ବାୟୁସେନା ଛାଡ଼ିଲେ ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ, ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନକୁ ଦିନରେ ଦେଖେଇଥିଲେ ତାରା
ବାୟୁସେନା ଛାଡ଼ିଲେ ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନ! Fly91ରେ ପାଇଲଟ୍ ଭାବେ ଯୋଗଦେଇଥିବା ସୂଚନା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଅଭିନନ୍ଦନ ବର୍ଦ୍ଧମାନ ବାୟୁସେନାର ଚାକିରି ଛାଡ଼ି ଏବେ ଏକ ଘରୋଇ ଆଞ୍ଚଳିକ ଏୟାରଲାଇନ୍ରେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି। PTI ସୂତ୍ରକୁ ଉଦ୍ଧୃତ କରି ଏହି ଖବର ପ୍ରକାଶ କରିଛି।
ସୂଚନା ଅନୁସାରେ, ଅଭିନନ୍ଦନ ଅଗଷ୍ଟ ମାସରେ ଗୋଆସ୍ଥିତ ଏୟାରଲାଇନ୍ Fly91 ସହ ପାଇଲଟ୍ ଭାବେ କାମ ଆରମ୍ଭ କରିଛନ୍ତି।
Fly91 ପକ୍ଷରୁ କ’ଣ କୁହାଗଲା: ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ Fly91 ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଅଧିକାରିକ ବୟାନ ଦିଆଯାଇନାହିଁ। ଏୟାରଲାଇନ୍ର ମୁଖପାତ୍ର କହିଛନ୍ତି ଯେ, କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ଏକ ନିଜସ୍ୱ ବିଷୟ। ତେଣୁ ଅଭିନନ୍ଦନଙ୍କ ଭୂମିକା ସମ୍ପର୍କରେ ଅଧିକ ବିବରଣୀ ତତ୍କାଳ ମିଳିପାରିନାହିଁ।
Fly91 ୨୦୨୪ ମାର୍ଚ୍ଚରେ ନିଜର ବାଣିଜ୍ୟିକ ପରିଚାଳନା ଆରମ୍ଭ କରିଥିଲା। ଏୟାରଲାଇନ୍ର ଦୁଇଟି ଅପରେସନାଲ୍ ବେସ୍ ଗୋଆ ଏବଂ ହାଇଦ୍ରାବାଦରେ ରହିଛି।
୨୦୧୯ରେ ପାକିସ୍ତାନର F-16କୁ ଖସାଇ ଚର୍ଚ୍ଚାରେ ଆସିଥିଲେ: ଅଭିନନ୍ଦନ ବର୍ଦ୍ଧମାନ ୨୦୧୯ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ବାୟୁ ସଂଘର୍ଷ ପରେ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ। ୨୦୧୯ ଫେବୃଆରୀରେ ପୁଲ୍ୱାମା ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ବାଲାକୋଟ୍ରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା।
୨୭ ଫେବୃଆରୀରେ ପାକିସ୍ତାନର ଆକ୍ରମଣର ଜବାବ ଦେବାକୁ ଯାଇ ଅଭିନନ୍ଦନ ନିଜର ମିଗ୍-୨୧ (MiG-21) ବିମାନ ଜରିଆରେ ପାକିସ୍ତାନର ଅତ୍ୟାଧୁନିକ F-16 ଲଢ଼ାକୁ ବିମାନକୁ ଖସାଇ ଦେଇଥିଲେ। କିନ୍ତୁ ଏହି ଲଢ଼େଇ ସମୟରେ ତାଙ୍କ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେ ପାକିସ୍ତାନ ସୀମା ଭିତରକୁ ଖସିପଡ଼ିବାରୁ ସେଠାକାଧାନ ସେନା ଦ୍ୱାରା ବନ୍ଦୀ ହୋଇଥିଲେ।
କିନ୍ତୁ ଭାରତ ସରକାରଙ୍କ ଦୃଢ଼ କୂଟନୈତିକ ଚାପ ଯୋଗୁଁ ମାତ୍ର ୩ ଦିନ ପରେ (୧ ମାର୍ଚ୍ଚ ୨୦୧୯) ପାକିସ୍ତାନ ତାଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା।
ଅଭିନନ୍ଦନଙ୍କୁ ମିଳିଥିଲା ବୀର ଚକ୍ର: ୨୦୨୧ ମସିହାରେ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ବୀର ଚକ୍ର ଯୁଦ୍ଧକାଳୀନ ବୀରତା ପାଇଁ ଦିଆଯାଉଥିବା ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ। ଅସାଧାରଣ ସାହସ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା।


