fbpx

ସ୍କୁଲରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଆରା ପଦକ୍ଷେପ: ଲାଗୁ କଲେ ଏହି ନିୟମ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଦ୍ୟାଳୟ ଓ ଶିକ୍ଷା ବିଭାଗ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଖାସକରି ଛାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିକ୍ଷା ବିଭାଗ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ସିଷ୍ଟମ (SOP) ର ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ  । ତେବେ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା(ପୋସ୍କୋ) ଅଧିନିୟମ ୨୦୧୨ ବିଷୟରେ ସଚେତନ କରାଯାଉଛି ।

ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ପୋସ୍କୋ ଅଧିନିୟମ ଅନୁଯାୟୀ ଶିଶୁ ସୁରକ୍ଷା ଓ ଶିଶୁ ଯୌନ ଶୋଷଣ ରୋକିବା ସମ୍ପର୍କରେ ସଚେତନ କରାଯାଉଛି । ବିଦ୍ୟାଳୟ ଶିକ୍ଷା କମିଶନର ସୁରେଶ କୁମାର କହିଛନ୍ତି ସବୁଠାରୁ ବଡ ସମସ୍ୟା ହେଉଛି ଯେ ଏହିଭଳି ଘଟଣା ବହୁ ପରିମାଣରେ ଘଟୁଥିଲେ ମଧ୍ୟ ପ୍ରତ୍ୟେକ ଘଟଣା ରିପୋର୍ଟ କରାଯାଉ ନାହିଁ । ତେବେ ଆମେ ଏହି ନୀରବତାକୁ ଭାଙ୍ଗିବାକୁ ଚାହୁଁଛୁ । ଯାହା ଦ୍ୱାରା ପୀଡିତାମାନେ ସାମ୍ନାକୁ ଆସି ଅଭିଯୋଗ କରିପାରିବେ । ଫଳରେ ଏପରି ଅପରାଧର ମାତ୍ରା କିଛିକାଂଶରେ କମିପାରିବ ।

୧୮ ବର୍ଷରୁ କମ ବୟସର ପିଲାମାନଙ୍କ ସୁରକ୍ଷା ପାଇଁ ଏହି ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି  କହିଛନ୍ତି ସୁରେଶ କୁମାର । ଏହି ଯୌନ ଶୋଷଣ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସୁରକ୍ଷା କମିଟି, ଶିଶୁ ନିର୍ଯ୍ୟାତନା ମନିଟରିଙ୍ଗ କମିଟି ଏବଂ ସ୍କୁଲ ଅଭିଯୋଗ କମିଟି ଗଠନ କରାଯାଉଛି । ତେବେ ସୁରେଶ କୁମାର ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ୟା, ଖରାପ ଅନୁଭବ ଆଦିକୁ ନେଇ ସ୍କୁଲରେ ଲାଗିଥିବା ଅଭିଯୋଗ ବକ୍ସରେ ପକାଇ ପାରିବେ । ଯଦି ଶିକ୍ଷକ କିମ୍ବା ଅନ୍ୟ କୌଣସି କର୍ମଚାରୀମାନଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଏ, ତେବେ ତଦନ୍ତ କରାଯିବା ସହ ସେମାନଙ୍କ ଉପରେ ଉଚିତ ପଦକ୍ଷେପ ନିଆଯିବ । ସେ କହିଛନ୍ତି ଯେ ଏକ ବିଭାଗୀୟ ସ୍ତରୀୟ କମିଟି ଏହି ଅଭିଯୋଗ ଗୁଡିକର ଯାଞ୍ଚ କରିବ । ସେହିପରି ଯାଞ୍ଚର ୧୫ ଦିନ ପରେ ଦକ୍ଷ ଅଧିକାରୀଙ୍କୁ ଆବଶ୍ୟକୀୟ କାର୍ଯ୍ୟ ଗୁଡିକ ହସ୍ତାନ୍ତର କରାଯିବ । ତେବେ ଏହି କମିଟିରେ ସ୍ଥାନୀୟ ତହସିଲଦାର ଓ ଅନ୍ୟ ଅଧିକାରୀମାନେ ମଧ୍ୟ  ସାମିଲ ହେବେ ।

Get real time updates directly on you device, subscribe now.