୬ ଖଣ୍ଡରେ ବିଭାଜିତ ହେବ କି ପାକିସ୍ତାନ? ବାଲୁଚିସ୍ତାନରୁ ପିଓକେ ଯାଏଁ ବିଦ୍ରୋହର ନିଆଁ; ଦୋହରିବ ୧୯୭୧ ଇତିହାସ

୬ ଖଣ୍ଡରେ ବିଭାଜିତ ହେବ କି ପାକିସ୍ତାନ? ବାଲୁଚିସ୍ତାନରୁ ପିଓକେ ଯାଏଁ ବିଦ୍ରୋହର ନିଆଁ

ଓଡ଼ିଶା ଭାସ୍କର ଡେସ୍କ: ବାଲୁଚିସ୍ତାନରୁ ନେଇ ଖାଇବର ପଖତୁନଖ୍ୱା, ଗିଲଗିଟ୍-ବାଲ୍ଟିସ୍ତାନ, ସିନ୍ଧ ଏବଂ ପାକ୍ ଅଧିକୃତ କାଶ୍ମୀର ପର୍ଯ୍ୟନ୍ତ, ସମଗ୍ର ପାକିସ୍ତାନର କୋଣ ଅନୁକୋଣରୁ ଏବେ କେବଳ ଗୋଟିଏ ସ୍ୱର ଉଠୁଛି, ତାହା ହେଉଛି ବିଦ୍ରୋହ। ଯେଉଁ ଦେଶ ଦିନେ ନିଜକୁ ଏକ ଶକ୍ତିଶାଳୀ ଇସଲାମିକ ରାଷ୍ଟ୍ର ବୋଲି ଦାବି କରୁଥିଲା, ଆଜି ତାର ବାସ୍ତବତା ହେଉଛି ତାର ଶାସନ, ସେନା ଏବଂ ସମସ୍ତ ପ୍ରାକୃତିକ ସମ୍ପଦ କେବଳ ଗୋଟିଏ ପ୍ରଦେଶ ପଞ୍ଜାବ ଏବଂ ରାୱଲପିଣ୍ଡି ସହରର ନିୟନ୍ତ୍ରଣ ମଧ୍ୟରେ ସୀମିତ ହୋଇ ରହିଯାଇଛି।

ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଅସନ୍ତୋଷକୁ ଦେଖିଲେ ଏହା କହିବା ଭୁଲ୍ ହେବ ନାହିଁ ଯେ, ପାକିସ୍ତାନ ଏକ ବଡ଼ ରାଜନୈତିକ ତଥା ଭୌଗୋଳିକ ସଙ୍କଟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ ଏହା ୬ଟି ଖଣ୍ଡରେ ବିଭାଜିତ ହେବା ପଥରେ ରହିଛି। ଦଶନ୍ଧି ଧରି ପାକିସ୍ତାନର ରାଜନୀତି, ସେନା ଏବଂ ପ୍ରଶାସନରେ କେବଳ ପଞ୍ଜାବ ପ୍ରଦେଶର ଏକଚାଟିଆ ପ୍ରଭାବ ରହିଆସିଛି।

ଦେଶର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ପଞ୍ଜାବରେ ଥିବା ବେଳେ ୮୦ ପ୍ରତିଶତରୁ ଅଧିକ ସାମରିକ ଅଧିକାରୀ ଓ ବଡ଼ ବଡ଼ ପ୍ରଶାସକ କେବଳ ଏହି ଗୋଟିଏ ଅଞ୍ଚଳରୁ ହିଁ ଆସୁଛନ୍ତି।

GHQ ହିଁ ପାକିସ୍ତାନର ପ୍ରକୃତ ସରକାର: ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ (GHQ) ହିଁ ପାକିସ୍ତାନର ପ୍ରକୃତ ଶାସନକର୍ତ୍ତା; ପ୍ରଧାନମନ୍ତ୍ରୀ ଏବଂ ସଂସଦ କେବଳ ମୁଖା ମାତ୍ର। ଏହି ପଞ୍ଜାବ-କେନ୍ଦ୍ରିକ ଶାସନ ବ୍ୟବସ୍ଥା ଅନ୍ୟ ପ୍ରଦେଶଗୁଡ଼ିକୁ କେବଳ ଏକ ଉପନିବେଶ ଭଳି ବ୍ୟବହାର କରିଆସିଛି।

ସେମାନଙ୍କ ସମ୍ବଳ ଲୁଟି ନେଇ ସ୍ଥାନୀୟ ଲୋକଙ୍କୁ ଦାରିଦ୍ର୍ୟ ଏବଂ ଗୁଳି-ବାରୁଦ ମଧ୍ୟରେ ବଞ୍ଚିବାକୁ ଛାଡ଼ି ଦିଆଯାଉଛି। କ୍ଷମତାର ଏହି ଅସମାନ କେନ୍ଦ୍ରୀକରଣ ହିଁ ଆଜି ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବାର ମୁଖ୍ୟ କାରଣ ସାଜିଛି।

ସ୍ୱାଧୀନତା ଦାବି କରୁଥିବା ୬ଟି ପ୍ରମୁଖ ଅଞ୍ଚଳ

ବାଲୁଚିସ୍ତାନ: ଏଠାରେ ବିଦ୍ରୋହର ନିଆଁ ସବୁଠାରୁ ଭୟଙ୍କର ରୂପ ନେଇଛି। ବାଲୁଚ୍ ଜନସାଧାରଣ ଦୀର୍ଘ ବର୍ଷ ଧରି ଅଭିଯୋଗ କରିଆସୁଛନ୍ତି ଯେ ସେମାନଙ୍କର ଗ୍ୟାସ୍, ସୁନା ଏବଂ ଗ୍ୱାଦର ବନ୍ଦରକୁ ପଞ୍ଜାବ ଲୁଟି ନେଉଛି, ଯେତେବେଳେ କି ସ୍ଥାନୀୟ ଲୋକେ ଭୋକ ଏବଂ ଦାରିଦ୍ର୍ୟରେ ସଢ଼ୁଛନ୍ତି। ବାଲୁଚ୍ ଲିବରେସନ୍ ଆର୍ମିର ଆକ୍ରମଣ ଏବେ ପ୍ରତିଦିନର ଘଟଣା ପାଲଟିଛି, ଯାହା ଏକ ପୂର୍ଣ୍ଣାଙ୍ଗ ସ୍ୱାଧୀନତା ଆନ୍ଦୋଳନରେ ପରିଣତ ହୋଇଛି।

ଖାଇବର ପଖତୁନଖ୍ୱା: ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ଏହି ପ୍ରଦେଶରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP)ର ଦବଦବା ଏବଂ ପାକ୍ ସେନା ବିରୋଧରେ ଲୋକଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ପଖତୁନମାନଙ୍କ ଅଭିଯୋଗ ଯେ ପାକିସ୍ତାନୀ ସେନା ଆତଙ୍କବାଦ ବିରୋଧୀ ଲଢ଼େଇ ନାମରେ ସେମାନଙ୍କ ଅଞ୍ଚଳକୁ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ କରିଦେଇଛି।

ସିନ୍ଧ: ସିନ୍ଧ ପ୍ରଦେଶରେ ପୁଣି ଥରେ ‘ସିନ୍ଧୁଦେଶ’ର ସ୍ୱତନ୍ତ୍ର ଦାବି ଜୋର୍ ଧରିଛି। ସିନ୍ଧର ଲୋକଙ୍କ ମତରେ କରାଚୀରୁ ମିଳୁଥିବା ରାଜସ୍ୱ ଏବଂ ସିନ୍ଧୁ ନଦୀର ପାଣି ସବୁ ପଞ୍ଜାବ ଆଡ଼କୁ ନିଆଯାଉଛି। କରାଚୀରେ ବିଜୁଳି ଓ ପାଣି ସଙ୍କଟ ଏହି ସାବତପୁଅ ବ୍ୟବହାରର ଫଳାଫଳ।

ଗିଲଗିଟ୍-ବାଲ୍ଟିସ୍ତାନ: ପାକିସ୍ତାନ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସାମ୍ବିଧାନିକ ମାନ୍ୟତା ଦେଇନାହିଁ। ଏଠାକାର ଲୋକଙ୍କୁ ନା ପାକିସ୍ତାନୀ ଭାବେ ଗ୍ରହଣ କରାଯାଉଛି, ନା କୌଣସି ଅଧିକାର ଦିଆଯାଉଛି। CPEC ନାମରେ ସ୍ଥାନୀୟ ଜମି ଚୀନ୍‌କୁ ଟେକି ଦିଆଯାଉଥିବା ବେଳେ ସ୍ଥାନୀୟ ଲୋକେ ବେରୋଜଗାର ହୋଇ ବୁଲୁଛନ୍ତି।

ପାକ୍ ଅଧିକୃତ କାଶ୍ମୀର: ମୁଜଫ୍ଫରାବାଦରୁ ନେଇ ମୀରପୁର ପର୍ଯ୍ୟନ୍ତ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅଟା, ବିଜୁଳି ଏବଂ ନିଜର ମୌଳିକ ଅଧିକାର ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସିଧାସଳଖ ଇସଲାମାବାଦଠାରୁ ମୁକ୍ତି ଦାବି କରୁଛନ୍ତି। ସେମାନେ ନିଜକୁ ଗୁଲାମ ବୋଲି ଅଭିହିତ କରୁଛନ୍ତି।

ପଞ୍ଜାବ ବନାମ ପଞ୍ଜାବ: ଏବେ ଖୋଦ୍ ପଞ୍ଜାବ ପ୍ରଦେଶ ଭିତରେ ମଧ୍ୟ ବିବାଦ ଦେଖାଦେଇଛି। ଦକ୍ଷିଣ ପଞ୍ଜାବର ଲୋକମାନେ ଏକ ପୃଥକ୍ ‘ସରାୟକୀ’ ପ୍ରଦେଶ ଦାବି କରୁଛନ୍ତି, କାରଣ ସମସ୍ତ ବିକାଶ କେବଳ ଲାହୋର ଏବଂ ଉତ୍ତର ପଞ୍ଜାବ ମଧ୍ୟରେ ସୀମିତ ରହୁଥିବା ସେମାନେ ଅନୁଭବ କରୁଛନ୍ତି।

ପୁଣି ଦୋହରାଇବ କି ୧୯୭୧ର ଇତିହାସ: ୧୯୭୧ ମସିହାରେ ମଧ୍ୟ ପାକିସ୍ତାନର ଶାସକଙ୍କ ମଧ୍ୟରେ ଏହି ଅହଂକାର ଥିଲା। ସେତେବେଳର ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ର ଲୋକଙ୍କ ଉପରେ ଶୋଷଣ କରାଗଲା, ସେମାନଙ୍କ ଭାଷା ଏବଂ ସମ୍ବଳ ଲୁଟି ନିଆଗଲା, ଯାହାର ପରିଣାମ ସ୍ୱରୂପ ପାକିସ୍ତାନ ଦୁଇ ଭାଗରେ ବିଭାଜିତ ହୋଇଥିଲା। ଆଜି ସମାନ କାହାଣୀ ୬ଟି ଭିନ୍ନ ଭିନ୍ନ ପ୍ରଦେଶରେ ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳୁଛି।

ଯେଉଁ ଦେଶର କ୍ଷେତ୍ରଫଳ ବିଶାଳ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ କ୍ଷମତା କେବଳ ଗୋଟିଏ ପ୍ରଦେଶ ହାତରେ ଥାଏ, ସେହି ଦେଶ ବହୁ ଦିନ ପର୍ଯ୍ୟନ୍ତ ଏକାଠି ରହିବା ଅସମ୍ଭବ। ଏବେ ପ୍ରଶ୍ନ ଏହା ନୁହେଁ ଯେ ପାକିସ୍ତାନ ବିଭାଜିତ ହେବ କି ନାହିଁ, ବରଂ ପ୍ରଶ୍ନ ହେଉଛି ଏହା କେବେ ଘଟିବ।