fbpx

ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ଜିଆର୍‌ଏସ୍‌ ନିଖୋଜ: ମିଳିଛି ବାଇକ୍ ଓ ଫାେନ୍, ଉଦ୍ଧାର ପାଇଁ ପୋଲିସ ତନାଘନା ଜାରି

ପୁରୁଷୋତ୍ତମପୁର/ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌) : ସୋମବାର ରାତିରୁ ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ନିଖୋଜ ରହିଛନ୍ତି ଜିଆର୍‌ଏସ୍‌ । ଖୋଜାଖୋଜି କଲେ ମଧ୍ୟ ତାଙ୍କ ପତ୍ତା ମିଳିବା ସମ୍ଭବପର ହୋଇପାରି ନାହିଁ । ଏନେଇ ତାଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଘଟିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ ପୁରୁଷୋତ୍ତମପୁର ବ୍ଲକ୍‌ ସୁନାଥର ଓ ଶୋଳଘର ଜିଆର୍‌ଏସ୍‌ ସ୍ୱାଗତ ପଣ୍ଡା ।

ଶ୍ରୀ ପଣ୍ଡା ପ୍ରାୟ ବର୍ଷେ ହେବ ପୁରୁଷୋତ୍ତମପୁର କଂସାରୀ ସାହିରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ । ତାଙ୍କ ନିଜ ଘର ଛତ୍ରପୁର ଜେନାପଲ୍ଲୀରେ । ସୋମବାର ରାତି ପ୍ରାୟ ୯ଟାରେ ବିଡିଓଙ୍କୁ ଭେଟିବା ପାଇଁ ଘରୁ ବାହାରି ଯାଇଥିଲେ । ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଏପରିକି ପତ୍ନୀ ଫୋନ୍‌ କଲେ ମଧ୍ୟ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଥିଲା । ବହୁ ଖୋଜାଖୋଜି ପରେ ତାଙ୍କ ପତ୍ନୀ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମିସିଂ କେସ୍‌ ରୁଜୁ କରି ଖୋଳତାଡ଼ ଜାରି ରଖିଛି ।

ଅନ୍ୟପକ୍ଷରେ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସ୍ୱାଗତଙ୍କ ପତ୍ତା ମିଳିନାହିଁ । ଅନ୍ୟପକ୍ଷରେ ପୁରୁଷୋତ୍ତମପୁର ଗଡ଼ସାହି ନିକଟରୁ ତାଙ୍କ ବାଇକ୍‌ ଉଦ୍ଧାର କରାଯାଇଥିବା ବେଳେ ସ୍ଥାନୀୟ ହରିଜନ ସାହି ଛକ ଠାରେ ତାଙ୍କ ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ କୁଆଡ଼େ ଚାଲିଯାଇଛନ୍ତି ନା ତାଙ୍କୁ ଅପହରଣ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏପରିକି ପାରିବାରିକ ବିବାଦ ବା କାମଚାପ ରହିଥିଲା ଅଥବା କାହା ସହ ଶତ୍ରୁତା ରହିଥିଲା ସେନେଇ ମଧ୍ୟ ସୂଚନା ମିଳିନାହିଁ । ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.