fbpx

ଦେଶର ପ୍ରତି ସାଂସଦଙ୍କ ପାଇଁ ବର୍ଷକୁ ଖର୍ଚ୍ଚ ହେଉଛି ୫୧ ହଜାର, ଜଣେ ସାଧାରଣ ଲୋକ ପାଇଁ ମାତ୍ର ୧୮ ଶହ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଏକ ଜନବହୁଳ ଦେଶ ହୋଇଥିବା ବେଳେ ଏଠାରେ ବହୁ ଲୋକ ଗରିବ ସୀମାରେଖା ତଳେ ବସବାସ କରୁଛନ୍ତି । ତେବେ ଏଠାରେ ଲୋକମାନେ ଗରିବ ହେବା ପଛରେ ଅନେକ କାରଣ ରହିଛି । ସେଥିମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି ମହଙ୍ଗା ଚିକିତ୍ସା । ନିଜର ସ୍ୱାସ୍ଥ୍ୟର ଖର୍ଚ୍ଚ ନିଜେ ବହନ କରୁଥିବାରୁ ଭାରତରେ ପ୍ରତ୍ୟେକ ବର୍ଷ ୬.୩ କୋଟି ଲୋକ ଗରିବୀ ସହିତ ସଂଘର୍ଷ କରୁଛନ୍ତି ।

ନ୍ୟାସନାଲ ହେଲଥ ଆକାଉଣ୍ଟର ରିପୋର୍ଟ ମୁତାବକ, ୨୦୧୮-୧୯ରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨.୪୨ ଲକ୍ଷ କୋଟି ଖର୍ଚ୍ଚ କରିଥିଲେ । ଅର୍ଥାତ ବର୍ଷକୁ ପ୍ରତ୍ୟେକ ବ୍ୟକ୍ତି ପିଛା ୧୮୧୫ ଟଙ୍କା ଖର୍ଚ୍ଚ ହେଉଛି । ଏଠାରେ ଜଣେ ସାଂସଦଙ୍କ ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ତରଫରୁ ବର୍ଷକୁ ୫୧ ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ପାଇଁ ମାତ୍ର ୧୮ ଶହ ଟଙ୍କା ଖର୍ଚ୍ଚ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ରିପୋର୍ଟରେ ସମସ୍ତ ତଥ୍ୟ ଦିଆଯାଇଛି ।

୨୦୧୮-୧୯ରେ ସ୍ୱାସ୍ଥ୍ୟ ଉପରେ ୫.୯୬ ଲକ୍ଷ କୋଟି ଖର୍ଚ୍ଚ ହୋଇଥିଲା । ସେଥିରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨.୪୨ ଲକ୍ଷ କୋଟି ଖର୍ଚ୍ଚ କରିଥିଲେ । ଅବଶିଷ୍ଟ ଅର୍ଥ ନିଜେ ସାଧାରଣ ଜନତା ବା ବ୍ୟକ୍ତିଗତ ସଂସ୍ଥା ଉଠାଇଥିଲେ । ଜଣେ ବ୍ୟକ୍ତି ପିଛା ବର୍ଷକୁ ୧୮୧୫ ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥାତ ଦୈନିକ ଜଣେ ବ୍ୟକ୍ତି ପିଛା ୫ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏକ ଆରଟିଆଇ ମୁତାବକ, ୨୦୧୮-୧୯ରେ ରାଜ୍ୟସଭା ସାଂସଦଙ୍କ ସ୍ୱାସ୍ଥ୍ୟ ପାଇଁ ୧.୨୬ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ରାଜ୍ୟସଭାରେ ୨୪୫ ଜଣ ସାଂସଦ ରହିଥିବା ବେଳେ ପ୍ରତ୍ୟେକଙ୍କ ପାଇଁ ପାଖାପାଖି ୫୧ ହଜାରରୁ ଅଧିକ ଖର୍ଚ୍ଚ ହୋଇଛି ।

Get real time updates directly on you device, subscribe now.