GSTକୁ ନେଇ ବଡ଼ ନିଷ୍ପତ୍ତି! ଏଣିକି ହେବନି ଗିରଫ, ୧ କୋଟିରୁ ୫ କୋଟି ହେଲା ସୀମା
ଭାରତ ମଣ୍ଡପମ୍ରେ GST କାଉନସିଲ୍ର ବଡ଼ ବୈଠକ। GST ଅଧୀନରେ ଗିରଫ କରିବାର କ୍ଷମତା ହଟାଇବା ସହ Prosecution ପାଇଁ ଥିବା ସୀମା ୧ କୋଟିରୁ ବଢ଼ାଇ ୫ କୋଟି ଟଙ୍କା କରିବାକୁ ନିଷ୍ପତ୍ତି।
ନୂଆଦିଲ୍ଲୀ: GSTକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ବଡ଼ ଅପଡେଟ୍। ଦିଲ୍ଲୀର ଭାରତ ମଣ୍ଡପମ୍ରେ ଗୁରୁବାର ବସିଥିବା GST କାଉନସିଲ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟିକସଦାତାଙ୍କ ପାଇଁ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। GST ନିୟମକୁ ଅଧିକ ସହଜ କରିବା ଏବଂ ଆଇନଗତ ବିବାଦ କମାଇବା ଉପରେ କାଉନସିଲ୍ ଗୁରୁତ୍ୱ ଦେଇଛି।
GSTରେ ଗିରଫ କ୍ଷମତା ହଟାଇବାକୁ ନିଷ୍ପତ୍ତି: ବୈଠକରେ GST ଆଇନ ଅଧୀନରେ ଗିରଫ କରିବାର କ୍ଷମତାକୁ ସମ୍ପୂର୍ଣ୍ଣ ହଟାଇବା ନେଇ ବଡ଼ ନିଷ୍ପତ୍ତି ହୋଇଥିବା ଦାବି କରାଯାଇଛି। ଅର୍ଥାତ୍ GST ସମ୍ପର୍କିତ ମାମଲାରେ ପୂର୍ବଭଳି ଗିରଫ କରିବାର ବ୍ୟବସ୍ଥା ରହିବ ନାହିଁ।
ଏହି ପଦକ୍ଷେପ ଦ୍ୱାରା ବ୍ୟବସାୟୀ ଓ ଟିକସଦାତାଙ୍କ ମଧ୍ୟରେ ନିୟମ ପାଳନକୁ ନେଇ ଥିବା ଭୟ ଏବଂ ଆଇନଗତ ଜଟିଳତା କମିବ ବୋଲି ଆଶା କରାଯାଉଛି।
୧ କୋଟିରୁ ବଢ଼ିଲା ୫ କୋଟି: GST ଅଧୀନରେ ମାମଲା ଚଳାଇବା ବା ପ୍ରୋସିକ୍ୟୁସନ୍ ପାଇଁ ଥିବା ଆର୍ଥିକ ସୀମାକୁ ମଧ୍ୟ ବଢ଼ାଯାଇଥିବା ଦାବି କରାଯାଇଛି। ଏହି ସୀମା ୧ କୋଟି ଟଙ୍କାରୁ ବଢ଼ି ୫ କୋଟି ଟଙ୍କା ହୋଇଛି।
ଏହା ଫଳରେ କମ୍ ପରିମାଣର ଟିକସ ବିବାଦ ନେଇ ହେଉଥିବା ଆଇନଗତ ପ୍ରକ୍ରିୟା କମିବା ସହ ବଡ଼ ମାମଲା ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରିବ।
GST ରେଟ୍ରେ ଏଥର କୌଣସି ପରିବର୍ତ୍ତନ ନାହିଁ: ବୈଠକରେ GST ନିୟମକୁ ସରଳ କରିବା ଏବଂ ଆଇନଗତ ବିବାଦ କମାଇବା ନେଇ ଅନେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ତେବେ ଏଥର GST ହାରରେ କୌଣସି ପରିବର୍ତ୍ତନ ଘୋଷଣା କରାଯାଇନାହିଁ।
ଅର୍ଥାତ୍ ସାଧାରଣ ଗ୍ରାହକଙ୍କ ପାଇଁ ବର୍ତ୍ତମାନ ଚାଲୁଥିବା GST ରେଟ୍ରେ ତୁରନ୍ତ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।
ବ୍ୟବସାୟୀଙ୍କ ପାଇଁ କ’ଣ ବଦଳିବ: GST କାଉନସିଲ୍ର ଏହି ନିଷ୍ପତ୍ତିର ମୁଖ୍ୟ ଲକ୍ଷ୍ୟ ହେଉଛି ଟିକସ ବ୍ୟବସ୍ଥାକୁ ଅଧିକ ସହଜ କରିବା, ଅନାବଶ୍ୟକ ଆଇନଗତ ବିବାଦ କମାଇବା ଏବଂ ବ୍ୟବସାୟୀଙ୍କ ଉପରେକମ୍ପ୍ଲାଏନ୍ସ ବର୍ଡନ୍ ହ୍ରାସ କରିବା।
ତେବେ ପ୍ରକୃତରେ ଏହି ପରିବର୍ତ୍ତନ କେବେ ଏବଂ କିପରି ଲାଗୁ ହେବ, ସେଥିପାଇଁ ସମ୍ପର୍କିତ ଆଇନ, ନୋଟିଫିକେସନ୍ ଓ ସଂଶୋଧନ ଜାରି ହେବା ଆବଶ୍ୟକ।


