲାଗିବା ପରେ ବିଶ୍ୱ ବଜାରରେ ହଲଚଲ୍ ସୃଷ୍ଟି ହୋଇଛି। ବିରୋଧୀ ଡେମୋକ୍ରାଟିକ୍ ଦଳ ସିନେଟ୍ରେ ୫୧ଟି ଆସନ ଏବଂ ପ୍ରତିନିଧି ସଭାରେ ୨୧୮ଟି ଆସନ ଜିତି ବହୁମତ ହାସଲ କରିଥିବା ଖବର ପରେ ମୂଲ୍ୟବାନ ଧାତୁ ବଜାରରେ ବଡ଼ ପରିବର୍ତ୍ତନ ଦେଖାଦେଇଛି।
ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦର ହଠାତ୍ ବଢ଼ିଛି। କମେକ୍ସ ବଜାରରେ ସୁନା ଦର ପ୍ରାୟ ୨ ପ୍ରତିଶତ ବଢ଼ି ଆଉନ୍ସ ପିଛା ୪,୦୧୭ ଡଲାର ଅତିକ୍ରମ କରିଛି। ସେହିପରି ରୁପା ଦରରେ ପ୍ରାୟ ୩.୦୩ ପ୍ରତିଶତ ବୃଦ୍ଧି ଘଟି ଆଉନ୍ସ ପିଛା ୫୧ ଡଲାର ଉପରେ ପହଞ୍ଚିଛି।
କାହିଁକି ହଠାତ୍ ବଢ଼ିଲା ଦର: ଏମିତିରେ ଯଦି ଦେଖିବା ପ୍ରତିବର୍ଷ ଧନତେରାସ୍ ପୂର୍ବରୁ ସୁନା ଓ ରୁପା ଦରରେ ବୃଦ୍ଧି ଦେଖିବାକୁ ମିଳେ। ହେଲେ ଏଥର ଧନତେରାସ୍ ସାଙ୍ଗକୁ ଆଉ ଏକ ବଡ଼ କାରଣ ସାମ୍ନାକୁ ଆସିଛି।
ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କ ଦଳର ପରାଜୟର ପ୍ରଭାବ ମୂଲ୍ୟବାନ ଧାତୁ ବଜାର ଉପରେ ପଡ଼ିଛି। ଟ୍ରମ୍ପଙ୍କ ଦଳ ପଛରେ ପଡ଼ିବା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବା ନେଇ ରାଜନୈତିକ ମହଲରେ ଆକଳନ କରାଯାଉଛି। ଏହା ବିଶ୍ୱ ବଜାରରେ ଅନିଶ୍ଚିତତା ଏବଂ ନିବେଶକଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିଛି।
ତେବେ ଧନତେରାସ୍ ପୂର୍ବରୁ ସୁନା ଦରରେ ଏଭଳି ବଡ଼ ବୃଦ୍ଧି ଗ୍ରାହକଙ୍କ ବଜେଟ୍କୁ ବିଗାଡ଼ିବା ଆଶଙ୍କା ରହିଛି। ଏବେ ସମସ୍ତଙ୍କ ନଜର ଆଗାମୀ ଦିନରେ ସୁନା ଓ ରୁପା ଦର ଆହୁରି ବଢ଼ିବ ନା କମିବ, ତାହା ଉପରେ।


