ଆସିଲା ଭଲ ଖବର: ୨୦୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ କଲେ ଲାଗିବନି ଚାର୍ଜ!

କେନ୍ଦ୍ର ସରକାର ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ କୌଣସି ପ୍ରକାରର ଟ୍ରାଞ୍ଜାକ୍ସନ୍ ଚାର୍ଜ ଆଦାୟ କରିବେ ନାହିଁ।

ଭୁବନେଶ୍ୱର: ଚା’ ଦୋକାନରୁ ଆରମ୍ଭ କରି ବଡ଼ ବଡ଼ ଦୋକାନ। ଆଜିକାଲି ଟଙ୍କା ଦେବାକୁ ପକେଟରୁ ନୋଟ୍ ବାହାର କରିବା ଅପେକ୍ଷା ମୋବାଇଲ ବାହାର କରିବା ଅଧିକ ସହଜ ହେଉଛି। କାରଣ QR କୋଡ୍ ସ୍କାନ୍ କଲେ କାମ ଶେଷ ହୋଇଯାଉଛି। କିନ୍ତୁ ଏହି ଡିଜିଟାଲ୍ ଅଭ୍ୟାସ ଭିତରେ ଯଦି ଚାର୍ଜ ଲାଗିବାର ଚିନ୍ତା ଆସିଲା, ତାହାହେଲେ କଣ କରିବେ? ନିଶ୍ଚିତ ଗ୍ରାହକ ଟିକେ ପଛ ଘୁଞ୍ଚା ଦେବେ। ହେଲେ ଏବେ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି।

କେନ୍ଦ୍ର ସରକାର ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ କୌଣସି ପ୍ରକାରର ଟ୍ରାଞ୍ଜାକ୍ସନ୍ ଚାର୍ଜ ଆଦାୟ କରିବେ ନାହିଁ। ଅର୍ଥାତ୍ ଏହି ସୀମା ମଧ୍ୟରେ UPI ମାଧ୍ୟମରେ ଟଙ୍କା ପଠାଇବା କିମ୍ବା ଗ୍ରହଣ କରିବା ସମୟରେ ସାଧାରଣ ଗ୍ରାହକଙ୍କଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ଚାର୍ଜ ନିଆଯାଇପାରିବ ନାହିଁ।

ଅର୍ଥ ମନ୍ତ୍ରାଳୟ ଅନୁସାରେ, ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ର ଧାରା ୧୦A ଅନୁସାରେ ଏହି ଆଇନଗତ ପ୍ରତିବନ୍ଧକ ଲାଗୁ ହୋଇଛି। ଏହା କେବଳ ଟଚଓ ନୁହେଁ, ୨୦୦୦ ଟଙ୍କା ପର‌୍ୟ୍ୟନ୍ତ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ ହେଉଥିବା ଦେୟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ଏହାର ଅର୍ଥ ଏ ନୁହେଁ ଯେ ସମସ୍ତ ପ୍ରକାର UPI କାରବାର ଉପରେ ସବୁବେଳେ କୌଣସି ଏମ୍‌ଡିଆର୍ ନେଇ ଆଲୋଚନା ହେବନାହିଁ। ଅଗଷ୍ଟରେ ସରକାର ନିର୍ଦ୍ଦିଷ୍ଟ ସୀମାରୁ ଅଧିକ କିଛି UPI ମର୍ଚ୍ଚାଣ୍ଟ କାରବାର ପାଇଁ ସାମାନ୍ୟ Merchant Discount Rate (MDR) ଆଣିବା ସମ୍ଭାବନା ସମ୍ପର୍କରେ ସଙ୍କେତ ଦେଇଥିଲେ। କିନ୍ତୁ ସାଧାରଣ ଗ୍ରାହକ ଓ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଟଙ୍କା ପଠାଉଥିବା Person-to-Person (P2P) ପେମେଣ୍ଟ ମାଗଣା ରହିବ ବୋଲି ସରକାର ସ୍ପଷ୍ଟ କରିଥିଲା।

ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ମଜଭୁତ, ପ୍ରତିଯୋଗିତାମୂଳକ ଓ ଦୀର୍ଘସ୍ଥାୟୀ କରିବା। ଦେଶରେ ଡିଜିଟାଲ୍ ଅର୍ଥନୀତି ଯେଉଁ ଗତିରେ ବଢ଼ୁଛି, ତାହାକୁ ସମର୍ଥନ କରିବା ମଧ୍ୟ ଏହି ପଦକ୍ଷେପର ଏକ ଉଦ୍ଦେଶ୍ୟ। ଏହି ନୀତି ପରିବର୍ତ୍ତନ ପଛରେ ବାହ୍ୟ ପ୍ରଭାବ ଥିବା ନେଇ ପ୍ରକାଶ ପାଇଥିବା ଖବରକୁ ଅର୍ଥ ମନ୍ତ୍ରାଳୟ ଖଣ୍ଡନ କରିଛି। ଏପରି ଦାବିକୁ ମନ୍ତ୍ରାଳୟ ଭିତ୍ତିହୀନ, ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କହିଛି।

ସରଳ ଭାଷାରେ କହିବାକୁ ଗଲେ, ଛୋଟ ଛୋଟ UPI ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଅଲଗା ଚାର୍ଜ ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ୫୦ ଟଙ୍କାର ଚା’ ହେଉ କି ୨,୦୦୦ ଟଙ୍କାର କିଣାକିଣି, ଛଜ କୋଡ୍ ସ୍କାନ କରି ପେମେଣ୍ଟ କରିବା ଅଭ୍ୟାସରେ ଏବେ ଚାର୍ଜର ଭୟ ନାହିଁ।